ବିଏମ୍‌ସି ଆଦାୟ କରିବ ପ୍ରପର୍ଟି ଟ୍ୟାକ୍ସ
1 min read

ବିଏମ୍‌ସି ଆଦାୟ କରିବ ପ୍ରପର୍ଟି ଟ୍ୟାକ୍ସ

ପ୍ରସ୍ତାବ ପାରିତ ପରେ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର ୧୭-୧୦-୨୦୨୪ (ପିପିଏସ) : ହୋଲ୍ଡିଂ ଟିକସରେ ରହିଥିବା ଦୋଷ ଦୁର୍ବଳତା ଯୋଗୁ ବିଏମ୍‌ସିର ରାଜସ୍ବ ବଢ଼ୁନାହିଁ। ତା ସହିତ ଏଥିରେ ଥିବା ଗଳାବାଟରେ ୱାର୍ଡ ଅଫିସର ଓ କେତେକ କର୍ମଚାରୀ ଫାଇଦା ଉଠାଉଛନ୍ତି। ବିଏମ୍‌ସିର ରାଜସ୍ବ କମି କମି ଯାଉଥିବା ବେଳେ କେତେକ ନିର୍ଦ୍ଦିଷ୍ଟ କର୍ମଚାରୀ ମାଲେମାଲ୍‌ ହେଉଛନ୍ତି। ତା’ ଛଡ଼ା ଏହାର ବଡ଼ ଦୁର୍ବଳତା ହେଉଛି ହୋଲ୍ଡିଂ ଟିକସ ବ୍ୟବସ୍ଥାକୁ ସଂଶୋଧିତ କରି ବୃଦ୍ଧି କରିହେବ ନାହିଁ। ଥରେ ଏହି ଟିକସ ବୃଦ୍ଧି କରି ବିଏମ୍‌ସି କୋର୍ଟରେ ହାରିବା ସହ ବର୍ଦ୍ଧିତ ଦରରେ ଆଦାୟ କରିଥିବା ଟିକସ ପୁଣି ଥରେ ଲୋକଙ୍କୁ ଫେରାଇବା ପରେ ବୁଦ୍ଧି ଶିଖିଛି। ଏଥର ହୋଲ୍ଡିଂ ନୁହେଁ, ବରଂ ‘ପ୍ରପର୍ଟି ଟ୍ୟାକ୍ସ’ ଆଦାୟ କରିବାକୁ ଯୋଜନା କରିଛି ବିଏମ୍‌ସି।  ୧୯୯୮ ମସିହା ବେଞ୍ଚ ମାର୍କ ଭାଲ୍ୟୁଏସନ ଆଧାରରେ ବିଏମ୍‌ସି ହୋଲ୍ଡିଂ ଟିକସ ଆଦାୟ କରୁଥିଲା। ୨୦୧୦ ମସିହାରେ ବିଏମ୍‌ସି ଏହି ଟିକସରେ ସଂଶୋଧନ କରିଥିଲା। ସଂଶୋଧିତ ଟିକସ ପୂର୍ବ ଟିକସ ଠାରୁ ପ୍ରାୟ ୧୦ ଗୁଣ ବଢ଼ି ଯାଇଥିଲା। ଏହାକୁ ବିଭିନ୍ନ ସ୍ତରରେ ବିରୋଧ‌ ‌ହୋଇଥିଲା। କନଫେଡେରେସନ୍ ଅଫ ସିଟିଜେନ୍ସ ଆସୋସିଏସନ୍ ହାଇକୋର୍ଟ ଯାଇଥିଲା। ୨୦୧୯ ନଭେମ୍ବର ୧୧ରେ ହାଇକୋର୍ଟରେ ମାମଲାର ଶୁଣାଣି କରି ବିଏମ୍‌ସିକୁ ପୁଣି ଥରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବିଏମସି କୌଣସି ସଂଶୋଧନ ନ କରି ପୂର୍ବ ନିଷ୍ପତ୍ତିକୁ କାଏମ ରଖିଥିଲା। ଏଣୁ ଆସୋସିଏସନ ପୁଣି ଥରେ ୨୦୨୦ରେ ହାଇକୋର୍ଟ ଯାଇଥିଲା। ବୃଦ୍ଧି ନିଷ୍ପତ୍ତି ଉପରେ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଥିଲେ। ଅନ୍ୟପଟେ କଲ୍ୟାଣୀ ମାଟର୍ନିଟି ହସ୍‌ପିଟାଲ ପ୍ରାଇଭେଟ୍‌ ଲିମିଟେଡ୍‌ ମଧ୍ୟ ଏହି ବର୍ଦ୍ଧିତ ଦର ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା।

ପ୍ରସ୍ତାବ ପାରିତ ପରେ ପ୍ରସ୍ତୁତି ଆରମ୍ଭ
ଯେବେ ଚାହିବେ ସଂଶୋଧନ କରିବେ
ଖାଲି ଜାଗାରୁ ବି ଆଦାୟ ହେବ ଟିକସ

ହାଇକୋର୍ଟଙ୍କ ରାୟ କଲ୍ୟାଣୀ ହସ୍‌ପିଟାଲ ସପକ୍ଷରେ ଯିବାରୁ ବିଏମ୍‌ସି ଏହି ରାୟ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲା। ସର୍ବୋଚ୍ଚ ନ୍ୟାୟାଳୟ ମାମଲାର ଶୁଣାଣି କରି ବର୍ଦ୍ଧିତ ଦରରେ ବିଏମ୍‌ସି ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିପାରିବ ନାହିଁ ବୋଲି ୨୦୨୧ ମସିହାରେ ରାୟ ଦେଇଥିଲେ। କିନ୍ତୁ ବିଏମ୍‌ସି ପ୍ରାୟ ୧୫ ହଜାର ଲୋକଙ୍କ ଠାରୁ ବର୍ଦ୍ଧିତ ଦରରେ ଟିକସ ଆଦାୟ କରି ସାରିଥିଲା। କିନ୍ତୁ ଉଭୟ କୋର୍ଟରେ ହାରିବା ପରେ ବିଏମ୍‌ସି ଏହି ସବୁ ବର୍ଦ୍ଧିତ ଅର୍ଥ ସମ୍ପୃକ୍ତ ଘରମାଲିକଙ୍କୁ ଫେରାଇବା ପାଇଁ ଦାବି ହେବା ପରେ ସେଗୁଡ଼ିକୁ ପ୍ରତ୍ୟେକ ବର୍ଷ ଆଡ୍‌ଜଷ୍ଟ କରିଥିଲା। ଏଭଳି ଏକ ଶକ୍ତ ଧକ୍କା ଖାଇବା ପରେ ବିଏମ୍‌ସି ମାନସ ମନ୍ଥନ କରିଥିଲା। କୋର୍ଟଙ୍କ ଆଦେଶ ଓ ପୌର ଆଇନର ତର୍ଜମା କଲା ବେଳେ ବିଏମ୍‌ସି ଜାଣିବାକୁ ପାଇଥିଲା କି ଯେଉଁ ହୋଲ୍ଡିଂ ଟିକସ ବ୍ୟବସ୍ଥା ରହିଛି ସେଥିରେ ସଂଶୋଧନ କିମ୍ବା ଦର ବୃଦ୍ଧି ବ୍ୟବସ୍ଥା ନାହିଁ। ଯାହାର ତର୍ଜମା ନକରି ଟିକସ ବୃଦ୍ଧି କରିଥିବାରୁ ବିଏମ୍‌ସି ଅପଦସ୍ତ ହୋଇଥିଲା।

ଯେଉଁଥିପାଇଁ ଆଜି ପର୍ଯ୍ୟନ୍ତ ପୁରୁଣା ଦରରେ ହୋଲ୍ଡିଂ ଟିକସ ଆଦାୟ ହୋଇ ଆସୁଛି। ଏହାକୁ ନେଇ ମାନସମନ୍ଥନ ହେବା ପରେ କର୍ପୋରେସନ ବୈଠକରେ ପ୍ରପର୍ଟି ଟ୍ୟାକ୍ସ ବା ସମ୍ପତ୍ତି ଟିକସ ଆଦାୟ କରିବା ପାଇଁ ପ୍ରସ୍ତାବ ଆସିଥିଲା। ପ୍ରସ୍ତାବ ସର୍ବସମ୍ମତିକ୍ରମେ ପାରିତ ହେବା ପରେ ଏହା ଉପରେ ତର୍ଜମା କରିବା ସହ ପ୍ରସ୍ତୁତି କରିବାକୁ ରାଜସ୍ବ ଉପବିଭାଗ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ଏଥିରେ କେବଳ ଘର ନୁହେଁ, ବରଂ ଖାଲି ପଡ଼ିଥିବା ଜାଗାରୁ ଟିକସ ଆଦାୟ କରିବା ବ୍ୟବସ୍ଥା ରହିଛି। ଯେବେ ଚାହିବେ ସେବେ ଏହାକୁ ସଂଶୋଧିତ ମଧ୍ୟ କରିହେବା ବ୍ୟବସ୍ଥା ରହିଛି। ଏଥିରେ ଯେଭଳି କିଛି ଗଳାବାଟ କିମ୍ବା ଦୋଷ ଦୁର୍ବଳତା ରହିବ ନାହିଁ ସେ ନେଇ ପୁଙ୍ଖାନୁପୁଙ୍ଖ ତର୍ଜମା କରିବା ପରେ ଏହି ଟିକସ ପାଇଁ ଡ୍ରାଫ୍ଟ ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି। ତେବେ ଏହାର ରୂପରେଖ କିଭଳି ହେବ ତାହା ଡ୍ରାଫ୍ଟ ପ୍ରସ୍ତୁତି ପରେ ସ୍ପଷ୍ଟ ହେବେ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *