ଗ୍ୟାରେଜ୍‌ରୁ ମିଳିଲା ପ୍ରଧାନଶିକ୍ଷୟିତ୍ରୀଙ୍କ ଶବ
1 min read

ଗ୍ୟାରେଜ୍‌ରୁ ମିଳିଲା ପ୍ରଧାନଶିକ୍ଷୟିତ୍ରୀଙ୍କ ଶବ

ପଣ୍ଡୁଆ/ଭୁବନେଶ୍ୱର ୨୧-୦୨-୨୦୨୫ (ପିପିଏସ ) : ରାତି ପାହିଲେ ହେବ ଦଶମ ଶ୍ରେଣୀ ପରୀକ୍ଷା। କିନ୍ତୁ ତା’ ପୂର୍ବରୁ ପରୀକ୍ଷା ଦାୟିତ୍ବରେ ଥିବା ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତ‌ଦେହ ଉଦ୍ଧାର ହୋଇଛି। ବେକରୁ ସୁନା ଚେନ୍‌ ଓ ପାଖରୁ ମୋବାଇଲ୍‌ ଗାଏବ ହୋଇଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ ଉପୁଜିଛି। ମୃତକ ତୁମୁସିଂହା ଥାନା ଶ୍ରୀମୂଳା ପଞ୍ଚଶଖା ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପ୍ରଭାତୀ ଦେହୁରୀ (୪୨)। ଗୁନେଇବିଲି ଗ୍ରାମ ସ୍ଥିତ ତାଙ୍କ ଶ୍ବଶୁରଘର ଗ୍ୟାରେଜ୍‌ ଭିତରୁ ମୃତଦେହକୁ ପୁଲିସ ଉଦ୍ଧାର ପରେ ବ୍ୟବଚ୍ଛେଦ ଲାଗି ପଠାଇଛି। 

ତୁମୁସିଂହା ହାଇସ୍କୁଲ୍‌ ନୋଡାଲ୍‌ ଅଧିକାରୀ ଥିଲେ
ବେକର ସୁନାଚେନ୍‌, ମୋବାଇଲ୍‌ ଗାଏବ

ସୂଚନା ଅନୁସାରେ, ପ୍ରଭାତୀ ଗତକାଲି ରାତି ପ୍ରାୟ ସାଢ଼େ ୯ଟା ବେଳକୁ  ନିଜ କୋଠରିକୁ ଶୋଇବାକୁ ଚାଲି ଯାଇଥିଲେ। ଅନ୍ୟ ଏକ କୋଠରିରେ ନବମ ଶ୍ରେଣୀରେ ପଢ଼ୁଥିବା ତାଙ୍କ ଝିଅ ଓ ଆଉ ଏକ କୋଠରିରେ ଦିବ୍ୟାଙ୍ଗ ଦିଅରଙ୍କ ସହ ଶ୍ବଶୁର ଶୋଇଥିଲେ। ସକାଳେ ବୋହୂ ଘ‌ରେ ନଥିବା ଶ୍ବଶୁର ଧଡ଼ିଆ ପ୍ରଧାନ ଦେଖିଥିଲେ। ଦିନକ ପରେ ଦଶମ ଶ୍ରେଣୀ ପରୀକ୍ଷା ଥିବାରୁ ପ୍ରଭାତୀ ଆଗୁଆ ସ୍କୁଲ୍‌ ଯାଇଥିବେ ଭାବି କେହି ଖୋଜାଖୋଜି କରି ନଥିଲେ। ହେଲେ କିଛି ସମୟ‌ ପରେ ପ୍ରଭାତୀଙ୍କୁ ନେବାକୁ ଡ୍ରାଇଭର୍‌ ଆସିବାରୁ ତାଙ୍କୁ ‌ଖୋଜା ଯାଇଥିଲା। ଘରଦ୍ବାର, ବାଡ଼ିପଟ ସବୁଆଡ଼ ଜେଜେ, ନାତୁଣୀ ମିଶି ଖୋଜାଖୋଜି କରିଥିଲେ। ‌ତେବେ ଗାଡ଼ି ଗ୍ୟାରେଜ୍‌ ବାହାରୁ ତାଲା ପଡ଼ିଥିବାରୁ ସନ୍ଦେହ ବଢ଼ିଥିଲା। ଗ୍ୟାରେଜ୍ ତାଲା ଭାଙ୍ଗି ଦେଖିଲା ବେଳକୁ ତା’ ଭିତରେ ପ୍ରଭାତୀଙ୍କ ଶବ ପଡ଼ିଥିଲା। ତାଙ୍କ ବେକରେ ଗଭୀର ଦାଗ ରହିଥିଲା ବେଳେ ସେ ଜିଭ କାମୁଡ଼ି ପଡ଼ିଥିଲେ। 

ଶ୍ବଶୁର ‌ଏନେଇ ପୁଲିସକୁ ଖବର ଦେଇଥିଲେ। ତୁମୁସିଂହା ଥାନାଧିକାରୀ ମନସ୍ବିନୀ ମହାନ୍ତି ଓ ପଣ୍ଡୁଆ ଫାଣ୍ଡି ଅଧିକାରୀ ଚନ୍ଦ୍ରକାନ୍ତ ସେଠୀ ସଦଳବ‌ଳେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଢେଙ୍କାନାଳରୁ ସାଇଣ୍ଟିଫିକ୍‌ ଟିମ୍‌ ଓ ଅପରାହ୍‌ଣରେ ଏସ୍‌ପି ଅଭିନବ ସୋନକର ମଧ୍ୟ ସେଠାରେ ପହଞ୍ଚି ଛାନ୍‌ଭିନ୍‌ କରିଛନ୍ତି। ପୁଲିସ ଶବ ଜବତ କରି କାମାକ୍ଷାନଗର ଡାକ୍ତରଖାନାକୁ ବ୍ୟବଚ୍ଛେଦ ଲାଗି ପଠାଇଛି। ତେବେ ପ୍ରାଥମିକ ତଦନ୍ତରେ ପ୍ରଭାତୀ ପିନ୍ଧିଥିବା ସୁନାଚେନ୍ ଓ ତାଙ୍କ ମୋବାଇଲ୍‌ ମିଳୁ ନଥିବା ଜଣାପଡ଼ିଛି। ପୁଲିସ ପାରିପାର୍ଶ୍ବିକ ସ୍ଥିତିକୁ ଆଧାର କରି ତଦନ୍ତ ଚଳାଇଛି। ରାତି ପାହିଲେ ଦଶମ ଶ୍ରେଣୀ ପରୀକ୍ଷା ହେବାକୁ ଥିବାବେଳେ ପ୍ରଭାତୀ ପ୍ରଧାନଶିକ୍ଷୟିତ୍ରୀ ଥିବାରୁ ସେହି ସ୍କୁଲ୍‌ର ନୋଡାଲ୍‌ ଅଧିକାରୀ ଥିଲେ। ଦୁଇବର୍ଷ ତଳେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା ବେଳେ ତାଙ୍କର ଗୋଟିଏ ପୁଅ ଓ ଝିଅ ଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *