ଦୁର୍ଗମ ଅଞ୍ଚଳରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: ଦୋଳାରେ ୮ କିମି ବୁହା ହେଲେ ମହିଳା
1 min read

ଦୁର୍ଗମ ଅଞ୍ଚଳରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: ଦୋଳାରେ ୮ କିମି ବୁହା ହେଲେ ମହିଳା

ପାତ୍ରପୁର/ଭୁବନେଶ୍ୱର ୧୮-୧୧-୨୦୨୪ (ପିପିଏସ) : ରାଜ୍ୟରେ ଆଜି ବି ଏମିତି ଅନେକ ଦୁର୍ଗମ ଅଞ୍ଚଳ ଅଛି, ଯେଉଁଠି ଲୋକେ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେବା ସହ ଆମ୍ବୁଲାନ୍‌ସ ଭଳି ଜରୁରୀକାଳୀନ ସେବା ସାତସପନ ପାଲଟିଛି। ଭାତହାଣ୍ଡିରୁ ଗୋଟିଏ ଚିପିବା ନ୍ୟାୟରେ ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଆଦିବାସୀ ଅଧ୍ୟୁଷିତ ତସରଙ୍ଗ ଗ୍ରାମରେ। ଭଲ ରାସ୍ତା ନଥିବାରୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇଥିବା ଏହି ଗ୍ରାମର ଜଣେ ମହିଳାଙ୍କୁ ପ୍ରାୟ ୮ କିଲୋମିଟ‌ର ଦୋଳାରେ ବୋହି ଘରକୁ ଅଣାଯାଇଛି। 

ତସରଙ୍ଗ ଗ୍ରାମର ଲିଙ୍ଗିରି ଗମାଙ୍ଗ (୬୫) ୩ ମାସ ତଳେ ତାଡ଼କାସାହି ଗ୍ରାମରୁ କୌଣସି କାମରେ ତୁରୁବୁଡ଼ି ଯାଉଥିବା ସମୟରେ ଅଟୋରୁ ଖସି ଗୁରୁତର ହୋଇଥିଲେ। ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନା ଏବଂ ସେଠାରୁ ଭୁବନେଶ୍ବରସ୍ଥିତ ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ସୁସ୍ଥ ହେବା ପରେ ତାଙ୍କୁ ଗତକାଲି ସେଠାରୁ ଡିସ୍‌ଚାର୍ଜ କରାଯାଇଥିଲା। ଆମ୍ବୁଲାନ୍‌ସ ଯୋଗେ ଗତକାଲି ରାତିରେ ସେ ପାହାଡ଼ ତଳ ଗ୍ରାମ କରଡ଼ାମୂଳିରେ ପହଞ୍ଚିଥିଲେ। ତେବେ ସେଠାରୁ ତାଙ୍କୁ ଦୋଳାରେ ଜଙ୍ଗଲିଆ ରାସ୍ତାରେ ବୋହି ଅଣାଯାଇଥିଲା। ସେତେବେଳକୁ ସକାଳ ହୋଇଯାଇଥିଲା। ତେବେ ପାତ୍ରପୁର ବ୍ଲକ୍‌ର କେବଳ ଏହି ଗୋଟିଏ ଗାଁ ନୁହେଁ, ଅଧିକାଂଶ ଆଦିବାସୀ ଅଧ୍ୟୁଷିତ ଗ୍ରାମର‌ ଲୋକଙ୍କ ପାଇଁ ଜରୁରୀକାଳୀନ ସମୟରେ  ଦୋଳା ହିଁ ସାହାଭରସା ପାଲଟିଥାଏ। ଜଙ୍ଗଲିଆ ରାସ୍ତାରେ ‌ରୋଗୀ ଓ ଗର୍ଭବତୀଙ୍କୁ ଦୋଳାରେ ନିଆଯାଏ। ତସରଙ୍ଗ ଗ୍ରାମକୁ ଯିବାକୁ ହେଲେ ତାଡ଼କାସାହିଠାରୁ ତରମୁଣ୍ଡା ଦେଇ ଯିବାକୁ ପଡ଼ୁଛି। ବର୍ଷାଋତୁରେ ଏହି ରାସ୍ତାର ଅବସ୍ଥା ଶୋଚନୀୟ ପାଲଟିଥାଏ। କମ୍ପୁଟବାଡ଼, କୁମ୍ଭାରଦଲି, ତରମୁଣ୍ଡା ଓ ତସରଙ୍ଗ ପ୍ରମୁଖ ଆଦିବାସୀ ଗ୍ରାମର‌ ଲୋକେ ଏହି ରାସ୍ତା ଦେଇ ଯାତାୟାତ କରିଥା’ନ୍ତି। ବାରମ୍ବାର ଦାବି ସତ୍ତ୍ବେ ଦୀର୍ଘ ୨୦ ବର୍ଷ ହେଲା ଗ୍ରାମକୁ ପକ୍କାରାସ୍ତା ନିର୍ମାଣ ହୋଇପାରୁନି ବୋଲି କହି ଗ୍ରାମବାସୀ କ୍ଷେଦୋକ୍ତି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *