ପ୍ରଜାତନ୍ତ୍ର ନ୍ୟୁଜ୍

ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

Advertisement

ଘୋର ଅବବ୍ୟସ୍ଥାରେ ଏକ ନମ୍ୱର ହାଟ

ଭୁବନେଶ୍ୱର ୨୪-୧୧-୨୦୨୪ (ପିପିଏସ) : ରାଜଧାନୀର ସବୁଠାରୁ ଜନବହୁଳ ହାଟ କହିଲେ ୟୁନିଟ୍‌-୧ ହାଟକୁ ବୁଝାଏ। ଏ ହାଟରେ ଯାବତୀୟ ଜିନିଷ ଶସ୍ତାରେ ମିଳୁଥିବାରୁ ପ୍ରତିଦିନ ହଜାର ହଜାର ଗ୍ରାହକଙ୍କର ସମାଗମ ହୋଇଥାଏ। ସହର ସହ ଉପକଣ୍ଠ ଓ ଆଖପାଖ ଜିଲ୍ଲାର ଗ୍ରାହକମାନେ ଏଠାରୁ ନିୟମିତ କିଣାକିଣି କରନ୍ତି। ହାଟ ମଧ୍ୟରେ ପ୍ରାୟ ୧,୫୦୦ ବ୍ୟବସାୟୀ ବେପାର କରନ୍ତି। କିନ୍ତୁ ଏତେବଡ଼ ହାଟଟି ବ୍ୟବସ୍ଥିତ ହୋଇପାରୁନି। ଚାରିଆଡ଼େ ଜବରଦଖଲ ଯୋଗୁଁ ହାଟ ଆବଦ୍ଧ ହୋଇପଡ଼ୁଛି। କିଛି ବ୍ୟବସାୟୀ ତାଙ୍କୁ ଦିଆଯାଉଥିବା ସ୍ଥାନଠାରୁ ବଢ଼ି ରାସ୍ତାକୁ ମାଡ଼ି ନିଜର ପସରା ମେଳାଉଛନ୍ତି। ଫଳରେ ହାଟକୁ ପ୍ରବେଶ ଓ ପ୍ରସ୍ଥାନ କରିବା ରାସ୍ତା କ୍ରମେ ସଙ୍କୁଚିତ ହୋଇଯାଉଛି। ଏପରିକି ଅନ୍ୟ ବ୍ୟବସାୟୀଙ୍କ ମାଲ୍‌ଗାଡ଼ି ଯିବାରେ ମଧ୍ୟ ଅସୁବିଧା ହେଉଛି। ସମସ୍ୟାକୁ ଆହୁରି ଜଟିଳ କରି ଦେଉଛି ମୁଖ୍ୟ ରାସ୍ତାକଡ଼ରେ ହେଉଥିବା ଅବ୍ୟବସ୍ଥିତ ପାର୍କିଂ।

ରାସ୍ତାର ଅପରପାର୍ଶ୍ବରେ ମାର୍କେଟ୍‌ ବିଲ୍ଡିଂକୁ ଲାଗି ବହୁତଳ କାର୍‌ ପାର୍କିଂ ନିର୍ମାଣ ପରେ ଏଠାରେ ପ୍ରାୟ ୨ ବର୍ଷ ହେବ ‘ଅନ୍‌ ଷ୍ଟ୍ରିଟ୍‌ ପାର୍କିଂ’ ବନ୍ଦ ରହିଥିଲା। ହାଟ ସାମ୍ନାରେ ଥିବା ରାସ୍ତାକଡ଼ରେ ଗାଡ଼ି ରଖିଲେ ଟ୍ରାଫିକ୍‌ ପୁଲିସ ଗାଡ଼ି ଉଠାଇ ନେଉଥିଲା। ବହୁ ଲୋକଙ୍କର ଗାଡ଼ି ଚୋରି ହୋଇଥିବା ମଧ୍ୟ ଅଭିଯୋଗ ହେଉଥିଲା। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ପେଟ୍ରୋଲ ପମ୍ପରୁ ଥାନା ପର୍ଯ୍ୟନ୍ତ କେବଳ ଦୁଇଚକିଆ ଯାନ ପାର୍କିଂ କରିବାକୁ ଅନୁମତି ଦିଆଯାଇଛି। କିନ୍ତୁ ଏହାକୁ ନମାନି ଯିଏ ଯେଉଁଠି ଚାହୁଛି ଗାଡ଼ି ପାର୍କିଂ କରି ଚାଲିଯାଉଛି। ଏପରିକି କିଛି ଗ୍ରାହକ ତଥା ବ୍ୟବସାୟୀ ମାର୍କେଟ ମଝିରେ ଯେଉଁଠି ଇଚ୍ଛା ସେଠି ଗାଡ଼ି ପାର୍କିଂ କରିଦେଉଛନ୍ତି। ଫଳରେ ଦୁଇଜଣ ଲୋକ ବ୍ୟାଗ୍‌ରେ ପରିବା ନେଇ ଯାଉଥିଲେ ଗଲେ ଆଉ ଜଣେ ଯିବାକୁ ଯାଗା ହେଉନି। ୧୦-୧୫ ମିନିଟ୍‌ ପାଇଁ ବର୍ଷା ହେଲେ ମଧ୍ୟ ବିଗିଡ଼ି  ଯାଉଛି ରାଜ୍ୟର ପ୍ରମୁଖ ବଜାର ୧ ନମ୍ବର ହାଟର ସ୍ଥିତି। ହାଟର ଅନେକ ରାସ୍ତା ମଝିରେ ବଡ଼ ବଡ଼ ଖାଲ ରହିଛି। ବର୍ଷା ସମୟରେ ସେଠି ଗାଡ଼ିଆ ଭଳି ପାଣି ଜମୁଛି। ଅନେକ ଅଞ୍ଚଳରେ କାଦୁଅ ପଚପଚ। ପୁଣି ମାର୍କେଟର ଗଣେଶ ମଣ୍ଡପ ଆଗ ଓ ମାର୍କେଟର ପଛପଟ  ପେଭରବ୍ଲକ ମଧ୍ୟ ଭାଙ୍ଗି ଗଲାଣି। ପୁଣି ହାଟରେ ଥିବା ଡ୍ରେନ୍‌ଗୁଡ଼ିକରେ ହୋଇଥିବା ନିମ୍ନମାନର କାମ ଯୋଗୁଁ ପାଣି ନିଷ୍କାସନ ହେଉନାହିଁ। କେବଳ ସେତିକି ନୁହେଁ, ମାସ ମାସ ଧରି ଠାଏ ଠାଏ ପଚା ପନିପରିବା ପଡ଼ିରହୁଛି। ଫଳରେ ଅନେକ ସ୍ଥାନରେ ଏତେ ଦୁର୍ଗନ୍ଧ ହେଉଛି ଯେ ପାଖରେ ରହିବା ମୁସ୍‌କିଲ୍‌ ହୋଇପଡୁଛି। 

ୟୁନିଟ୍‌-୧ ହାଟର ପୁନଃନିର୍ମାଣ ପାଇଁ ବିଏମ୍‌ସି ଏକ ସ୍ୱତନ୍ତ୍ର ନକ୍ସା ପ୍ରସ୍ତୁତ କରିଥିଲା। ହେଲେ ଇତି ମଧ୍ୟରେ ୬ଥର ଡିଜାଇନ୍‌ ପରିବର୍ତ୍ତନ ହେବା ପରେ ମଧ୍ୟ ଇଟା ଖଣ୍ଡିଏ ବି ପଡ଼ିପାରିଲା ନାହିଁ। ଏନେଇ ମାର୍କେଟ୍‌ର କଞ୍ଚା ପରିବା ବେପାରୀ ସଂଘର ସଭାପତି କବିରାଜ ସ୍ବାଇଁ କହନ୍ତି, ହାଟରେ ଯେଉଁ ଲୋକଙ୍କୁ ଯେତିକି ଯାଗା ମିଳିବା କଥା, ସେମାନଙ୍କୁ ତା’ଠାରୁ ଅଧିକ ଯାଗାରେ ବସିବାଲାଗି ପୂର୍ବରୁ ଅନୁମିତି ଦିଆଯାଇଛି। ଏପରିକି ଦମକଳ ଗାଡ଼ି ରଖିବା ସ୍ଥାନରେ ମଧ୍ୟ ଘର କରି ଲୋକଙ୍କୁ ଯାଗା ଦିଆଯାଇଛି। ବିଏମ୍‌ସି ପକ୍ଷରୁ ହାଟ ମଧ୍ୟରେ ଥିବା ୨୦ ଫୁଟିଆ ରାସ୍ତାକୁ ଜବରଦଖଲ ମୁକ୍ତ କରା ଯାଇପାରିଲେ ସମସ୍ୟା ଅନେକାଂଶରେ ସମାଧାନ ହୋଇପାରିବ। ଏଥିସହିତ ପେଭର୍‌ବ୍ଲକ୍‌କୁ ହଟାଇ ପିଚୁ ପକାଇବା ସହିତ ଡ୍ରେନ୍‌ଗୁଡ଼ିକୁ ନିୟମିତ ସଫା କରିବାଲାଗି ସେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *