ଇ-ଡିଟେକ୍ସନ୍‌ରୁ ଧରାପଡ଼ିଲା ବୀମାଫାଙ୍କି: ୬ ଦିନରେ ଧରାପଡ଼ିଲାଣି ୧୫ଶହ ଗାଡ଼ି
1 min read

ଇ-ଡିଟେକ୍ସନ୍‌ରୁ ଧରାପଡ଼ିଲା ବୀମାଫାଙ୍କି: ୬ ଦିନରେ ଧରାପଡ଼ିଲାଣି ୧୫ଶହ ଗାଡ଼ି

କଟକ ୦୭-୦୨–୨୦୨୫(ପିପିଏସ) : ମାତ୍ର ୬ ଦିନରେ ଇ-ଡିଟେକ୍ସନ୍‌ ମାଧ୍ୟମରେ ଟୋଲ୍‌ଗେଟ୍‌ରେ ଧରାପଡ଼ିଲେଣି ବୀମା ନଥିବା ୧୫ ଶହ ଗାଡ଼ି। ଅନ୍ୟପଟେ ରାସ୍ତାକୁ ଓହ୍ଲାଉଥିବା ଖିଲାପୀ ଗାଡ଼ି ଚାଳକଙ୍କ ପାଇଁ ଆହୁରି କଠୋର ହେବାକୁ ଯାଉଛି ପରିବହନ ବିଭାଗ। ଟୋଲ୍‌ଗେଟ୍‌ରେ ସପ୍ତାହେ ତଳେ ବୀମାକୁ ଇ-ଡିଟେକ୍ସନ ସହିତ ଯୋଡ଼ା ଯାଇଥିବା ବେଳେ ଖୁବ୍‌ଶୀଘ୍ର ପ୍ରଦୂଷଣ ସାର୍ଟିଫିକେଟ୍ ଯାଞ୍ଚ କରିବାକୁ ମଧ୍ୟ ଅନଲାଇନ୍ ବ୍ୟବସ୍ଥା କରାଯିବ। ଟୋଲ୍‌ଗେଟ୍ ଦେଇ ଯାଉଥିବା ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ୍ ନଥିଲେ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯିବ।  ସୂଚନା ଅନୁଯାୟୀ, ପରିବହନ ବିଭାଗ ପକ୍ଷରୁ ରାଜ୍ୟର ୨୨ଟି ଟୋଲ୍‌ଗେଟ୍‌ରେ ଇ-ଡିଟେକ୍ସନ ପ୍ରକ୍ରିୟାରେ ଗାଡ଼ିଗୁଡ଼ିକର ପରମିଟ୍, ଫିଟ୍‌ନେସ୍, ଟିକସ ପୂର୍ବରୁ ଯାଞ୍ଚ ହେଉଥିବା ବେଳେ ଗଲା ଫେବ୍ରୁଆରି ୧ ତାରିଖରୁ ବୀମା ଯାଞ୍ଚ ବ୍ୟବସ୍ଥା ଆରମ୍ଭ ହୋଇଛି। ଅନେକ ଘରୋଇ ଓ ବ୍ୟାବସାୟିକ ଗାଡ଼ି ନିୟମ ଉଲ୍ଲଙ୍ଘନ କରି ବୀମା କରୁନାହାନ୍ତି। ଫଳରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁରେ ମୃତକଙ୍କ ପରିବାର ଅନୁକମ୍ପାମୂଳକ ବୀମା ରାଶି ପାଇବାରୁ ବଞ୍ଚିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଭଳି ପ୍ରକ୍ରିୟା ଆରମ୍ଭ ହୋଇଛି। ପରିବହନ ବିଭାଗର ସୂଚନା ଅନୁଯାୟୀ, ମୋଟର ଯାନ ଆଇନ, ୧୯୯୬ର ଧାରା ୧୪୬ ଅନୁଯାୟୀ ପ୍ରତ୍ୟେକ ମୋଟର ଯାନର ବୀମା ବାଧ୍ୟତାମୂଳକ। ଏହାର ଉଲ୍ଲଙ୍ଘନ କଲେ ଧାରା ୧୯୬ ଅନୁଯାୟୀ ୨ ହଜାର ଟଙ୍କା ଜରିମାନା କିମ୍ବା ୩ ମାସ ପର୍ଯ୍ୟନ୍ତ ଜେଲ୍ କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା ରହିଛି।

୬ ଦିନରେ ଧରାପଡ଼ିଲାଣି ୧୫ଶହ ଗାଡ଼ି
ପ୍ରଦୂଷଣ ପ୍ରମାଣପତ୍ରର ବି ହେବ ଅନ୍‌ଲାଇନ୍‌ ଯାଞ୍ଚ

ଏଭଳି ବରମ୍ବାର ନିୟମ ଉଲ୍ଲଂଘନ କଲେ ଜରିମାନା ରାଶି ୪ ହଜାର ଟଙ୍କା କିମ୍ବା ୩ ମାସ ପର୍ଯ୍ୟନ୍ତ ଜେଲ୍‌ କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ବି ରହିଛି। ଏହି ଇ-ଡିଟେକ୍ସନ କାର୍ଯ୍ୟକ୍ରମ ମାଧ୍ୟମରେ ଚାଳକ ଯେଉଁ ଦିନ ଟୋଲ୍‌ଗେଟ୍‌ରେ ଜରିମାନ ଦେବେ ସେଦିନ ଆଉ କୌଣସି ଟୋଲ୍‌ଗେଟ୍‌ରେ ତାଙ୍କର ଜରିମାନା ଆଦାୟ ହେବନାହିଁ। ପରଦିନ ଯଦି ବୀମା ନଥିବ ତେବେ ଜରିମାନା ଲାଗୁ ହେବ। ତେଣୁ ଯେଉଁ ଦିନ ଜରିମାନା କଟିବ, ସେହିଦିନ ଯଦି ଚାଳକ ନିଜର ବୀମା କରାଇ ନେଉଛନ୍ତି, ତେବେ ପରଦିନ ଜରିମାନରୁ ବର୍ତ୍ତିପାରିବେ। ଫେବ୍ରୁଆରି ୧ ତାରିଖରେ ୧୪୭ଟି ଗାଡ଼ିର ବୀମା ନଥିବା ଅଭିଯୋଗରେ ଅନ୍‌ଲାଇନ୍ ଇ-ଡିଟେକ୍ସନ ମାଧ୍ୟମରେ ଧରାପଡ଼ିଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ଦେଢ଼ ହଜାର ଗାଡ଼ିର ବୀମା ନଥିବା ତଥ୍ୟ ସାମନାକୁ ଆସିଛି। ପ୍ରତି ଗାଡ଼ିରୁ ୨ ହଜାର ଟଙ୍କା ହିସାବରେ ମାତ୍ର ୬ ଦିନରେ ୩୦ ଲକ୍ଷ ଟଙ୍କା ଜରିମାନା କଟାଯାଇଛି। ରାଜ୍ୟରେ ଏବେ ପଞ୍ଜୀକୃତ ହୋଇଥିବା ୯୦ ଲକ୍ଷ ଗାଡ଼ି ଚଳାଚଳ କରୁଥିବା ବେଳେ ଲକ୍ଷାଧିକ ଗାଡ଼ି ବୀମା କରିନଥିବା ସନ୍ଦେହ କରାଯାଉଛି। ଏବେ ଦୁଇ ଚକିଆ ଓ ତିନି ଚକିଆ ଯାନଗୁଡ଼ିକୁ ଏହି ବୀମା ଯାଞ୍ଚ ପ୍ରକ୍ରିୟାରୁ ବାଦ୍ ଦିଆଯାଇଛି। 

ଅନ୍ୟପଟେ ପରିବହନ ବିଭାଗ ଇ-ଡିଟେକ୍ସନ୍ ପ୍ରକ୍ରିୟାରେ ପ୍ରଦୂଷଣ ସାର୍ଟିଫିକେଟକୁ ଯୋଡ଼ିବାକୁ ଯାଉଛି। ମୋଟର ଯାନ ଆଇନର ଧାରା ୧୯୦(୨)ରେ ଶବ୍ଦ କିମ୍ବା ବାୟୁ ପ୍ରଦୂଷଣ କଲେ ୧୦ ହଜାର ଟଙ୍କା ଯାଏଁ ଜରିମାନା ବ୍ୟବସ୍ଥା ରହିଛି। ଗାଡ଼ି ଯେଉଁ ବର୍ଷ କିଣାଯାଉଛି, ଉକ୍ତ ବର୍ଷ ଏହା ଛାଡ଼ କରାଯାଏ। ଏହା ପରେ ପ୍ରତି ୬ ମାସ ବ୍ୟବଧାନରେ ପଲ୍ୟୁସନ୍ ଅଣ୍ଡର କଣ୍ଟ୍ରୋଲ(ପିୟୁଏସ୍) ସାର୍ଟିଫିକେଟ୍ ବାଧ୍ୟତାମୂଳକ କରାଯାଇଛି। ଏବେ ପଲ୍ୟୁସନ୍ ସାର୍ଟିଫିକେଟ୍ ପରିବହନ ବିଭାଗ ପକ୍ଷରୁ ଅଧିକାରୀଙ୍କ ଦ୍ବାରା ରାସ୍ତାରେ ଯାଞ୍ଚ ହେଉଛି। କିନ୍ତୁ ଅନେକ ଖିଲାପୀ ଖସିଯାଉଛନ୍ତି। ତେଣୁ ଏହାକୁ ଇ-ଡିଟେକ୍ସନ ମାଧ୍ୟମରେ ଟୋଲ୍ ଗେଟ୍ ସହିତ ସଂଯୋଗ କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଯାହା ଫଳରେ କୌଣସି ଚାଳକ ଆଉ ଖସିପାରିବେ ନାହିଁ। ଯେଉଁମାନେ ପିୟୁଏସ୍ ସାର୍ଟିଫିକେଟ୍ ନବୀକରଣ କରି ନଥିବେ ସେମାନଙ୍କ ନାଁରେ ୧୦ ହଜାର ଟଙ୍କା ଜରିମାନା ତୁରନ୍ତ କଟାଯିବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *