ପ୍ରଜାତନ୍ତ୍ର ନ୍ୟୁଜ୍

ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

Advertisement

ଥାନା ସାମ୍ନାରେ ଅଭାବନୀୟ କାଣ୍ଡ

ପେଟ୍ରୋଲ୍‌ ଢାଳି ଦେହରେ ନିଆଁ ଲଗାଇଲେ ମହିଳା

କଟକ/ମାହାଙ୍ଗା ୧୭-୦୮-୨୪ (ପିପିଏସ ): କଟକ ଜିଲ୍ଲା ମାହାଙ୍ଗା ଥାନା ସମ୍ମୁଖରେ ଆଜି ଜଣେ ମହିଳା ନିଜ ଦେହରେ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ପ୍ରଥମେ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ସ୍ବାମୀଙ୍କୁ ଏକ ଚୋରି ମାମଲାରେ ଫସାଇ ଥାନାରେ ନିର୍ଯାତନା ଦିଆଯିବା ପ୍ରତିବାଦରେ ମହିଳାଜଣକ ଏଭଳି କରିଥିବା କହିଛନ୍ତି।ମାହାଙ୍ଗା ଥାନା ଅନ୍ତର୍ଗତ ଆନନ୍ଦପୁର ପଞ୍ଚାୟତ ଖର୍ତ୍ତାଙ୍ଗ ଗ୍ରାମର ଶଙ୍କର ଦାସଙ୍କୁ ଗୁରୁବାର ରାତିରେ ପୁଲିସ ଗିରଫ କରିଥିଲା। ଏକ ଚୋରି ମାମଲାର ତଦନ୍ତ ସମୟରେ ଶଙ୍କର ସମ୍ପୃକ୍ତ ଥିବା ଜଣାପଡ଼ିବା ପରେ ପୁଲିସ ଏହି ପଦକ୍ଷେପ ନେଇଥିଲା।

ଆଜି ତାଙ୍କ ପତ୍ନୀ ରଶ୍ମିତା ଦାସ (୩୪) ଥାନାରେ ପହଞ୍ଚି ଚୋରି ଘଟଣାରେ ଶଙ୍କର ସମ୍ପୃକ୍ତ ନାହାନ୍ତି ବୋଲି କହିବା ସହିତ ତାଙ୍କୁ ଛାଡ଼ିଦେବା ପାଇଁ ଅନୁରୋଧ କରିଥିଲେ। ହେଲେ ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକ ଓ ମହିଳା ଏସ୍‌ଆଇ ଇପ୍‌ସିତା ପ୍ରିୟଦର୍ଶିନୀ ତାଙ୍କ ଗୁହାରି ନ ଶୁଣି ସ୍ବାମୀଙ୍କୁ ନିର୍ଯାତନା ଦେଇଥିଲେ ବୋଲି ରଶ୍ମିତା ଅଭିଯୋଗ କରିଛନ୍ତି। ପରେ ରଶ୍ମିତା ଥାନା ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲାଗାଇ ଦେଇଥିଲେ। ଥାନା କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ରଶ୍ମିତାଙ୍କ ଶରୀରର ପ୍ରାୟ ୫୪ ପ୍ରତିଶତ ପୋଡ଼ି ଯାଇଥିବା ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଲିପ୍ସା ସୂଚନା ଦେଇଛନ୍ତି। ସାଲେପୁର ଏସ୍‌ଡିପିଓ ନିହାରରଞ୍ଜନ ପ୍ରଧାନ ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପଟେ ରଶ୍ମିତାଙ୍କ ସ୍ବାମୀ ଶଙ୍କର ଓ ତାଙ୍କ ସହଯୋଗୀ ନୁର୍ତ୍ତାଙ୍ଗ ଗ୍ରାମର ଶିଶିର କୁମାର ଜେନା ମିଛ ଚୋରି ମାମଲାରେ ସେମାନଙ୍କୁ ଫସାଇଛନ୍ତି ‌ଏବଂ ଥାନାରେ ସେମାନଙ୍କୁ ଥାର୍ଡ ଡିଗ୍ରି ଦିଆଯାଇଥିଲା ବୋଲି ଅଭିଯୋଗ କରିଛନ୍ତି। ଚୋରି ଘଟଣା ନେଇ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଶଙ୍କର, ତାଙ୍କ ସହଯୋଗୀ ଶିଶିର ଓ ଚୋରି ସାମଗ୍ରୀ କିଣିବା ଅଭିଯୋଗରେ ଟାଙ୍ଗୀ ଅଞ୍ଚଳର ସତ୍ୟବ୍ରତ ଦାସଙ୍କୁ କୋର୍ଟଚାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *