ନାଟର ଗୋବର୍ଦ୍ଧନ ବିଡିଏ
ଡିସେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ବୈକୁଣ୍ଠଧାମ ଆଶ୍ରମକୁ ହାଇକୋର୍ଟରୁ ସୁରକ୍ଷା ମିଳିଛି। ତେବେ ଏହା ପୂର୍ବରୁ ଏହି ଜବରଦଖଲ ବାବଦରେ ତନାଘନା ଚାଲିଛି। କେଉଁ ପରିସ୍ଥିତିରେ ମୂଲ୍ୟବାନ ସରକାରୀ ଜମି ଜବରଦଖଲ ହୋଇଗଲା?
ଭୁବନେଶ୍ୱର ୦୫-୧୨-୨୦୨୪ (ପିପିଏସ) : ଡିସେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ବୈକୁଣ୍ଠଧାମ ଆଶ୍ରମକୁ ହାଇକୋର୍ଟରୁ ସୁରକ୍ଷା ମିଳିଛି। ତେବେ ଏହା ପୂର୍ବରୁ ଏହି ଜବରଦଖଲ ବାବଦରେ ତନାଘନା ଚାଲିଛି। କେଉଁ ପରିସ୍ଥିତିରେ ମୂଲ୍ୟବାନ ସରକାରୀ ଜମି ଜବରଦଖଲ ହୋଇଗଲା? ଜବରଦଖଲ ରୋକିବା ପାଇଁ ସରକାର ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ କିଭଳି ଏହାକୁ ରୋକି ହେଲା ନାହିଁ? ଏଭଳି ପ୍ରଶ୍ନର ଉତ୍ତର ଖୋଜିବା ବେଳେ ନାଟର ଗୋବର୍ଦ୍ଧନ ପଦାକୁ ଆସିଛି। ବାସ୍ତବରେ ଏହି ଘଟଣା ପାଇଁ ଦାୟୀ ହେଉଛି ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)। ବିବାଦ ହେବା ପରେ ଜମିରୁ ଉଚ୍ଛେଦ ସଜବାଜ ହୋଇଥିବା ବିଡିଏ ହିଁ ଏହି ଜବରଦଖଲ ପାଇଁ ପ୍ରୋତ୍ସାହିତ କରିଥିବା ପ୍ରମାଣ ମିଳିଛି। ଦାୟିତ୍ବ ହୀନତା ନୁହେଁ, ବରଂ ବିଡିଏ ଅଧିକାରୀ ଆଖି ବନ୍ଦ କରିଦେବା ଯୋଗୁ ଏହି ମୂଲ୍ୟବାନ ସମ୍ପତ୍ତି ଜବରଦଖଲ ହୋଇଯାଇଛି। ବସ୍ତି ଉନ୍ନୟନ ପ୍ରକଳ୍ପ ପାଇଁ ୨୦୧୫ ମସିହାରୁ ଏହି ଜମି ସାଧାରଣ ପ୍ରଶାସନ ବିଭାଗ ହସ୍ତାନ୍ତର କରିଥିଲେ ମଧ୍ୟ ଏହାକୁ ସୁରକ୍ଷା ଯୋଗାଇ ପାରିନି ବିଡିଏ।
ଘାଟିକିଆ ମୌଜା ଖାତା ନଂ. ୨୩୩୯(ଜିଏଡି) ପ୍ଲଟ୍ ନଂ ୯୦୩୭ ଓ ୯୦୩୮(ଆଂଶିକ ପ୍ଲଟ୍)ର ୧୪୦ ଡିସିମିଲ୍ ସରକାରୀ ଜମିରେ ବାବା ବୈକୁଣ୍ଠଧାମ ଆଶ୍ରମ ରହିଛି। ଦୀର୍ଘ ଦିନ ହେବ ଏହା ସୁରୁଖୁରୁରେ ଚାଲିଥିଲା। କିନ୍ତୁ କୁନି ବାବାଙ୍କ ପାଦ ତଳେ ତୁଳସୀ ଥିବା ଫଟୋ ଭାଇରାଲ ହେବା ପରେ ବିଭିନ୍ନ ସଙ୍ଗଠନ ପ୍ରତିବାଦ କରିବା ସହ ଭରତପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଆଶ୍ରମ ସରକାରୀ ଜମିରେ ଥିବା ଅଭିଯୋଗ ହେବା ପରେ ଭୁବନେଶ୍ବର ତହସିଲ୍ ଓ ବିଡିଏ କର୍ମଚାରୀଙ୍କ ଉପସ୍ଥିତିରେ ଜିଏ ମାପଚୁପ କରିଥିଲା। ସବୁ ଜାଣି ଅଧିକାରୀମାନେ ନଜାଣିବା ଅଭିନୟ କରୁଥିଲେ। ଶେଷରେ ଜିଏ ବିଭାଗ ବିଡିଏକୁ ଗତ ନଭେମ୍ବର ୧୯ ତାରିଖରେ ଆଶ୍ରମ ଉଚ୍ଛେଦ ପାଇଁ ଚିଠି ଲେଖିଲା। ବିଡିଏ ଗତ ମାସ ୨୧ ତାରିଖରେ ଏ ନେଇ କର୍ତ୍ତୃପକ୍ଷଙ୍କୁ ଲିଖିତ ଅବଗତ କରିବା ସହ ଆଶ୍ରମ ଖାଲି କରିବାକୁ ମାଇକ୍ ଯୋଗେ ଘୋଷଣା କରିଥିଲା। ସେପଟେ ବୈକୁଣ୍ଠ ଧାମ ସେବା ଟ୍ରଷ୍ଟ ହାଇକୋର୍ଟରେ ପହଞ୍ଚି ୧୨ ତାରିଖ ଯାଏଁ ସୁରକ୍ଷା ପାଇଁ ଗୁହାରି କରିଥିଲା।
ଖୋଳତାଡ଼ ବେଳେ ମିଳିଥିବା ତଥ୍ୟ ମୁତାବକ, ଏଠାରେ ଏକ ବଡ଼ ପ୍ଲଟ୍ରେ ୩୭ଏକର ଜାଗା ରହିଛି। ଏଠାରେ ବସ୍ତି ଉନ୍ନୟନ ପ୍ରକଳ୍ପରେ ଘର ନିର୍ମାଣ କରିବାକୁ ବିଡିଏ ଜିଏକୁ ଜମି ମାଗିଥିଲା। ସିଡିପି ଲ୍ୟାଣ୍ଡ ଆଣ୍ଡ ଇମ୍ପ୍ଲିମେଣ୍ଟେସନ ପଲିସିରେ ଜିଏ ଏଠାରେ ବିଡିଏକୁ ୨୦୧୫ ମସିହା ସେପ୍ଟେମ୍ବର ୩ ତାରିଖରେ ୨୨.୭୯୨ ଏକର ଜମି ହସ୍ତାନ୍ତର କରିଥିଲା। କିନ୍ତୁ ବିଡିଏ ଏହାର ଯତ୍ନ ନେଲା ନାହିଁ କିମ୍ବା ଏଠାରେ ବସ୍ତିବାସିନ୍ଦାଙ୍କ ପାଇଁ ଘର ମଧ୍ୟ ନିର୍ମାଣ କଲା ନାହିଁ। ବରଂ ଜମି ପଡ଼ି ପଡ଼ି ଜବରଦଖଲ ହୋଇଗଲା। ୧୪୦ ଡେସିମିଲ୍ରେ ଆଶ୍ରମ ହୋଇଥିବା ବେଳେ ବାକି ୨୨.୬୫୨ ଏକର ଜମିରୁ ଅର୍ଦ୍ଧାଧିକ ବିକ୍ରି ହୋଇଯାଇଛି। କେବଳ ବିବାଦ ହେବାରୁ ଆଶ୍ରମର ଥିବା ୧୪୦ ଡେସିମିଲ୍ ପଛରେ ଉଭୟ ଜିଏ ଓ ବିଡିଏ ପଡ଼ିଛନ୍ତି। ବିବାଦ ଥମିଗଲେ ଏହି ଜବରଦଖଲ ପଛରେ ଥିବା ଅଫିସରମାନେ ଆଶ୍ବସ୍ତ ହେବେ।
ଠିକ୍ ଏହିଭଳି ୬୮ ଏକର ଜମି ଶ୍ୟାମପୁର ମୌଜାରେ ଜବରଦଖଲ ହୋଇଛି। ବସ୍ତି ବାସିନ୍ଦା ଓ ସ୍ବଳ୍ପ ଆୟ କରୁଥିବା ଲୋକଙ୍କ ପାଇଁ ଘର କରି ଯୋଗାଇଦେବାକୁ ଜିଏ ବିଭାଗ ବିଡିଏକୁ ଏହି ଜମି ଦେଇଥିଲା। କିନ୍ତୁ ଏହାକୁ ମଧ୍ୟ ବିଡିଏ ବ୍ୟବହାର କଲା ନାହିଁ କମ୍ବା ଜବରଦଖଲ ଜଗିଲା ନାହିଁ। ଫଳରେ ଏହି ସମସ୍ତ ମୂଲ୍ୟବାନ ଜମି ଏବେ ଭାଗ ଭାଗ ହୋଇ ବିକ୍ରି ହୋଇଯାଇଛି। ବିଡିଏ ଇଓଡବ୍ଲ୍ୟୁରେ ଏତଲା ଦେଇ ବସିଯାଇଥିବା ବେଳେ ଇଓଡବ୍ଲ୍ୟୁ ମାମଲା ରୁଜୁ କରିବ ନାହିଁ ବୋଲି ସଫା ମନା କରିଦେଇଛି। ତେବେ ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଆଶ୍ରମ ରହିଥିବା ଜମି ଓ ଏହା ପାଖରେ ଥିବା ଜମି ମାପଚୁପ ହୋଇଯାଇଛି। କୋର୍ଟ ଆଦେଶକୁ ଅପେକ୍ଷା କରାଯାଇଛି। ଖୁବ୍ଶୀଘ୍ର ଏହାକୁ ଉଚ୍ଛେଦ କରାଯିବ।