ଗୋଟିଏ ଖଣି ପାଇଁ ୯୮ କୋଟି ଦଣ୍ଡ: ଏନ୍ଜିଟିଙ୍କ ରାୟ ପରେ ଖଣି ମାଲିକ ଛାନିଆ
ମାତ୍ରାଧିକ ଖଣି ଖନନ ଖୋର୍ଦ୍ଧାର ଜଣେ ଖଣି ମାଲିକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। କୋଟିଏ କି ୨ କୋଟି ନୁହେଁ, ପରିବେଶ କ୍ଷତି ଓ ଅନ୍ୟାନ୍ୟ କ୍ଷତିପୂରଣ ବାବଦରେ ୯୮ କୋଟି ୩୧ ଲକ୍ଷ ୪୯ ହଜାର ୧୩୫ ଟଙ୍କା ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଭୁବନେଶ୍ୱର ୨୧-୦୨-୨୦୨୫ (ପିପିଏସ ) : ମାତ୍ରାଧିକ ଖଣି ଖନନ ଖୋର୍ଦ୍ଧାର ଜଣେ ଖଣି ମାଲିକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। କୋଟିଏ କି ୨ କୋଟି ନୁହେଁ, ପରିବେଶ କ୍ଷତି ଓ ଅନ୍ୟାନ୍ୟ କ୍ଷତିପୂରଣ ବାବଦରେ ୯୮ କୋଟି ୩୧ ଲକ୍ଷ ୪୯ ହଜାର ୧୩୫ ଟଙ୍କା ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ୧୦ ଏକରର ଏକ ଛୋଟିଆ ଖଣି ପାଇଁ ୯୮ କୋଟି ଟଙ୍କାର ଆର୍ଥିକ ଦଣ୍ଡ ଖୋର୍ଦ୍ଧା ଜିଲ୍ଲାରେ ବେଆଇନ ଖଣି ଖନନ କରୁଥିବା ମାଲିକଙ୍କ ମଧ୍ୟରେ ଛନକା ସୃଷ୍ଟି କରିଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଡମଣଭୂଇଁରେ ୧୦ ଏକର ପରିମିତ ଅଞ୍ଚଳରେ ଏକ ମାଙ୍କଡ଼ା ପଥର ଖଣି ଥିଲା। ଏହାକୁ ୨୦୨୨ରେ ସ୍ଥାନୀୟ ଅଞ୍ଚଳର ପ୍ରହଲ୍ଲାଦ ବିଶ୍ବାଳ ଲିଜ୍ ସୂତ୍ରରେ ନେଇଥିଲେ। ଚୁକ୍ତି ସମୟରେ ବର୍ଷକୁ ମାତ୍ର ୧୫ଶହ କ୍ୟୁବିକ୍ ମିଟର ଖୋଳିବାକୁ ଅନୁମତି ଦିଆଯାଇଥିଲା। ପାଞ୍ଚ ବର୍ଷରେ ସର୍ବାଧିକ ୭୫୦୦ କ୍ୟୁବିକ୍ ମିଟର ପଥର ଖୋଳିବା କଥା। କିନ୍ତୁ ଅନୁମତିଠାରୁ ବହୁ ଅଧିକ ଖଣି ଖନନ ହୋଇଛି ବୋଲି ମୁଣ୍ଡାଆମ୍ବ ଅଞ୍ଚଳର ଅଜୟ ବେହେରା ନାମକ ବ୍ୟକ୍ତି ଅଭିଯୋଗ ଆଣିବା ପରେ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍ରେ ମାମଲା ରୁଜୁ ହୋଇଥିଲା। ବହୁ ଗୁଣିତ ଖଣି ଖନନ ଯୋଗୁ ସରକାରଙ୍କର ଖଣି ରାଜସ୍ବ ଯାହା କ୍ଷତି ହେଲା, ତା’ଠାରୁ ଅଧିକ ପରିବେଶ ଉପରେ ପ୍ରଭାବ ପଡ଼ିଥିବାର ଅଭିଯୋଗ ହୋଇଥିଲା। ଏହି ମାମଲାରେ ଜିଲ୍ଲାପାଳଙ୍କ ସହିତ ବନଖଣ୍ଡ ଅଧିକାରୀ, ଖଣି ବିଭାଗ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଦି ବିଭିନ୍ନ ବିଭାଗ ପକ୍ଷଭୁକ୍ତ ହୋଇଥିଲେ। ଡମଣଭୂଇଁ ଖଣିରୁ କେତେ ଅଧିକ ଖନନ ହୋଇଛି ଏବଂ ତାହା ଦ୍ବାରା କେତେ ପରିବେଶ କ୍ଷତି ହୋଇଛି; ତା’ର ଏକ ସର୍ଭେ ରିପୋର୍ଟ ଦେବାକୁ ଟ୍ରିବ୍ୟୁନାଲ୍ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ରାଜସ୍ବ ବିଭାଗ, ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ରାଜ୍ୟସ୍ତରୀୟ ପରିବେଶ ପ୍ରଭାବ ମୂଲ୍ୟାଙ୍କନ ପ୍ରାଧିକରଣ (ସିଆ)ର ବୈଜ୍ଞାନିକମାନଙ୍କ ସହିତ ଖଣି ବିଭାଗ ଏହି ଅତ୍ୟଧିକ ଖଣି ଖନନ ଉପରେ ତନାଘନା କରିଥିଲେ। ସାଟେଲାଇଟ୍ ଚିତ୍ର ଜରିଆରେ ସ୍ବତନ୍ତ୍ର ସର୍ଭେ କରାଯାଇଥିଲା। ଅତ୍ୟଧିକ ଖଣି ଖନନ ଯୋଗୁ ମୋଟ୍ ୯୬ କୋଟି ୨୮ ଲକ୍ଷ ୫୦ ହଜାର ୧୭୫ଟଙ୍କା ଟଙ୍କାର ପରିବେଶ କ୍ଷୟକ୍ଷତି ହୋଇଛି ବୋଲି ସର୍ଭେ ପରେ ଜିଲ୍ଲା ପ୍ରଶାସନ ଏନ୍ଜିଟିରେ ଗତବର୍ଷ ରିପୋର୍ଟ ଦାଖଲ କରିଥିଲା। ଅନ୍ୟାନ୍ୟ କ୍ଷତିପୂରଣକୁ ଯୋଡ଼ି ମୋଟ୍ ୯୮ କୋଟି ୩୧ ଲକ୍ଷ ୪୯ ହଜାର ୧୩୫ ଟଙ୍କାର କ୍ଷୟକ୍ଷତି ଆକଳନ ରିପୋର୍ଟ ଏନ୍ଜିଟିଙ୍କୁ ଦିଆଯାଇଥିଲା। ଇତିମଧ୍ୟରେ ଜାତୀୟ ସବୁଜ ପ୍ରାଧିକରଣ ଏହି ରିପୋର୍ଟକୁ ଗ୍ରହଣ କରି କ୍ଷତିପୂରଣ ଟଙ୍କା ଆଦାୟ କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ଓ ଆଶୁତୋଷ ପାଢ଼ୀ ମାମଲାର ପରିଚାଳନା କରୁଥିଲେ।