୨ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କଲେ ନକ୍ସଲ

ମାଲକାନଗିରି/ଭୁବନେଶ୍ୱର ୦୫-୧୨-୨୦୨୪ (ପିପିଏସ) : ସୀମାନ୍ତରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ପୁଲିସର ଘନଘନ ଚଢ଼ାଉରେ ନକ୍ସଲ ଏବେ ହିଂସାତ୍ମକ ହୋଇପଡିଛନ୍ତି। ଲୋଙ୍କୁ ଭୟଭୀତ କରାଇବା ଏବଂ ପୁଲିସକୁ ଚ୍ୟାଲେଞ୍ଚ କରିବା ପାଇଁ ନିରୀହ ଲୋକଙ୍କୁ ହତ୍ୟା କରୁଛନ୍ତି। ଏହି ଘଟଣାକ୍ରମରେ ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଗୋଟିଏ ଦିନରେ ଦୁଇ ଜଣ ପୂର୍ବତନ ସରପଞ୍ଚଙ୍କୁ ଅପହରଣ କରିନେଇ ହତ୍ୟା କରିଛନ୍ତି।

ଭେରମଗଡ ଥାନା ଅଂଚଳର ପୂର୍ବତନ ସରପଞ୍ଚ ସୁକୁଲ ଫରସା ଏବଂ କଡେର ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁଖରାମ ଅବଲମଙ୍କୁ ନିଜ ନିଜ ଅଂଚଳରୁ ନକ୍ସଲ ଅପହରଣ କରି ନେଇଥିଲେ। ଗତ ୨ ନଭେମ୍ବର ଦିନ ବିରିୟାଭୁମି ଗ୍ରାମକୁ ଯାଉଥିବା ରାସ୍ତାରୁ ସୁକୁଲ ଫରସାକୁ ନକ୍ସଲ ଅପହରଣ କରି ନେଇଥିଲେ। ସେହିପରି କଡେର ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କୁ କୁକୁଡା ହାଟରୁ ଅପହରଣ କରି ନେଇଥିଲେ। ଆଜି ସକାଳୁ ଦୁଇ ଜଣଙ୍କର ଶବ ସେମାନଙ୍କ ଅଂଚଳରେ ପଡିଥିବା ଲୋକେ ଦେଖିଥିଲେ।

ତେବେ ସୁକୁଲ ଫରସାଙ୍କ ଶବ ଉପରେ ଏକ ପୋଷ୍ଟର ନକ୍ସଲ ଛାଡିଯାଇଛନ୍ତି। ଏଥିରେ ସୁକୁଲ ବିଜେପି ସହ ଯୋଡି ହେବାରୁ ଏଭଳି ଦଣ୍ଡ ଦିଆଗଲା ବୋଲି ଉଲ୍ଲେଖ କରାଯାଇଛି। ତେବେ ଏହା ପୂର୍ବରୁ ସୁକୁଲକୁ ବାରମ୍ବାର ବିଜେପି ସହ ନଯୋଡି ହେବାକୁ ତାଗିଦ କରିଥିଲୁ ବୋଲି ମଧ୍ୟ କୁହାଯାଇଛି। କିନ୍ତୁ ଆମ କଥାକୁ ସେ ଗୁରୁତର ସହ ନେଲା ନାହିଁ। ତେଣୁ ସେ ମୃତ୍ୟୁ ଦଣ୍ଡ ପାଇଲା। ସୁକଲଙ୍କ ଝିଅ ନକ୍ସଲଙ୍କୁ ନେହୁରା ହୋଇ ବାପାଙ୍କୁ ଛାଡି ଦେବାକୁ ଅନୁରୋଧ କରିଥିଲେ ମଧ୍ୟ ନକ୍ସଲ ଶୁଣିନଥିଲେ। 

ତେବେ ଏନେଇ ପରିବାର ଲୋକେ ଥାନାରେ ଏତଲା ମଧ୍ୟ ଦେଇଥିଲେ।ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଲୋକେ ଭୟଭିତ ହେବା ସହ ନକ୍ସଲଙ୍କ ଏହି ହତ୍ୟାକାଣ୍ଡକୁ ନିନ୍ଦା କରିଛନ୍ତି।

Leave A Reply

Your email address will not be published.