ଆୟୁଷ ଡାକ୍ତରଙ୍କୁ ନିୟମିତ ଓ ଉଚିତ ପାରିଶ୍ରମିକ ଦାବି
1 min read

ଆୟୁଷ ଡାକ୍ତରଙ୍କୁ ନିୟମିତ ଓ ଉଚିତ ପାରିଶ୍ରମିକ ଦାବି

ଏନ୍‌ଏଚ୍‌ଏମ୍‌ ଅନ୍ତର୍ଗତ ରାଜ୍ୟର ବିଭିନ୍ନ ପିଏଚ୍‌ସି-ସିଏଚ୍‌ସିରେ କାର୍ଯ୍ୟରତ ଆୟୁଷ ଡାକ୍ତରଙ୍କ ସ୍ଥାୟୀ ନିଯୁକ୍ତି ଓ ସେମାନଙ୍କ ବିଭିନ୍ନ ସମସ୍ୟାର ସମା‌ଧାନ ଦାବି କରିଛି ଓଡ଼ିଶା ଆୟୁଷ ଚିକିତ୍ସକ ମହାସଂଘ।

ଭୁବନେଶ୍ୱର ୧୭-୧୦-୨୦୨୪ (ପିପିଏସ) : ଏନ୍‌ଏଚ୍‌ଏମ୍‌ ଅନ୍ତର୍ଗତ ରାଜ୍ୟର ବିଭିନ୍ନ ପିଏଚ୍‌ସି-ସିଏଚ୍‌ସିରେ କାର୍ଯ୍ୟରତ ଆୟୁଷ ଡାକ୍ତରଙ୍କ ସ୍ଥାୟୀ ନିଯୁକ୍ତି ଓ ସେମାନଙ୍କ ବିଭିନ୍ନ ସମସ୍ୟାର ସମା‌ଧାନ ଦାବି କରିଛି ଓଡ଼ିଶା ଆୟୁଷ ଚିକିତ୍ସକ ମହାସଂଘ। ସଂଘ ସଭାପତି ଡା. ବିଶ୍ବରଞ୍ଜନ ଜେନା କହିଛନ୍ତି, ୨୦୦୭ ମସିହାରେ କେନ୍ଦ୍ର ଓ ରାଜ୍ୟ ମିଳିତ ସହଯୋଗରେ (ଏନ୍‌ଏଚ୍‌ଏମ୍‌) ଆୟୁଷ ଡାକ୍ତରମାନେ ଦୀର୍ଘ ୧୭ ବର୍ଷ ଧରି ରାଜ୍ୟର ବିଭିନ୍ନ ପିଏଚ୍‌ସି- ସିଏଚ୍‌ସିରେ ରୋଗୀ ସେବା ସହିତ ଜାତୀୟ ଓ ରାଜ୍ୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ କାମ କରିଆସୁଛନ୍ତି। ବିଭିନ୍ନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟମେଳା, ଟ୍ରେନିଂ ଠାରୁ ଆରମ୍ଭ କରି ପ୍ରାକୃତିକ ବିପର୍ଯ୍ୟୟ, କୋଭିଡ୍ ପର୍ଯ୍ୟନ୍ତ ସବୁକାମରେ ସବୁସମୟରେ ଆୟୁଷ ଡାକ୍ତରମାନଙ୍କୁ ବ୍ୟବହାର କରାଯାଉଥିଲେ ମଧ୍ୟ ସେମାନଙ୍କୁ ନିୟମିତ କରାଯାଉ ନାହିଁ କି ଉଚିତ ପାରିଶ୍ରମିକ ମଧ୍ୟ ଦିଆଯାଉ ନାହିଁ। ଚାକିରିର ୧୭ ବର୍ଷ ପରେ ଡାକ୍ତରଖାନାର ସର୍ବନିମ୍ନ ପାରିଶ୍ରମିକଭୋଗୀ ହେଉଛନ୍ତି ଆୟୁଷ ଚିକିତ୍ସା ଅଧିକାରୀ।

ଏହିଭଳି ଦୁର୍ଦ୍ଦିନରେ କର୍ତ୍ତବ୍ୟରତ ଥିବା ଆୟୁଷ ଚିକିତ୍ସା ଅଧିକାରୀଙ୍କ ପ୍ରତି କିଛି ଉପରିସ୍ଥ ବିଭାଗୀୟ ଅଧିକାରୀ ବୈମାତୃକ ମନୋଭାବ ପୋଷଣ କରି ସେମାନଙ୍କ କାର୍ଯ୍ୟଧାରାକୁ ଅଣଦେଖା କରିବା ସହ ଆୟୁଷ ଓ ଏଲୋପାଥି ଡାକ୍ତରଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରୁଛନ୍ତି। ନିକଟ ଅତୀତରେ ପୁରୀ ଜିଲ୍ଲାରେ ଆୟୁଷ ମେଡିକାଲ ଅଫିସରମାନଙ୍କୁ ବୈଠକକୁ ଡାକି ଏଲୋପାଥି ମେଡିକାଲ ଅଫିସରଙ୍କ ସାଙ୍ଗରେ ମିଶି ବୈଠକ ଓ ତାଲିମରେ ଭାଗ ନେଇପାରିବ ନାହିଁ ବୋଲି କହି ଫେରାଇ ଦେଇଥିଲେ ଉପରିସ୍ଥ ସ୍ୱାସ୍ଥ୍ୟ ଅଧିକାରୀ। ଏପରିକି ସାରା ଓଡ଼ିଶାରେ ନର୍ସିଂ ଅଫିସରମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଥିବା ବେଳେ ଫୁଲବାଣୀ ଜିଲ୍ଲାରେ ଅନୁପସ୍ଥିତ ନର୍ସିଂ ଅଫିସରଙ୍କ ସ୍ଥାନରେ ତାଙ୍କ କାର୍ଯ୍ୟ କରିବା ପାଇଁ ଆୟୁଷ ଡାକ୍ତରମାନଙ୍କୁ ନିୟୋଜିତ କରାଯାଇଥିଲା।

ଏଭଳି ନିନ୍ଦନୀୟ ପଦକ୍ଷେପକୁ  ମହାସଂଘ ପକ୍ଷରୁ ଘୋର ବିରୋଧ କରାଯାଇଛି। ସେହିଭଳି କେନ୍ଦ୍ରାପଡ଼ା ଜିଲ୍ଲାରେ ସମସ୍ତ ସରକାରୀ କାର୍ଯ୍ୟ ସୂଚାରୁ ରୂପେ ତୁଲାଇ ଆସୁଥିବାଥିବା ସତ୍ତ୍ୱେ ଜନୈକ ଆୟୁଷ ଚିକିତ୍ସା ଅଧିକାରୀଙ୍କ ‘ପରଫରମାନ୍ସ ଇନ୍‌ସେନ୍‌ଟିଭ୍‌’ ସମ୍ପୂର୍ଣ୍ଣ ଭାବେ କାଟି ଦିଆଯାଇଛି। ଏଭଳି ପାତରଅନ୍ତର ନୀତିକୁ ଓଡ଼ିଶା ଆୟୁଷ ଚିକିତ୍ସକ ମହାସଂଘ ପକ୍ଷରୁ ଦୃଢ଼ ନିନ୍ଦା କରିବା ସହିତ ସେମାନଙ୍କୁ ସମାନ କାମକୁ ସମାନ ଦରମା ପାଇଁ ଏକ ଦାବିପତ୍ର ବିଭାଗୀୟ ମନ୍ତ୍ରୀ ଓ ନିର୍ଦ୍ଦେଶିକାଙ୍କୁ ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ ବେଳେ ସଭାପତି ଡା. ବିଶ୍ବରଞ୍ଜନ ଜେନା, ସମ୍ପାଦକ ଡା. ପ୍ରଦୀପ ଚମ୍ପତ୍ତି, ଡା. ଦୁର୍ଗାପ୍ରସାଦ ମିଶ୍ର, ଡା. ସୁବ୍ରତ ମହାପାତ୍ର, ଡା. ବିକେ ପ୍ରସାଦ ଓ ଡା. ପ୍ରମୋଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *