ଏସ୍‌ସିବିରେ ଝୁଣ୍ଟୁଛି ମୋତିଆବିନ୍ଦୁ ଅସ୍ତ୍ରୋପଚାର
1 min read

ଏସ୍‌ସିବିରେ ଝୁଣ୍ଟୁଛି ମୋତିଆବିନ୍ଦୁ ଅସ୍ତ୍ରୋପଚାର

୫ ବର୍ଷ ହେଲା ଫେକୋ ମେସିନ୍‌, ଭିଜୁଆଲ ପେରିମିଟର୍‌ ଅଚଳ

କଟକ ୧୬-୦୧-୨୦୨୫(ପିପିଏସ) : ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଚକ୍ଷୁ ବିଭାଗରେ ଏବେ ସ୍ବାଭାବିକ ଭାବେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ବି ସମ୍ଭବ ହେଉନି। ମୋତିଆବିନ୍ଦୁର ଅତ୍ୟାଧୁନିକ ଅସ୍ତ୍ରୋପଚାର ପାଇଁ ବ୍ୟବହାର ହେଉଥିବା ଫେକୋ ମେସିନ୍ ୫ବର୍ଷ ହେଲା ଅଚଳ ହୋଇପଡ଼ିଛି। ଏହି ମେସିନ୍‌କୁ ସଜଡ଼ା ଯାଇପାରୁନି କି ହୋଇଥିବା ଟେଣ୍ଡର ଅନୁସାରେ ନୂଆ ମେସିନ୍‌ ଆସିପାରୁନି। ଫଳରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଘରୋଇ ହସ୍ପିଟାଲ ଉପରେ ଭରସା କରିବାକୁ ବାଧ୍ୟ ହେଉଛନ୍ତି ସାଧାରଣ ରୋଗୀ ଓ ସଂପର୍କୀୟ। ଏସ୍‌ସିବିକୁ ପାଖାପାଖି ୮ ବର୍ଷ ପୂର୍ବରୁ ଫେକୋ ମେସିନ୍‌ ଆସିଥିଲା। ମେସିନ୍‌ ଆସିବାର ୩ ବର୍ଷ ଭିତରେ ତାହା ଭାଙ୍ଗିଗଲା। ଏବେ ଏହାକୁ ମରାମତି କରିବା ସମ୍ଭବପର ନୁହେଁ ବୋଲି କୁହାଯାଉଛି। ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ସହିତ ଅନୁବନ୍ଧିତ କେଟିପିଏଲ୍‌ ସଂସ୍ଥାକୁ ଚିଠି କରାଯାଇଥିଲେ ବି ଏହାର ମରାମତି ହୋଇପାରୁନି। ଅନ୍ୟପଟେ ରାଜ୍ୟରେ ଖୋଲିଥିବା ଅନ୍ୟ ନୂଆ ମେଡିକାଲ କଲେଜ ସହ ଏସ୍‌ସିବିକୁ ଫେକୋ ମେସିନ୍‌ ଯୋଗାଣ ଲାଗି ବର୍ଷକ ତଳେ ଟେଣ୍ଡର କରାଯାଇଥିଲା। କିନ୍ତୁ ଏଯାଏଁ ନୂଆ ମେସିନ୍‌ ବି ଆସିପାରୁନି। ଅନ୍ୟପଟେ ୫ବର୍ଷ ହେଲା ଏସ୍‌ସିବି ଚକ୍ଷୁ ବିଭାଗରେ ଭିଜୁଆଲ୍‌ ପେରିମିଟର ଖରାପ ହୋଇ ପଡ଼ିଥିଲେ ବି ତାର ମରାମତି ହେଉନି କି ନୂଆ ଉପକରଣ ଆସିପାରୁନି। ଏ ସଂପର୍କରେ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପରେ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରି ତୁରନ୍ତ ଏହାକୁ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ଆଧାରରେ ଓଏସ୍‌ଏମ୍‌ସିଏଲ୍‌ ପକ୍ଷରୁ ଜୁନ୍‌ ସୁଦ୍ଧା ଏସ୍‌ସିବି ଚକ୍ଷୁ ବିଭାଗକୁ ଭିଜୁଆଲ୍‌ ପେରିମିଟର ଯୋଗାଣ କରାଯିବ ବୋଲି ଅଧୀକ୍ଷକଙ୍କୁ ଚିଠି ଆସିଥିବା ଜଣାପଡ଼ିଛି। 

ଏସ୍‌ସିବି ଚକ୍ଷୁ ବିଭାଗକୁ ୨୦୧୨ରୁ ରାଜ୍ୟର ଆଞ୍ଚଳିକ ଚକ୍ଷୁ ପ୍ରତିଷ୍ଠାନ ମାନ୍ୟତା ମିଳିଛି। କିନ୍ତୁ ବିଭାଗରେ ଯେଉଁ ଉପକରଣ ଖରାପ ହେଉଛି ତାହାର ମରାମତି ହେଉନି କି ନୂଆ ମେସିନ୍‌ ପାଇଁ ବାରମ୍ବାର ଚିଠି କରାଯାଉଥିଲେ ବି ତାହା ଆସୁନି। ଅନେକ ଉପରକଣ ବି ବ୍ୟବହାର ନ ହୋଇ ପଡ଼ିରହିଛି। ଏଭଳି ସ୍ଥିତିରେ ଏସ୍‌ସିବିରେ ମୋତିଆବିନ୍ଦୁ ସହ ଅନ୍ୟ ଚକ୍ଷୁ ସଂପର୍କିତ ଅସ୍ତ୍ରୋପଚାର ହାର ହ୍ରାସ ପାଇବାରେ ଲାଗିଛି। ବର୍ଷବର୍ଷ ଧରି ମେସିନ୍‌ ଅଚଳ ହୋଇପଡୁଥିବା ବେଳେ ଏହାକୁ ଜାଣିଶୁଣି ସଜଡ଼ା ଯାଉନଥିବା ଅଭିଯୋଗ ହେଉଛି। ଯାହାକି ରୋଗୀଙ୍କୁ ଘରୋଇ ହସ୍ପିଟାଲମୁହାଁ ହେବାକୁ ବାଧ୍ୟ କରିବ ବୋଲି କୁହାଯାଉଛି। ଏସ୍‌ସିବିର ବରିଷ୍ଠ ବିଶେଷଜ୍ଞଙ୍କ କହିବା କଥା ହେଲା ଯେ ବାରମ୍ବାର ଚିଠି କରାଯାଉଥିଲେ ବି କେହି ଶୁଣୁନାହାନ୍ତି।

Leave a Reply

Your email address will not be published. Required fields are marked *