ସାନଭାଇ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ବଡ଼ଭାଇର ମୃତ୍ୟୁ

ମୁନିଗୁଡ଼ା/ଭୁବନେଶ୍ୱର ୧୧-୦୧-୨୦୨୫(ପିପିଏସ ) : ସାନଭାଇର ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ନିଜେ ହତ୍ୟାର ଶିକାର ହେଲେ ଡଙ୍ଗରିଆ ଯୁବକ ଡ୍ରୁକୁ ଶିକକା। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ମୁନିଖୋଲ ଅନ୍ତର୍ଗତର କୁଲେରିପଟା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଗାଁ ନିକଟସ୍ଥ ଡିମ୍ବୁଲିପଟା ଜଙ୍ଗଲ ମଧ୍ୟରେ ପ୍ରତିଶୋଧକୁ ନେଇ ଘଟିଯାଇଛି ଏକ ବୀଭତ୍ସ ହତ୍ୟାକାଣ୍ଡ।ସୂଚନା ଅନୁଯାୟୀ ୨୦୨୧ ମସିହା ଜାନୁଆରି ୧୪ ତାରିଖ ଦିନ ଉକ୍ତ ଗ୍ରାମର ଲଗାଡ଼ି ସିକକା(୩୦)ଙ୍କୁ ହତ୍ୟା କରାଯାଇଥିଲା। ଘଟଣା ପରେ ମୁନିଗୁଡ଼ା ଥାନା ଏକ ମାମଲା ରୁଜୁ କରି ତଦନ୍ତ ପରେ ହତ୍ୟା ଅଭିଯୋଗରେ ସେହି ଗ୍ରାମର ମାଣି ଶିକକା ଓ ସୁଟେ ସିକକାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ହେଲେ କଥା ସେଇଠି ଥମି ନଥିଲା। ମୃତକ ଲଗାଡି ସିକକାର ବଡ଼ଭାଇ ଡ୍ରୁକୁ ଶିକକା(୩୫) ସାନ ଭାଇ ହତ୍ୟାର ପ୍ରତିଶୋଧ ନେବାପାଇଁ ସେବେଠାରୁ ସମୟ ଓ ସ୍ଥାନ ଖୋଜୁଥିଲା।

ହତ୍ୟାର ପ୍ରତିଶୋଧ ନେବା ପାଇ ସମ୍ପର୍କିୟ ଭାଇ ବଟୁକୁ ହତ୍ୟା କରିବାକୁ ସମୟ ଖୋଜୁଥିଲା ଡ୍ରୁକୁ। ମନରେ ଚିନ୍ତା କରିଥିଲା ଯେ, ସାନଭାଇର ହତ୍ୟାକାରୀର ବଂଶରୁ କାହାରିକୁ ହତ୍ୟା କରିବି। ଏହି କ୍ରମରେ ଗତ ୮ତାରିଖ ଦିନ ମାଣି ଶିକକାର ସଂପର୍କୀୟ ବଟକୁ ସିକାକା ନିଜ ସାଙ୍ଗ ଲଖନ ଶିକାକା ଡିମ୍ବୁଲି ପଟା ଜଙ୍ଗଲ ନିକଟସ୍ଥ ସଲପ ଗଛ ନିକଟରେ ବୁଧବାର ଦିନ ବୁଲୁଥିବା ବେଳେ ଡ୍ରୁକୁ ଶିକାକା ଏହାର ସୁଯୋଗ ନେଇ ହଠାତ୍ ଟାଙ୍ଗିଆ ସାହାଯ୍ୟରେ ସେମାନଙ୍କୁ ଆକ୍ରମଣ କରିବାକୁ ଆଗେଇ ଆସିଥିଲା। ବଟକୁ ସିକକା ହଠାତ୍ ଏଭଳି ଅଭାବନୀୟ ପରିସ୍ଥିତିକୁ ସାମନା କରିବାକୁ ଭୟଭୀତ ହୋଇ ସାଥିରେ ଥିବା ଲକ୍ଷ୍ମଣକୁ ସହାୟତା ପାଇଁ କହିଥିଲା। ଉଭୟ ପ୍ରତିଶୋଧ ପରାୟଣ ଡ୍ରୁକୁ ସିକକାକୁ କାବୁ କରିବାକୁ ଯାଇ ରାଗରେ ତା ହାତରୁ ଟାଙ୍ଗିଆ ଛଡ଼ାଇ ତାକୁ ଆକ୍ରମଣ କରିଥିଲେ।ଫଳରେ ଡ୍ରୁକୁର ବେକରେ ଗଭୀର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଘଟଣା ସ୍ଥଳରେ ତାର ଜୀବନ ଚାଲି ଯାଇଥିଲା। ପରେ ବଟୁକୁ ଓ ଲଖନ ଗାଁକୁ ଯାଇ ସମସ୍ତଙ୍କୁ ହତ୍ୟାକାଣ୍ଡ ବିଷୟରେ  ଜଣାଇଥିଲେ। ଗାଆଁର ନିଷ୍ପତ୍ତି କ୍ରମେ ମୁନିଗୁଡ଼ା ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଖବରପାଇ ଗାଁରେ ପହଞ୍ଚି ମୃତଦେହ ଜବତକରି ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରିବା ସହ ହତ୍ୟାକାରୀ ଦୁଇ ଜଣଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରିଥିଲା।

ମୁନିଗୁଡ଼ା ଥାନା ମାମଲା ରୁଜୁକରି ହତ୍ୟାକାରୀ ବଟକୁ ଓ ଲଖନକୁ କୋର୍ଟ ଚାଲାଣ କରାଯାଇଛି। ଏହି ହତ୍ୟାକାଣ୍ଡର ତଦନ୍ତ  ବିଷମକଟକ ଏସଡିପିଓ ସନ୍ତୋଷିନୀ ଓରାମଙ୍କ ନିର୍ଦ୍ଦେଶ ଓ ବିଷମକଟକ ଆଇଆଇସି ସୂର୍ଯ୍ୟ କୁମାର ପାଢ଼ୀଙ୍କ ନେତୃତ୍ବରେ ମୁନିଗୁଡ଼ା ଥାନା ତଦନ୍ତକାରୀ ଅଫିସର ସବ ଇନ୍ସପେକ୍ଟର ନରେନ୍ଦ୍ର କୁମାର ବେହେରା, ପ୍ରସନ୍ନ କୁମାର ନାୟକ, ସୁଶିଲ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ହୋଇଥିବା ଏସଡିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.