ପୂର୍ବତଟ ରେଳପଥର ଘୋଷଣା: କୁମ୍ଭମେଳାକୁ ଓଡ଼ିଶାରୁ ଗଡ଼ିବ ୭ଟି ସ୍ବତନ୍ତ୍ର ଟ୍ରେନ୍
ରାତି ପାହିଲେ ତୀର୍ଥରାଜ ପ୍ରୟାଗରାଜ କୁମ୍ଭମେଳା-୨୦୨୫ ଆରମ୍ଭ ହେବ। ସୂର୍ଯ୍ୟୋଦୟ ପର୍ବରୁ ସାଧୁସନ୍ଥମାନେ ପବିତ୍ର ଗଙ୍ଗାନଦୀରେ ବୁଡ଼ ପକାଇବେ। ଏଥି ସହିତ ଦେଶ-ବିଦେଶରୁ ଜୁଟିଥିବା ଶ୍ରଦ୍ଧାଳୁମାନେ ମଧ୍ୟ ଶ୍ରଦ୍ଧାର ବୁଡ଼ ପକାଇବେ।
ଭୁବନେଶ୍ୱର ୧୨-୦୧-୨୦୨୫( ପିପିଏସ) : ରାତି ପାହିଲେ ତୀର୍ଥରାଜ ପ୍ରୟାଗରାଜ କୁମ୍ଭମେଳା-୨୦୨୫ ଆରମ୍ଭ ହେବ। ସୂର୍ଯ୍ୟୋଦୟ ପର୍ବରୁ ସାଧୁସନ୍ଥମାନେ ପବିତ୍ର ଗଙ୍ଗାନଦୀରେ ବୁଡ଼ ପକାଇବେ। ଏଥି ସହିତ ଦେଶ-ବିଦେଶରୁ ଜୁଟିଥିବା ଶ୍ରଦ୍ଧାଳୁମାନେ ମଧ୍ୟ ଶ୍ରଦ୍ଧାର ବୁଡ଼ ପକାଇବେ। ଆସନ୍ତା ଫେବ୍ରୁଆରି ୨୬ ତାରିଖ ଯାଏଁ ଜାରି ରହିବାକୁ ଥିବା ପବିତ୍ର କୁମ୍ଭମେଳା ପାଇଁ ଓଡ଼ିଶା ସରକାର ମଧ୍ୟ ଭକ୍ତମାନଙ୍କର ଆବଶ୍ୟକତା ଉପରେ ନଜର ରଖିଛନ୍ତି। ଓଡ଼ିଶା ସରକାର ରାଜ୍ୟରୁ ପ୍ରୟାଗରାଜ ପାଇଁ ଯାତ୍ରୀବାହୀ ବସ୍ର ଶୁଭାରମ୍ଭ କରିଥିବା ବେଳେ ପୂର୍ବତଟ ରେଳବାଇ ମଧ୍ୟ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଟ୍ରେନ୍ ଚଳାଉଛନ୍ତି।
ପୂର୍ବତଟ ରେଳପଥର ପକ୍ଷରୁ କୁହାଯାଇଛି ଯେ, କୁମ୍ଭମେଳା ପାଇଁ ୭ଟି ସ୍ପେଶାଲ ଟ୍ରେନ୍ ଗଡ଼ିବ। କୁମ୍ଭମେଳା ଯିବାକୁ ଭୁବନେଶ୍ୱର-ତନ୍ଦୁଲା-ଭୁବନେଶ୍ୱର କୁମ୍ଭମେଳା ସ୍ପେଶାଲ ଟ୍ରେନ୍ ଗଡ଼ିବ। ଏହି ଟ୍ରେନଟି ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦୁଝର ଜିଲ୍ଲା ଦେଇ ଯିବ। ଟିଟିଲାଗଡ଼-ତନ୍ଦୁଲା-ଟିଟିଲାଗଡ଼ କୁମ୍ଭମେଳା ସ୍ପେଶାଲ ଟ୍ରେନ। ଏହି ଟ୍ରେନଟି ବଲାଙ୍ଗିର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଦେଇ ଯାତ୍ରା କରିବ।
ବିଶାଖାପାଟଣା-ଡିଡିୟୁ-ବିଶାଖାପାଟଣା କୁମ୍ଭମେଳା ସ୍ପେଶାଲ ଟ୍ରେନ। ଏହା ରାୟଗଡ଼ା, ବଲାଙ୍ଗିର ଓ ନୂଆପଡ଼ା ଦେଇ ଯିବ। ବିଶାଖାପାଟଣା-ଗୋରଖପୁର- ବିଶାଖାପାଟଣା କୁମ୍ଭମେଳା ସ୍ପେଶାଲ ଟ୍ରେନ। ଏହି ଟ୍ରେନଟି ଗଞ୍ଜାମ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା ଦେଇ ଯାତ୍ରା କରିବ। ତିରୁପତି-ବନାରସ- ତିରୁପତି କୁମ୍ଭମେଳା ସ୍ପେଶାଲ ଟ୍ରେନ। ଏହି ଟ୍ରେନଟି ରାୟଗଡ଼ା, ବଲାଙ୍ଗିର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲ ଦେଇ ଯାତ୍ରା କରିବ। ଏନଏସ-ବନାରସ୍-ଏନଏସ କୁମ୍ଭମେଳା ସ୍ପେଶାଲ ଟ୍ରେନ। ଏହି ଟ୍ରେନଟି ରାୟଗଡ଼ା, ବଲାଙ୍ଗିର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲା ଦେଇ ଯାତ୍ରା କରିବ।