ପ୍ରସ୍ତାବିତ ବନ୍ଦର କୁ ବିସ୍ଥାପିତ ଙ୍କ ତୀବ୍ର ବିରୋଧ 
1 min read

ପ୍ରସ୍ତାବିତ ବନ୍ଦର କୁ ବିସ୍ଥାପିତ ଙ୍କ ତୀବ୍ର ବିରୋଧ 

ଅସ୍ତରଙ୍ଗ/ଭୁବନେଶ୍ୱର ୨୩-୦୧-୨୦୨୫(ପିପିଏସ ) : ପୁରୀ ଜିଲ୍ଲା ଅସ୍ତରଙ୍ଗ ରେ ପ୍ରସ୍ତାବିତ ବନ୍ଦରକୁ ନେଇ ବିରୋଧ ସ୍ୱର ତୀବ୍ର ହେବାରେ ଲାଗିଛି। ପ୍ରସ୍ତାବିତ ବନ୍ଦରକୁ ଅଞ୍ଚଳବାସୀ ବିରୋଧ କରିଛନ୍ତି। ଏଠାରେ ବନ୍ଦର ପ୍ରତିଷ୍ଠା ହେଲେ ସ୍ଥାନୀୟ ଲୋକେ ଭିଟାମାଟି ହରାଇବେ ଏବଂ ଜୈବ ବିବିଧତା ପ୍ରତି ବିପଦ ସୃଷ୍ଟି ହେବ। ତେଣୁ ମରିବୁ ପଛେ ଭିଟାମାଟି ଛାଡ଼ିବୁ ନାହିଁ କି ଏଠାରେ କୌଣସି ପରିସ୍ଥିତିରେ ବନ୍ଦର ପ୍ରତିଷ୍ଠା ହେବାକୁ ଦେବୁ ନାହିଁ ବୋଲି ରୋକଠୋକ ଶୁଣାଇଛନ୍ତି ଅଞ୍ଚଳବାସୀ। ପୂର୍ବରୁ ସେପ୍ଟେମ୍ବର ୧୩ରେ ଜନଶୁଣାଣି ହୋଇଥିବା ବେଳେ ମଙ୍ଗଳବାର ଅସ୍ତରଙ୍ଗ ବ୍ଲକ ଛୁରିଆନା ପଂଚାୟତ ପୀରଜାହାନିଆ ଠାରେ ଓ ଗୁରୁବାର ଦିନ ସୁନ୍ଦର ସ୍ଥିତ ସୁରେନ୍ଦ୍ରନାଥ ନୋଡାଲ ବିଦ୍ୟାପୀଠ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତାବିତ ବନ୍ଦର ପାଇଁ ୩ୟ ପର୍ଯ୍ୟାୟ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । କିନ୍ତୁ ସ୍ଥାନୀୟ ଅଞ୍ଚଳବାସୀ ତଥା ବିସ୍ଥାପିତ ଅଞ୍ଚଳର ହଜାର ହଜାର ପୁରୁଷ, ମହିଳା ସମେତ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ବନ୍ଦରକୁ ବିରୋଧ କରି କଣମଣ ଛକ ଠାରୁ ସୁନ୍ଦର ସ୍କୁଲ ପର୍ଯ୍ୟନ୍ତ ପ୍ଲାକ କାର୍ଡ ଧରି ବିଶାଳ ପଦଯାତ୍ରା ମାଧ୍ୟ୍ୟମରେ ରାଲି କରି ସଭାସ୍ଥଳରେ ପହଂଚିଥିଲେ।

ସୂଚନା ମୁତାବକ, ଅସ୍ତରଙ୍ଗ ଠାରେ ମଲ୍ଟି ୟୁଜର ଗ୍ରୀନଫିଲ୍ଡି ବନ୍ଦର ସ୍ଥାପନ ନିମନ୍ତେ ଓଡିଶା ସରକାର ଏବଂ ନବଯୁଗ ଇଞ୍ଜିନିୟରିଂ କମ୍ପାନୀ ମଧ୍ୟରେ ଚୁକ୍ତି ସ୍ଵାକ୍ଷରିତ ହୋଇଛି। ଲିଜ ସୂତ୍ରରେ ମୋଟ ୩୮୯୯. ୯୮୭ଏକର ଜମିରେ ବନ୍ଦର ସ୍ଥାପନ କରାଯିବ। ସମୁଦାୟ ପ୍ରକଳ୍ପର ମୂଲ୍ୟ ୭୪୧୭କୋଟି ରହିଛି। ଏ ନେଇ ୩ୟ ପର୍ଯ୍ୟାୟ ରେ ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ସୁରେନ୍ଦ୍ରନାଥ ନୋଡାଲ ବିଦ୍ୟାଳୟ ପରିସରରେ ପ୍ରଶାସନ ପକ୍ଷରୁ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା। ଏଥିରେ ପୁରୀ ଅତିରିକ୍ତ ଜିଲ୍ଲାପାଳ (ରାଜ୍ଵସ )ଶରତ ଚନ୍ଦ୍ର ମହାପାତ୍ର, ରାଜ୍ୟ ପ୍ରଦୂଷଣ ବୋର୍ଡ ଆଞ୍ଚଳିକ ଅଧିକାରୀ ଡଃ ସୋହନ ଗିରି, ଉପନିର୍ଦ୍ଧେଶକ ସୌମେନ୍ଦ୍ରନାଥ ମହାନ୍ତି, ସହାୟକ ପରିବେଶ ବୈଜ୍ଞାନିକ ସୋମ୍ୟରଞ୍ଜନ ମଲ୍ଲିକ, ଭୂଅର୍ଜନ ଅଧିକାରୀ ପ୍ରଶାନ୍ତ କୁମାର ଜେନା, ସ୍ୱତନ୍ତ୍ର ଭୂ ଅର୍ଜନ ଅଧିକାରୀ କୈବଲ୍ୟ କୁମାର କର, ଅସ୍ତରଙ୍ଗ ତହସିଲିଦାର ପ୍ରିୟଙ୍କା ପ୍ରିୟଦର୍ଶନୀ ପତି, ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରିଣୀ ମୋନାଲିସା ମହାପାତ୍ର, ଅତିରିକ୍ତ ଏସ୍ପି ବିଷ୍ଣୁପ୍ରସାଦ ପତି ପ୍ରମୁଖ ଉପସ୍ଥିତ ଥିଲେ।ଜନ ଶୁଣାଣିରେ ପାଖାପାଖି ୪୦ଜଣ ରୁ ଉର୍ଦ୍ଧ ବ୍ୟକ୍ତି ବିଶେଷ ନିଜର ମତ ସାବ୍ୟସ୍ତ କରିଥିଲେ। ବନ୍ଦର ସ୍ଥାପନ ହେଲେ ସ୍ଥାନୀୟ ଅଞ୍ଚଳବାସୀ ନିଜ ଜୀବନ ଜୀବିକା ସ୍ଥାନୀୟ ନଦୀ ଉପରେ ନିର୍ଭର କରି ବଂଚୁଥିବା ବେଳେ ଧାନ, ପାନ ଓ ମୀନ ଉପରେ ନିର୍ଭର କରି ନିଜର ପରିବାର ଗୁଜୁରାଣ ମେଣ୍ଟାଈଥାନ୍ତି। କିନ୍ତୁ ବନ୍ଦର ସ୍ଥାପିତ ହେଲେ ବିସ୍ଥାପିତ ଜୀବନ ଜୀବିକା ହରାଇବେ।ଜୈବ ବିବିଧତା ଓ ପରିବେଶ ସୁରକ୍ଷା ସହ ଅଲିଭି ରିଡ଼ଲେ କଇଁଛଙ୍କ ଅଣ୍ଡାଦାନ ପାଇଁ ପ୍ରଶାସନ ଦୃଷ୍ଟିଦେବାକୁ ସହ ପ୍ରସ୍ତାବିତ ବନ୍ଦର ଦ୍ୱାରା ଅଲିଭି ରିଡଲେ କଇଁଛଙ୍କ ଅଣ୍ଡାଦାନ ବାଧା ପ୍ରାପ୍ତ ହେବା ସହିତ ଜୈବବିବିଧତା ଓ ପରିବେଶ ପ୍ରଭାବିତ ହେବ। ପୀରଜାହାନିଆ ଭିଟାମାଟି ସୁରକ୍ଷା ମଞ୍ଚ ତରଫରୁ ହଜାର ହଜାର ଲୋକ ତୀବ୍ର ବିରୋଧ କରି ସଭାସ୍ଥଳରେ ପହଂଚିଥିଲେ। ଏଥିରେ ୧୨ଟି ଗ୍ରାମର ଅଧିବାସୀ ତଥା ବିସ୍ଥାପିତ ହେବାକୁ ଥିବା ଲୋକେ ଏକତ୍ର ହୋଇ ବନ୍ଦର ବିରୋଧରେ ନିଜ ଅଭିଭାଷଣରେ ମତ ରଖିଥିଲେ। ଏଠାରେ ବନ୍ଦର ହେଲେ ଭିଟାମାଟି ହରାଇବୁ। ତେଣୁ ଜୀବନ ପଛେ ଚାଲିଯିବ କିନ୍ତୁ ନିଜ ଭିଟାମାଟି ଛାଡ଼ିବୁ ନାହିଁ। ଏଥିଲାଗି ଜୀବନ ଶେଷ ରକ୍ତ ବିନ୍ଦୁ ଥିବା ଯାଏ ଲଢ଼ିବୁ ସେମାନେ କହିଥିଲେ। ଏହି ସମାବେଶକୁ ଆଇନିଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପ୍ରଶାସନ ତରଫରୁ ନିମାପଡା ଉପଖଣ୍ଡ ଅଧିକାରୀ ପ୍ରଭାତ କୁମାର ମଲ୍ଲିକ, କାକଟପୁର ଥାନାଅଧିକାରୀ ଉମେଶ କୁମାର ସାହୁ, ଅସ୍ତରଙ୍ଗ ଥାନା ଅଧିକାରୀ ରାଜେଶ ବଳିୟାର ସିଂ, ନୂଆଗଡ ସାମୁଦ୍ରିକ ଥାନାଅଧିକାରୀ ଅଚ୍ୟୁତାନନ୍ଦ ବେହେରା, ହେଡ଼କ୍ଵାଟର ଥାନା ଅଧିକାରିଣୀ କବିତା ସାହୁ ଙ୍କ ସହ ଚାରି ପ୍ଲାଟୁନୁ ପୁଲିସ ଫୋର୍ସ ମୁତୟନ ହୋଇଥିଲେ। ଏହା ସହିତ ବିଭିନ୍ନ ଦଳର ରାଜନେତା ସାମିଲ ହୋଇସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ପ୍ରସ୍ତାବିତ ବନ୍ଦର କୁ ବିରୋଧ କରିଥିଲେ । ଏ ନେଇ ଶେଷରେ ଅତିରିକ୍ତ ଜିଲ୍ଲାପାଳ (ରାଜ୍ଵଶ )ଶରତ ଚନ୍ଦ୍ର ମହାପାତ୍ର କହିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ଲିଖିତ ସହ ନିଜ ଅଭିଭାଷଣ ରେ ମତାମତ ଦେଇଛନ୍ତି, ଆଉ ଜନଶୁଣାଣୀ ହେବ ନାହିଁ। କୋର୍ଟ ଙ୍କ ନିର୍ଦ୍ଧେଶ ଥିଲା ୨ରୁ ୩ଟି ଜନଶୁଣାଣୀ କରିବା ପାଇଁ ଆମେ ୨ଟି ଜନଶୁଣାଣୀ ଶେଷ କରିଛୁ।

Leave a Reply

Your email address will not be published. Required fields are marked *