ପ୍ରଜାତନ୍ତ୍ର ନ୍ୟୁଜ୍

ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

ଓଡ଼ିଶା ଶ୍ରେଷ୍ଠ ନିବେଶ କ୍ଷେତ୍ର :ମୁଖ୍ୟମନ୍ତ୍ରୀ

ଉତ୍କର୍ଷ ଓଡିଶା-ମେକ୍ ଇନ୍ ଓଡିଶା କନକ୍ଲେଭ୍-୨୦୨୫ରେ ଜାନୁଆରି ୨୮-୨୯, ଦୁଇ ଦିନ ଧରି ଏହା କେବଳ ଡେଲିଗେଟ୍‌ମାନଙ୍କ ପାଇଁ ଖୋଲା ରହିବ। ୩୦ ତାରିଖ ଦିନ ଏହାକୁ ସର୍ବସାଧାରଣଙ୍କ ପାଇଁ ଖୋଲା ରଖାଯିବ।

ଭୁବନେଶ୍ୱର ୨୪-୦୧-୨୦୨୫(ପିପିଏସ) : ଉତ୍କର୍ଷ ଓଡିଶା-ମେକ୍ ଇନ୍ ଓଡିଶା କନକ୍ଲେଭ୍-୨୦୨୫ ଆସନ୍ତା ୨୮-୨୯ରେ ଅନୁଷ୍ଠିତ ହେବ। ଏହି ବିଶାଳ ବ୍ୟବସାୟିକ ସମାରୋହ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସ୍ଥାନୀୟ ଜନତା ମଇଦାନରେ ଏହାର ପ୍ରସ୍ତୁତି ସଂପର୍କିତ ଅନୁଧ୍ୟାନ କରିଛନ୍ତି। ପ୍ରସ୍ତୁତିସ୍ଥଳ ବୁଲିଲା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଏହି କାର୍ଯ୍ୟକ୍ରମ ସବୁ ଦୃଷ୍ଟିକୋଣରୁ ଐତିହାସିକ ହେବ। ରାଜ୍ୟ ପାଇଁ ଏକ ସୁଦୃଢ ଅର୍ଥନୈତିକ ଓ ଶିଳ୍ପ ଭିତ୍ତିଭୂମି ପ୍ରସ୍ତୁତ କରିବାରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ରାଜ୍ୟଗୁଡ଼ିକ ମଧ୍ୟରେ ଶ୍ରେଷ୍ଠ ୫ଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବାର ଆମର ଯେଉଁ ଲକ୍ଷ୍ୟ ଅଛି, ତାହା ନିଶ୍ଟୟ ପୂରଣ ହେବ। ଏହାସହିତ ଶ୍ରମିକ, କୃଷକମାନଙ୍କ ପରି ସାଧାରଣ ଲୋକଙ୍କ ପାଇଁ ମଧ୍ୟ ବିପୁଳ ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଇନଭେଷ୍ଟର୍ସ ମିଟ୍ ରେ ୫ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି ଏବଂ ଏହାଦ୍ୱାରା ୩.୫ ଲକ୍ଷରୁ ଅଧିକ ନିଯୁକ୍ତି ସମ୍ଭାବନା ମଧ୍ୟ ସୃଷ୍ଟି ହେବ।  ୧୦୦ଟି ଅଧିକ ନିବେଶକ ଏମଓୟୁ କରିବାର କାର୍ୟ୍ୟକ୍ରମ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଜାନୁଆରି ୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଉଦ୍‌ଘାଟନ କରିବେ। ଗତ ୭ ମାସ ମଧ୍ୟରେ ଓଡିଶାକୁ ଏହା ତାଙ୍କର ପଞ୍ଚମ ଗସ୍ତ ହେବ। ଓଡ଼ିଶାରେ ପୁଞ୍ଜିନିବେଶ ପ୍ରତି ତାଙ୍କର ସ୍ୱତନ୍ତ୍ର ଧ୍ୟାନ ରହିଛି ଏବଂ ଓଡିଶା ଏକ ବିପୁଳ ସମ୍ଭାବନାର ରାଜ୍ୟ ଭାବେ ଅଗ୍ରସର ହେଉଛି। 

ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ୍ ଏବଂ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ମେକ୍‌ ଇନ୍‌ ଓଡ଼ିଶା ୱେବସାଇଟରେ ୭୫୦୦ରୁ ଅଧିକ ଡେଲିଗେଟ ପଞ୍ଜୀକରଣ କରିଛନ୍ତି। ଏଥିରେ ୨୦ଟିରୁ ଅଧିକ ଦେଶର ୧୦୦ରୁ ଅଧିକ ଆନ୍ତର୍ଜାତିକ ଡେଲିଗେଟ୍ ଅଛନ୍ତି। ସିଙ୍ଗାପୁର, ଅଷ୍ଟ୍ରେଲିଆ ଓ ମାଲେସିଆ ପରି ଆମର ପାର୍ଟନର ଦେଶ ମାନଙ୍କରୁ ଅଧିକ ଡେଲିଗେଟ୍ ଆସିବାର ସମ୍ଭାବନା ଅଛି।

-ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ

ଏହି କନକ୍ଲେଭରେ ଏକ ‘ମେକ୍ ଇନ୍ ଓଡିଶା ଏକ୍ସପୋ’ ମଧ୍ୟ ଅନୁଷ୍ଠିତ ହେବ। ପ୍ରାୟ ୧୫୦ ଜଣ ଏକ୍ସିଭିଟର ସେମାନଙ୍କର ପ୍ରଡକ୍ଟ , ସର୍ଭିସ୍ ଓ ଇନୋଭେସନ ଆଦି ପ୍ରଦର୍ଶନ କରିବେ। ୨୮-୨୯, ଦୁଇ ଦିନ ଧରି ଏହା କେବଳ ଡେଲିଗେଟ୍‌ମାନଙ୍କ ପାଇଁ ଖୋଲା ରହିବ। ୩୦ ତାରିଖ ଦିନ ଏହାକୁ ସର୍ବସାଧାରଣଙ୍କ ପାଇଁ ଖୋଲା ରଖାଯିବ। ଏହାସହିତ ଷ୍ଟାର୍ଟ ଅପ୍ ଓଡିଶା, ସ୍କିଲଡ୍ ଇନ୍ ଓଡିଶା ଓ ସୁଭଦ୍ରା ଜରିଆରେ ମହିଳା ଉଦ୍ୟୋଗୀକରଣ ପରି  ତିନୋଟି ଥିମାଟିକ୍ ସେସନ ମଧ୍ୟ ଅନୁଷ୍ଠିତ ହେବ ବୋଲି ଶ୍ରୀ ମାଝୀ କହିଛନ୍ତି।  

ମୁଖ୍ୟମନ୍ତ୍ରୀ କହିଛନ୍ତି, ସମାରୋହରେ ବିଭିନ୍ନ ରାଉଣ୍ଡ ଟେବୁଲ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ‘ମହିଳାଙ୍କ ନେତୃତ୍ୱ ରାଉଣ୍ଡଟେବୁଲ’, ‘ସି.ଇ.ଓ ରାଉଣ୍ଡଟେବୁଲ’ ଓ ‘ଏଡିଟର୍ସ ରାଉଣ୍ଡଟେବୁଲ’ ଆଦି ଆଲୋଚନା ଜରିଆରେ ଶିଳ୍ପଦ୍ୟୋଗୀ ଓ ବିଶେଷଜ୍ଞ ମାନଙ୍କ ମଧ୍ୟରେ ଜ୍ଞାନର ଆଦାନ ପ୍ରଦାନ ହେବ। ଏହାସହିତ ରାଜ୍ୟ ସଂସ୍କୃତି ବିଭାଗ ଦ୍ୱାରା ବିଶିଷ୍ଟ ଓଡିଶୀ ନୃତ୍ୟ ଶିଳ୍ପୀ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ନୃତ୍ୟ ପ୍ରଦର୍ଶନ, ଡ୍ରୋନ ସୋ ଆଦି ଅନ୍ୟାନ୍ୟ କାର୍ୟ୍ୟକ୍ରମର ମଧ୍ୟ ବ୍ୟବସ୍ଥା କରାଯାଇଛି।ଏହି ଅବସରରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *