ପ୍ରଜାତନ୍ତ୍ର ନ୍ୟୁଜ୍

ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

Advertisement

୨୦୦ ଜମାକାରୀଙ୍କଠୁ ୫ କୋଟି ହଡ଼ପ

ମାଷ୍ଟର୍‌ମାଇଣ୍ଡକୁ ହାଇଦ୍ରାବାଦରୁ ଗିରଫ କଲା ଇଓଡବ୍ଲ୍ୟୁ

୧୦ ମାସରେ ଦୁଇଗୁଣ ଅର୍ଥ ପାଇବା ଲୋଭରେ ୫ କୋଟି ଟଙ୍କାର ଠକାମିର ଶିକାର ହୋଇଛନ୍ତି ଜମାକାରୀ। ଠକେଇ ଟଙ୍କାରେ ମାଷ୍ଟର୍‌ମାଇଣ୍ଡ ଦୁବାଇ, ଥାଇଲାଣ୍ଡ, ଜର୍ମାନୀ ବୁଲି ମଉଜ କରୁଥିଲା।

ଭୁବନେଶ୍ୱର ୨୫-୦୨-୨୦୨୫ (ପିପିଏସ) : ୧୦ ମାସରେ ଦୁଇଗୁଣ ଅର୍ଥ ପାଇବା ଲୋଭରେ ୫ କୋଟି ଟଙ୍କାର ଠକାମିର ଶିକାର ହୋଇଛନ୍ତି ଜମାକାରୀ। ଠକେଇ ଟଙ୍କାରେ ମାଷ୍ଟର୍‌ମାଇଣ୍ଡ ଦୁବାଇ, ଥାଇଲାଣ୍ଡ, ଜର୍ମାନୀ ବୁଲି ମଉଜ କରୁଥିଲା। ଓଡ଼ିଶାର ୬ ଜିଲ୍ଲାର ୨୦୦ ଜମାକାରୀଙ୍କୁ ଚୂନ ଲଗାଇଥିବା ମାଷ୍ଟରମାଇଣ୍ଡ୍‌ ଭଦ୍ରକର ଧନଞ୍ଜୟ ସାହୁ ହାଇଦ୍ରାବାଦରେ ଲୁଚିଥିବା ବେଳେ ଶେଷରେ କ୍ରାଇମ୍‌ବ୍ରାଞ୍ଚ ଇଓଡବ୍ଲ୍ୟୁ ହାତରେ ଧରାପଡ଼ିଛି। ଅଭିଯୁକ୍ତ ନିକଟରୁ ଲାପ୍‌ଟପ୍‌, ମୋବାଇଲ୍‌, ପେନ୍‌ଡ୍ରାଇଭ୍‌, ବ୍ୟାଙ୍କ୍‌ ପାସ୍‌ବୁକ୍‌, ଏଟିଏମ୍‌ କାର୍ଡ, ପାସ୍‌ପୋର୍ଟ ସମେତ ବହୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍‌ ଜବତ ହୋଇଛି। ହାଇଦ୍ରାବାଦର ଖଇରାତାବାଦରୁ ଗିରଫ ହେବା ‌ପରେ ନାମପଲ୍ଲୀସ୍ଥିତ ପ୍ରଥମ ଅତିରିକ୍ତ ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍‌ କୋର୍ଟରେ ତାକୁ ହାଜର କରାଯାଇଛି। ସେଠାରୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଭୁବନେଶ୍ବର ଅଣାଯିବା ପରେ କଟକ ଓପିଆଇଡି କୋର୍ଟକୁ ଚାଲାଣ ହୋଇଛି। ତେବେ ଜମାକାରୀଙ୍କ ଅର୍ଥ ହଡପ୍‌ ବିଷୟରେ ଅଧିକ ପଚରାଉଚରା ପାଇଁ ଇଓଡବ୍ଲ୍ୟୁ ଅଭିଯୁକ୍ତକୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି। ଜମାକାରୀଙ୍କ ଟଙ୍କା କେଉଁଠି ବିନିଯୋଗ ହୋଇଛି, କାହା ପାଖକୁ ଟଙ୍କା କାରବାର ହୋଇଛି, ଠକେଇର ଚେର କେତେ ବାଟ ଲମ୍ବିଛି ତାହାର ଖୋଳତାଡ଼ କରାଯିବ ବୋଲି ଇଓଡବ୍ଲ୍ୟୁ ଏସ୍‌ପି ଦିଲ୍ଲୀପ ତ୍ରିପାଠୀ ସୂଚନା ଦେଇଛନ୍ତି।

ମାଷ୍ଟର୍‌ମାଇଣ୍ଡକୁ ହାଇଦ୍ରାବାଦରୁ ଗିରଫ କଲା ଇଓଡବ୍ଲ୍ୟୁ
୧୦ ମାସରେ ଦୁଇଗୁଣ ପାଇବା ଲୋଭରେ ଫସିଥିଲେ ଜମାକାରୀ

ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାର ଗୋବିନ୍ଦ ଚନ୍ଦ୍ର ସାହୁ ଠକେଇର ଶିକାର ହେବା ପରେ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ଦୁଇଗୁଣା ଅର୍ଥ ଲୋଭ ଦେଖାଇ ତାଙ୍କ ସହ ୨୦୦ରୁ ଊର୍ଦ୍ଧ୍ବ ଜମାକାରୀଙ୍କୁ ଫସାଇଥିବା ଗୋବିନ୍ଦ ଅଭିଯୋଗରେ ଦର୍ଶାଇଥିଲେ। ମ୍ୟୁଚୁଆଲ୍‌ ଆଲିଆନ୍ସ ଗ୍ଲୋବାଲ ପ୍ରାଇଭେଟ୍‌ ଲିମିଟେଡ୍‌ ୧୦ ମାସରେ ଦ୍ବିଗୁଣା ଅର୍ଥ ଦେବାର ଲୋଭ ଦେଖାଇ କୋଟି କୋଟି ଟଙ୍କା ହଡ଼ପ କରିଥିବା ତଦନ୍ତରୁ ଜଣାପଡ଼ିଥିଲା। ପୁଲିସ୍‌ଠୁ ମିଳିଥିବା ସୂଚନା ଅନୁସାରେ, ୨୦୧୧ରୁ ୨୦୨୧ ମସିହା ମଧ୍ୟରେ ଅଭିଯୁକ୍ତ ୫ଟି କମ୍ପାନି ଖୋଲିଥିଲେ। ଗୁଡ୍‌ଲ୍ୟାଣ୍ଡ ହାପି ହୋମ୍‌ ଇନ୍‌ଫ୍ରା ଲିମ‌ିଟେଡ୍‌, ଗୁଡ୍‌ଲ୍ୟାଣ୍ଡ କନ୍‌ଷ୍ଟ୍ରକସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ପ୍ୟୁରିଫିଓ ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌, କୋଇନେକ୍ସ ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌ ଓ ମ୍ୟୁଚୁଆଲ୍‌ ଆଲିଆନ୍ସ ଗ୍ଲୋବାଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାମରେ କମ୍ପାନି ଖୋଲି ଧନଞ୍ଜୟ ଏଗୁଡ଼ିକର ଏମ୍‌ଡି ବୋଲି ଦର୍ଶାଉଥିଲା। ଏସବୁ କମ୍ପାନିରେ ଅର୍ଥ ବିନି‌ଯୋଗ ପାଇଁ ଲୋକଙ୍କୁ ପ୍ରବର୍ତ୍ତାଉଥିଲା। ପରେ ଲାଭାଂଶକୁ ରିଅଲ୍‌ ଇଷ୍ଟେଟ୍‌, ବ୍ଲକ୍‌ ଚେନ୍‌, ଇ-କମର୍ସ, ଅନ୍‌ଲାଇନ୍‌ ଗେମିଂ ପ୍ଲାଟ୍‌ଫର୍ମରେ ଲଗାଉଥିଲା।

୨୦୨୦ ମସିହାରେ ମ୍ୟୁଚୁଆଲ୍‌ ଆଲିଆନ୍ସ ଗ୍ଲୋବାଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌କୁ ଭୁବନେଶ୍ବର ଚିନ୍ତାମଣିଶ୍ବରସ୍ଥିତ ବୁଦ୍ଧେଶ୍ବରୀ ଅଞ୍ଚଳରୁ ପରିଚାଳନା କରାଯାଉଥିଲା। ଜମାକାରୀଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦାମୀ ହୋଟେଲ୍‌ରେ ବୈଠକ ଡକାଯାଉଥିଲା। ଏଭଳି ଭାବେ କଟକ, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜର ପ୍ରାୟ ୨୦୦ ଜମାକାରୀଙ୍କୁ ପ୍ରଥମ ଦୁଇମାସ ଲାଭାଂଶ ଦେଇଥିଲେ। ଏପରି କରି ଜମାକାରୀଙ୍କ ବିଶ୍ବାସଭାଜନ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଲାଭାଂଶ ଦେବା ହଠାତ୍‌ ବନ୍ଦ କରିଦେଇଥିଲେ। ଏପରିକି ଅଚାନକ ସଂସ୍ଥା ବନ୍ଦ କରି ଧନଞ୍ଜୟ ଉଭାନ ହୋଇଯାଇଥିଲା। ଠକେଇ ସଂକ୍ରାନ୍ତରେ ପୁଲିସ୍‌ ନିକଟରେ ଅଭିଯୋଗ ହେବା ପରେ ଗିରଫଦାରୀ ଏଡ଼ାଇବା ପାଇଁ ଅଭିଯୁକ୍ତ ବିଭିନ୍ନ ଜିଲ୍ଲାରେ ଲୁଚିଥିଲା। ପରେ ଓଡ଼ିଶା ଛାଡ଼ି ହାଇଦ୍ରାବାଦରେ ଡେରା ପକାଇଥିଲା। ଇଓଡବ୍ଲ୍ୟୁ ଏନେଇ ସୂଚନା ପାଇବା ପରେ ସେଠାରୁ ତାକୁ ଧରିବାରେ ସଫଳ ହୋଇଛି।

Leave a Reply

Your email address will not be published. Required fields are marked *