ପ୍ରମୁଖ ଖବର

ଚିଲିକାରେ ହେବ ପକ୍ଷୀ ମ୍ୟୁଜିୟମ୍‌:ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୦୭-୦୧-୨୦୨୫ (ପିପିଏସ ) : ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଚିଲିକାର ସ୍ୱତନ୍ତ୍ର ସ୍ଥାନ ରହିଛି। ଭୌଗୋଳିକ ଅବସ୍ଥିତି ତଥା ଅନୁକୂଳ ପରିବେଶ ପାଇଁ କେଉଁ କାଳରୁ ଚିଲିକା ଏକ ପକ୍ଷୀ ତୀର୍ଥ ପାଲଟିଛି। ଦକ୍ଷିଣ ଆଫ୍ରିକାର ଭିକ୍ଟୋରିଆ ହ୍ରଦ ପରେ ଚିଲିକା ବିଶ୍ୱର ଦ୍ୱିତୀୟ ବୃହତ୍ତମ ପକ୍ଷୀ ହ୍ରଦ ଭାବରେ ସାରା ବିଶ୍ୱରେ ପରିଚିତ। ଶୀତଦିନରେ ବିଶ୍ବର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଲକ୍ଷାଧିକ ପକ୍ଷୀ ଚିଲିକାର ନୈସର୍ଗିକ ଶୋଭାକୁ ଆହୁରି ଋଦ୍ଧିମନ୍ତ କରିଥାନ୍ତି।  ତାହାକୁ ନଜରରେ ରଖି ଏକ ପକ୍ଷୀ ସଂଗ୍ରହାଳୟ କରିବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଚିଲିକା, ବରକୂଳ କିମ୍ବା ନଳବଣରେ ଏହି ସଂଗ୍ରହାଳୟ ପ୍ରତିଷ୍ଠା ନେଇ ଆଲୋଚନା ଚାଲିଛି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ସହ ପର୍ଯ୍ୟଟନ ବିଭାଗ ମିଶି ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରୁଛନ୍ତି ବୋଲି ଜାତୀୟ ଚିଲିକା ବିହଙ୍ଗ ଉତ୍ସବକୁ ଉଦ୍‌ଘାଟନ ଅବସରରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।

ଚିଲିକା, ବରକୂଳ, ନଳବଣରେ ଜାଗା ଖୋଜାଚାଲିଛି
ସୌରଶକ୍ତି ଚାଳିତ ଡଙ୍ଗା ବ୍ୟବସ୍ଥା ଉପରେ ଗୁରୁତ୍ବ

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଏସିଆର ସର୍ବବୃହତ ଲୁଣିଆ ଜଳ ହ୍ରଦ ଚିଲିକା ଜୈବ ବିବିଧତାରେ ପରିପୂର୍ଣ୍ଣ। କେବଳ ଆମ ରାଜ୍ୟ କାହିଁକି, ସାରା ବିଶ୍ୱର ଆର୍ଦ୍ରଭୂମିଗୁଡ଼ିକ ମଧ୍ୟରେ ଚିଲିକାର ସ୍ଥାନ ସ୍ୱତନ୍ତ୍ର। ଚିଲିକା ହ୍ରଦ ଓଡ଼ିଶା ପର୍ଯ୍ୟଟନର ଆତ୍ମା କହିଲେ ଅତ୍ୟୁକ୍ତି ହେବ ନାହିଁ। ଶୀତ ଋତୁରେ ୧୧ ଲକ୍ଷରୁ ଊର୍ଦ୍ଧ୍ବ ପକ୍ଷୀଙ୍କ ସମାଗମ ଏହି ହ୍ରଦର ପରିବେଶ ଓ ବାତାବରଣକୁ ଅତ୍ୟନ୍ତ ମନଲୋଭା କରେ। ପକ୍ଷୀପ୍ରେମୀ ପର୍ଯ୍ୟଟକଙ୍କ ପାଇଁ ମଙ୍ଗଳାଯୋଡ଼ି ଓ ଚିଲିକାର ନଳବଣ ଦ୍ୱୀପ ଅନନ୍ୟ ଆକର୍ଷଣ ରୂପେ ସାବ୍ୟସ୍ତ ହୋଇଛି ବୋଲି ସେ କହିଥିଲେ।
ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଅତିଥି ଭାବେ ଯୋଗଦେଇ କହିଲେ ଚିଲିକାର ଗୁରୁତ୍ୱ, ମହତ୍ତ୍ୱ ଓ ସୌନ୍ଦର୍ଯ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଜାତୀୟ ଚିଲିକା ବିହଙ୍ଗ ଉତ୍ସବର ଲକ୍ଷ୍ୟ। ସ୍ଥାନୀୟ ଲୋକେ ଚିଲିକା ହ୍ରଦ ଓ ଚିଲିକାକୁ ଆସୁଥିବା ପକ୍ଷୀଙ୍କ ସୁରକ୍ଷା ଦାୟିତ୍ୱ ନେବା ଜରୁରୀ। ଚିଲିକା ହ୍ରଦ ମଧ୍ୟରେ ସୌରଶକ୍ତି ଚାଳିତ ଡଙ୍ଗା ବ୍ୟବସ୍ଥା କରାଯିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଦେବୀଦତ୍ତ ବିଶ୍ୱାଳ ଚିଲିକା ହ୍ରଦକୁ ଓଡ଼ିଶାର ଅନୁପମ ପ୍ରାକୃତିକ ବିଭବ ତଥା ସୌନ୍ଦର୍ଯ୍ୟର ଗନ୍ତାଘର ବୋଲି ଅଭିହିତ କରି ବିହଙ୍ଗ ଉତ୍ସବ ପକ୍ଷୀ ପର୍ଯ୍ୟଟନକୁ ଅଧିକ ଆକର୍ଷଣୀୟ କରି ଗଢ଼ିତୋଳିବ ବୋଲି କହିଥିଲେ। ପିସିସିଏଫ୍‌(ବନ୍ୟପ୍ରାଣୀ) ପ୍ରେମ୍‌ କୁମାର ଝା ସ୍ୱାଗତ ଭାଷଣ ଏବଂ ନନ୍ଦନକାନନ ମୁଖ୍ୟ ବନ ସଂରକ୍ଷକ ତଥା ନିର୍ଦ୍ଦେଶକ ମନୋଜ ଭି ନାୟାର ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବିଭାଗ ଦ୍ୱାରା ପ୍ରସ୍ତୁତ ‘ବାର୍ଡ ଅଫ୍ ଚିଲିକା ଲେକ୍‌’ ପକେଟ୍ ଡାଏରି ଉନ୍ମୋଚନ ସହ ଚିତ୍ରାଙ୍କନ, ପୋଷ୍ଟର, କୁଇଜ୍ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପକ୍ଷୀ ବିଶାରଦ ଅସାଦ ରହମାନୀ ଓ ସୁରେଶ କୁମାରଙ୍କ ସହ ବନ୍ୟପ୍ରାଣୀ ଫଟୋଗ୍ରାଫର ଧ୍ରୀତିମାନ ମୁଖାର୍ଜୀଙ୍କୁ ଉପମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ପର୍ଯ୍ୟଟନ ସଚିବ ବଲୱନ୍ତ ସିଂ ଉପସ୍ଥିତ ଥିଲେ।

Prajatantra

The Prajatantra is a prominent Odia-language daily newspaper founded on July 4, 1947, and officially launched as a daily on August 8, 1947. Conceived by Dr. Harekrushna Mahtab, it is headquartered near the High Court in Chandinchowk, Cuttack. As a fierce symbol of struggle against feudalism and orthodoxy, it publishes daily editions, maintains a strong local presence, and runs digital news.The newspaper has played a pivotal role in shaping Odisha's history, championing causes like the amalgamation of princely states, the SRC movement, and the establishment of the capital at Bhubaneswar. The publication operates under The Prajatantra Prachar Samity, which also produces popular sister publications including: The Jhankar: A monthly literary journal. The Meenabazar: A monthly magazine for children. The Saptahiki: The largest circulated Odia news weekly.

Leave a Reply

Your email address will not be published. Required fields are marked *