କନଷ୍ଟେବଳ ନିଯୁକ୍ତିରେ ବୟସ ସୀମା ୬ ବର୍ଷ କୋହଳ: ଓଡ଼ିଶା ହାଇକୋର୍ଟଙ୍କ ରାୟ
ଓଡ଼ିଶା ହାଇକୋର୍ଟ ଓଡ଼ିଶା ପୁଲିସ ବାହିନୀର ବିଭିନ୍ନ ବାଟାଲିୟନ୍ରେ ସିପାହୀ ଓ କନଷ୍ଟେବଳ ନିଯୁକ୍ତି ସମ୍ପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଏହା ଦ୍ବାରା ଆଶାୟୀଙ୍କୁ ବୟସ ସୀମାରୁ ବଡ଼ ଆଶ୍ୱସ୍ତି ମିଳିଛି
କଟକ,୦୬-୧୨-୨୦୨୪(ପିପିଏସ) : ଓଡ଼ିଶା ହାଇକୋର୍ଟ ଓଡ଼ିଶା ପୁଲିସ ବାହିନୀର ବିଭିନ୍ନ ବାଟାଲିୟନ୍ରେ ସିପାହୀ ଓ କନଷ୍ଟେବଳ ନିଯୁକ୍ତି ସମ୍ପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଏହା ଦ୍ବାରା ଆଶାୟୀଙ୍କୁ ବୟସ ସୀମାରୁ ବଡ଼ ଆଶ୍ୱସ୍ତି ମିଳିଛି। ସିପାହୀ ଓ କନଷ୍ଟେବଳ ପଦବୀ ପାଇଁ ଥିବା ଧାର୍ଯ୍ୟ ସର୍ବାଧିକ ବୟସ ସୀମା ୬ ବର୍ଷ କୋହଳ କରିବାକୁ ହାଇକୋର୍ଟ ରାୟ ଦେଇଛନ୍ତି । ତେବେ ଏହା କେବଳ ଚଳିତ ଥର ପାଇଁ ଲାଗୁ ହେବ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି।ହାଇକୋର୍ଟଙ୍କ ଏହି ରାୟ ପରେ ୨୨ ସେପ୍ଟେମ୍ବର ୨୦୨୪ରେ ୧୩୬୦ଟି ସିପାହୀ ଓ କନଷ୍ଟେବଳ ପଦବୀ ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ସର୍ବାଧିକ ବୟସ ସୀମା ୬ ବର୍ଷ କୋହଳ କରି ଓଡ଼ିଶା ପୁଲିସ ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।ସିପାହୀ ଓ କନଷ୍ଟେବଳ ପଦବୀ ପାଇଁ ଆବେଦନ କରିଥିବା ସମସ୍ତ ବର୍ଗର ପ୍ରାର୍ଥୀଙ୍କୁ ଏହି ସୁବିଧା ମିଳିବ। ୨୦୧୮ ମସିହାରେ ଶେଷ ଥର ପାଇଁ ଏହି ପଦବୀ ପାଇଁ ନିଯୁକ୍ତି ହୋଇଥିବା ବେଳେ କରୋନା ମାହାମାରୀ ଯୋଗୁ ପାଖାପାଖି ୬ ବର୍ଷ ଧରି ନିଯୁକ୍ତି ପାଇଁ ଆଉ ବିଜ୍ଞପ୍ତି ପ୍ରକାଶ ପାଇ ନ ଥିଲା।ଫଳରେ ସିପାହୀ ଓ କନଷ୍ଟେବଳ ପଦବୀ ପାଇଁଆବେଦନ କରିପାରି ନ ଥିବା ୪୯ ଜଣ ଆଶାୟୀ ଏକାଧିକ ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ପଦବୀ ପାଇଁ ଅପେକ୍ଷା କରିଥିବା ଆଶାୟୀ ଚଳିତ ବର୍ଷ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ସର୍ବାଧିକ ବୟସ ସୀମା କୋହଳ କରିବା ପାଇଁ ଦାବି କରିଥିଲେ।