୩୫ତମ କୋଣାର୍କ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ।

କୋଣାର୍କ/ଭୁବନେଶ୍ୱର ୧୮-୧୧-୨୦୨୪ (ପିପିଏସ) : ଓଡିଶା କଳା, ସଂସ୍କୃତି, ପରମ୍ପରା  ଓ ପର୍ଯ୍ୟଟନର ବିକାଶ ପାଇଁ ଓଡିଶା ସରକାରଙ୍କ ଦ୍ୱାରା ପରିଚାଳିତ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରତିବର୍ଷ ଡିସେମ୍ବର ୧ରୁ ୫ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ପ୍ରସିଦ୍ଧ ୩୫ତମ କୋଣାର୍କ ଉତ୍ସବ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ଡେରି ହେଲେ ମଧ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସୋମବାର ସନ୍ଧ୍ୟାରେ କୋଣାର୍କ ସ୍ଥିତ ଯାତ୍ରୀନିବାସ ସମ୍ମେଳନୀ କକ୍ଷରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ପର୍ଯ୍ୟଟନ ସଚିବ ବଳବନ୍ତ ସିଂ , ନିର୍ଦେଶକ ସମର୍ଥ ବର୍ମା, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଆରକ୍ଷୀ ଅଧିକ୍ଷକ ବିନିତ୍ ଶର୍ମାଙ୍କ ସମେତ ବିଭିନ୍ନ ବିଭାଗର ଉଚ୍ଚପଦସ୍ତ ଅଧିକାରୀ ମାନେ ଯୋଗ ଦେଇ  କୋଣାର୍କ ଉତ୍ସବ କିଭଳି ସୁରୁଖୁରୁରେ ପାଳନ କରାଯିବ ତାହାର ଆଲୋଚନା କରିଥିଲେ। ମୁକ୍ତାକାଶ ରଙ୍ଗମଞ୍ଚ ସାଜସଜ୍ଜା, କଳାକାର ଓ ନୃତ୍ୟଶିଳ୍ପୀ ମାନଙ୍କ ପାଇଁ ସୂ ବନ୍ଦୋବସ୍ତ, ଟ୍ରାଫିକ ସମସ୍ୟା, ସିସିଟିଭି ମୁତୟନ, ସୁରକ୍ଷା ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ ସେବା, ଅଗ୍ନି ନିରାପତ୍ତା, ଆଲୋକିକରଣ, ସଫେଇ ଓ ପରିମଳ, ପ୍ରଚାର ପ୍ରସାର ଆଦି ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା। ବିଭାଗୀୟ ଅଧିକାରୀ ମାନେ ଯୋଗଦେଇ ନିଜ ନିଜର ଦାୟିତ୍ୱ ଉପରେ ଆଲୋଚନା କରିଥିଲେ। ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରତି ଦିନ ସଂଧ୍ୟାରେ ଓଡିଶୀ ସମେତ କଥକ, ମଣିପୁରୀ, କୁଚୂପୁଡ଼ି, ମୋହିନୀଆଟମ,ଭାରତନାଟ୍ୟମ୍ ଆଦି ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ନିଷ୍ପତି ହୋଇଛି।  ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରତିଷ୍ଠିତ ନୃତ୍ୟଶିଳ୍ପୀ ମାନେ ଯୋଗଦେବେ। ଚଳିତ ବର୍ଷ ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଡୋନା ଗାଙ୍ଗୁଲିଙ୍କ ପ୍ରତିଷ୍ଠାନ ଦୀକ୍ଷା ମଞ୍ଜରୀର କଳାକାର ମାନେ ନୃତ୍ୟ ପ୍ରଦର୍ଶନ କରିବେ।ଯାହା ଦେଶ ବିଦେଶର ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିବ। ସେହିପରି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ତତ୍ବାବଧାନରେ ଚନ୍ଦ୍ରଭାଗା ବେଳାଭୂମିରେ ୧୪ତମ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଅନୁଷ୍ଠିତ ହେବ।୩୦ରୁ ଉର୍ଦ୍ଧ ଷ୍ଟଲରେ ବାଲୁକା କଳା ପ୍ରଦର୍ଶନ କରାଯିବାର ବ୍ୟବସ୍ଥା ହେବ। ୭ରୁ ଅଧିକ ଦେଶ ତଥା ପର୍ତ୍ତୁଗାଲ, ଇଂଲଣ୍ଡ, ମସ୍କିକୋ, ଜାପାନ, ସ୍ପେନ୍, ଋଷିଆ,ଶ୍ରୀଲଂକା ଆଦି ଦେଶରୁ ପ୍ରତିନିଧିଙ୍କ ସହ ଶତାଧିକ ବାଲୁକା ଶିଳ୍ପୀ ଯୋଗଦେବେ। ଯାହା ଅନ୍ୟତମ ଆକର୍ଷଣ ସାଜିବ। ହେଲିପ୍ୟାଡରେ କୋଣାର୍କ ଉତ୍ସବର ଅନ୍ୟତମ ମୁଖ୍ୟ ଆକର୍ଷଣ ମିନା ବଜାର ଓ ଅପେରା ଯାତ୍ରା ପାର୍ଟି ଆୟୋଜିତ ହେବ ବୋଲି ସୂଚନା ମିଳିଛି। ଏଥି ସହିତ  ହସ୍ତକଳା ପ୍ରଦର୍ଶନୀ, ପୁସ୍ତକ ମେଳା, ସାହିତ୍ୟ ଆସର, ଗଣଦୌଡ, ସାଇକ୍ଲୋଥନ୍ ସହ ଅନ୍ୟାନ୍ୟ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ସୂର୍ଯ୍ୟମନ୍ଦିର ସମ୍ମୁଖ ରାସ୍ତା ଜବରଦଖଲ ସହ ଇକୋ- ରିଟ୍ରେଟ ନିକଟ ରାସ୍ତା ପାର୍ଶ୍ଵ ଜବର ଦଖଲ ହୋଇଥିବାରେ ଗଣମାଧ୍ୟମ ପ୍ରତିନିଧି ମାନେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତୁରନ୍ତ  ସୂର୍ଯ୍ୟମନ୍ଦିର ରାସ୍ତାକୁ ମୁକ୍ତ କରିବା ପାଇଁ ଜିଲ୍ଲାପାଳ ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

Leave A Reply

Your email address will not be published.