ସୀମାନ୍ତରେ ଝାଡ଼ଖଣ୍ଡ ନିର୍ବାଚନ ପ୍ରଚାର

ମଙ୍ଗଧରିଛନ୍ତି ଓଡ଼ିଆ ଆଦିବାସୀ ନେତା

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗାଁର ଆଦିବାସୀ ନେତାଙ୍କ ନେତୃତ୍ବରେ ଗଠିତ ବିଭିନ୍ନ ସଙ୍ଗଠନରେ ଉଭୟ ରାଜ୍ୟର ଶତାଧିକ କାର୍ଯ୍ୟକର୍ତ୍ତା ଥିବାରୁ ଏମାନଙ୍କୁ ବିଜେପି ଓ ଜେଏମ୍‌ଏମ୍‌ ନେତାମାନେ ନିର୍ବାଚନୀ ଅସ୍ତ୍ର କରିଛନ୍ତି। ଯେଉଁମାନେ ସିମ୍‌ଡେଗା ଓ ମନୋହରପୁର ବିଧାନସଭା କ୍ଷେତ୍ରରେ ପ୍ରଚାରର ମଙ୍ଗ ଧରିଛନ୍ତି।

ରାଉରକେଲା/ଭୁବନେଶ୍ୱର ୧୦-୧୧-୨୦୨୪(ପିପିଏସ ) : ଆସନ୍ତା ୧୩ ଓ ୨୦ରେ ହେବାକୁ ଯାଉଛି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ। ସିମ୍‌ଡେଗା ଓ ମନୋହରପୁର ଦୁଇ ବିଧାନସଭା ନିର୍ବାଚନର ତାତି ସୁନ୍ଦରଗଡ଼ ସୀମାନ୍ତ ବ୍ଲକ୍‌ ନୂଆଗାଁ, ବିଶ୍ରା ଓ କୁଆରମୁଣ୍ଡା ଉପର ପଡ଼ିଛି। ତିନି ବ୍ଲକ୍‌ର ପ୍ରାୟ ୨୦ରୁ ଅଧିକ ପଞ୍ଚାୟତବାସିନ୍ଦାଙ୍କ ମଧ୍ୟରୁ ପ୍ରାୟ ୫୦% ଲୋକ ଏବେ ଉଭୟ ସିମ୍‌ଡେଗା ଓ ମନୋହରପୁର ବନ୍ଧୁ ଓ ସମ୍ପର୍କୀୟ ଘରେ ରହୁଛନ୍ତି। ଏମାନେ ଝାଡ଼ଖଣ୍ଡର ଭୋଟର ନହେଲେ ମଧ୍ୟ ନିର୍ବାଚନରେ ପ୍ରାର୍ଥୀଙ୍କ ପାଇଁ ନିର୍ଣ୍ଣାୟକ ଭୂମିକା ନେଇଛନ୍ତି। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗାଁର ଆଦିବାସୀ ନେତାଙ୍କ ନେତୃତ୍ବରେ ଗଠିତ ବିଭିନ୍ନ ସଙ୍ଗଠନରେ ଉଭୟ ରାଜ୍ୟର ଶତାଧିକ କାର୍ଯ୍ୟକର୍ତ୍ତା ଥିବାରୁ ଏମାନଙ୍କୁ ବିଜେପି ଓ ଜେଏମ୍‌ଏମ୍‌ ନେତାମାନେ ନିର୍ବାଚନୀ ଅସ୍ତ୍ର କରିଛନ୍ତି। ଯେଉଁମାନେ ଝାଡ଼ଖଣ୍ଡର ସିମ୍‌ଡେଗା ଓ ମନୋହରପୁର ବିଧାନସଭା କ୍ଷେତ୍ରରେ ପ୍ରଚାରର ମଙ୍ଗ ଧରିଛନ୍ତି।

ଦୁଇ ବିଧାନସଭା କ୍ଷେତ୍ରର ରାଜନୈତିକ ଦଳର ପ୍ରାର୍ଥୀମାନେ ରାତି ପାହିଲେ ଓଡ଼ିଆ ଆଦିବାସୀ ନେତାମାନଙ୍କୁ ଖୋଜୁଛନ୍ତି। କାରଣ ସୀମାନ୍ତଗାଁର ଭୋଟର ଏମାନଙ୍କ ହାତରେ ରହିଛି। ତେଣୁ ଜେଏମ୍‌ଏମ୍‌ ଓ ବିଜେପି ଦଳର ତୁଙ୍ଗ ନେତା ସୀମାନ୍ତ ଓଡ଼ିଶା ଗାଁରୁ ନେତା କୌଣସି ମୋତେ ଏମାନଙ୍କୁ ହାତଛଡ଼ା କରିବାକୁ ଚାହୁନାହାନ୍ତି। ବିଶ୍ରା ବ୍ଲକ୍‌ ଅନ୍ତର୍ଗତ ଜରେଇକେଲା, ମନ୍‌କୋ, ତୁଳସୀକାନି, ଭାଲୁଲତା, ଅଜୟକେଲା ଓ ଚିରୁବେଡ଼ା ଆଦି ଗାଁର ଶତାଧିକ ଆଦିବାସୀନେତା ଓ ସମ୍ପର୍କୀୟମାନେ ଝାଡ଼ଖଣ୍ଡର ମନୋହରପୁର ବାରାଡିହି, ଧନାପାଲି, ପଞ୍ଚପହିଆ, ଜମାଲ, ଦିଘା, ଥାଲ୍‌କୋବାଦ୍‌, ତିର୍ଲିପୋଷି, ମୀନାବଜାର ଆଦି ଗାଁରେ ଜେଏମ୍‌ଏମ୍‌, ବିଜେପି, ସ୍ବାଧୀନ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି। ସକାଳେ ହେଲେ ଘରୁ ପ୍ରାୟ ୭ରୁ ୧୦ କି.ମି. ଝାଡ଼ଖଣ୍ଡର ଏସବୁ ଗାଁର ପ୍ରଚାରକୁ ବାହାରି ଯାଉଛନ୍ତି। ସଞ୍ଜ ହେଲେ ପୁଣି ଘରକୁ ଫେରି ଆସୁଛନ୍ତି। କିଛି ଲୋକ ବନ୍ଧୁପରିଜନଙ୍କ ଘରେ ରହିଯାଉଛନ୍ତି। ନୂଆଗାଁ ବ୍ଲକ୍‌ ଅନ୍ତର୍ଗତ ଚିତାପେଡି, ବଡ଼ଯୋଯୋଦା, ଲୁକୁମବେଡ଼ା, କରଡେଗା, କୋକେରମା, ପୁରୁଣାପାଣି, ସୋରଡା, ଉର୍ମେଇ ଆଦି ପଞ୍ଚାୟତର ବିଭିନ୍ନ ଆଦିବାସୀ ସଙ୍ଗଠନର ନେତା ଉଭୟ ସିମ୍‌ଡେଗା ଓ ମନୋହରପୁର ବିଧାନସଭାରେ ସୀମାନ୍ତ ଗାଁରେ ପ୍ରଚାର ମଙ୍ଗ ଧରିଛନ୍ତି। ସେମିତି ବୀରମିତ୍ରପୁର, କୁଆମୁଣ୍ଡା ବ୍ଲକ୍‌ର ପ୍ରତାପପୁର, ରାଏବଗା,  ଅଣ୍ଡାଳି, ମଝାପଡ଼ା ଆଦି ପଞ୍ଚାୟତର ଆଦିବାସୀନେତା ଓ ବନ୍ଧୁପରିଜନ ଝାଡ଼ଖଣ୍ଡ ସିମ୍‌ଡେଗା ବିଧାନସଭା କ୍ଷେତ୍ରର ବାଉଁଶଜୋର, ତର୍‌ଗା, ଭୁକୁମୁଣ୍ଡା, ଜାମପାଲି, ସିଆଲଜୋର ଆଦି ଅନେକ ପଞ୍ଚାୟତ ଓ ଗାଁରେ ସ୍ଥାନୀୟ ନେତାଙ୍କ ସହ ମିଶି ଦିନରାତି ପ୍ରଚାର କରୁଛନ୍ତି। ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। ଜେଏମ୍‌ଏମ୍‌ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେଉଥିବାରୁ ଝାଡ଼ଖଣ୍ଡ ସୀମାନ୍ତ ଓଡ଼ିଶା ଗାଁର ନେତା ଓ ବନ୍ଧୁପରିଜୟ ଉଭୟ ଦଳର ନେତାମା‌ନେ ନିଜ ପ୍ରାର୍ଥୀଙ୍କ ପ୍ରଚାରରେ ଲଗାଇଛନ୍ତି। କେବଳ ଏତିକି ନୁହେଁ ବୀରମିତ୍ରପୁର ଜେଏମ୍‌ଏମ୍‌ର ତୁଙ୍ଗ ନେତାମାନେ ମଧ୍ୟ ଝାଡ଼ଖଣ୍ଡ ସୀମାନ୍ତ ଗାଁରେ ଜେଏମ୍‌ଏମ୍‌ ପ୍ରଚାରକୁ ଜୋରଦାର କରିଥିବା ଦେଖିବାକୁ ମିଳୁଛି। ସେପଟେ ସୁରକ୍ଷା ଦୃଷ୍ଟିରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗେଟ୍‌ରେ ଉଭୟ ପୁଲିସ ପକ୍ଷରୁ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡି କରିଦିଆଯାଇଛି। ପ୍ରତ୍ୟେକ ସୀମାନ୍ତ ଚେକ୍‌ଗେଟ୍‌ରେ ସିଆର୍‌ପିଏଫ୍‌ ଓ ସ୍ଥାନୀୟ ପୁଲିସ ମୁତୟନ କରାଯାଇଛି।

Leave A Reply

Your email address will not be published.