କଟକରେ ଘରେ ଘରେ ତ୍ରିରଙ୍ଗା ରାଲିକୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା
କଟକ: ୧୩-୦୮-୨୪(ପିପିଏସ ): ଜାତୀୟତାର ପ୍ରତୀକ ତ୍ରିରଙ୍ଗାକୁ ସମ୍ମାନ ଜଣାଇ ଦେଶବ୍ୟାପୀ ଚାଲିଥିବା ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମର ଅଂଶସ୍ୱରୂପ ଆଜି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ତ୍ରିରଙ୍ଗା ରାଲିକୁ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭିନ୍ନ କାର୍ଯ୍ୟାଳୟର କର୍ମଚାରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ନେଇ ଆୟୋଜିତ ଏହି ବିଶାଳ ରାଲି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସ୍ୱରାଜ ଆଶ୍ରମ ଦେଇ ସହର ପରିକ୍ରମା କରିଥିଲା।
ଏହି ଅବସରରେ ଜାତୀୟ ସଂହତି, ସଂପ୍ରୀତି ଓ ପ୍ରଗତି ସହ ରାଷ୍ଟ୍ରପ୍ରେମର ମନ୍ତ୍ରରେ ଉଦ୍ବୁଦ୍ଧ ହେବା ଏବଂ ଆମର ଗର୍ବ ଓ ଗୌରବ ଜାତୀୟ ପତାକାର ମହନୀୟତାକୁ ସର୍ବଦାମନେପକାଇବାକୁ ଜଲ୍ଲାପାଳ ଶ୍ରୀ ଶିନ୍ଦେ ମତ ଦେଇଥିଲେ। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ହର ଘର ତିରଙ୍ଗା କାନଭାସରେ ଦସ୍ତଖତ କରିଥିଲେ। ପରେ ପରେ ଜିଲ୍ଲାପାଳ ସିଡିଏ ନିକଟସ୍ଥ ଜର୍ଜ ବସ୍ତିକୁ ଯାଇ ଜାତୀୟ ପତାକା ବଂଟନ କରିଥିଲେ ଏବଂ ନିଜ ନିଜ ଘରେ ଗର୍ବର ସହ ଜାତୀୟ ପତାକା ଉଡାଇବାକୁ ବସ୍ତିବାସିନ୍ଦାଙ୍କୁ କହିଥିଲେ। ଏଥିସହ ଜିଲ୍ଲାପାଳ ବସ୍ତି ପରିସରରେ ଥିବା ତିଲକ୍ ନଗର ପାଠାଗାର ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ଏବଂ ଶିକ୍ଷା ସମ୍ବନ୍ଧିତ ସେମାନଙ୍କ ସମସ୍ତ ଆବଶ୍ୟକତା ପୂରଣ କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ।