ବାରବାଟୀ ଗଡ଼ର କୁଳଦେବୀ ମା’ ଗଡ଼ଚଣ୍ଡୀ
1 min read

ବାରବାଟୀ ଗଡ଼ର କୁଳଦେବୀ ମା’ ଗଡ଼ଚଣ୍ଡୀ

କଟକ,୨୫-୦୯-୨୦୨୪(ପିପିଏସ): (ବିଜୟ କୁମାର ପଣ୍ଡା)ବାରବାଟୀ ଗଡ଼ର କୁଳଦେବୀ ହେତୁ ସେ ମା’ ଗଡ଼ଚଣ୍ଡୀ ଭାବେ ପରିଚିତ। ଓଡ଼ିଶାରେ ରାଜତନ୍ତ୍ର ଶାସନରେ କଟକ ରାଜଧାନୀ ଥିଲା। ବାରବାଟୀ ଦୁର୍ଗରେ ରାଜ ପରିବାରଙ୍କ ସମେତ ରାଜ କର୍ମଚାରୀ ଓ ସେମାନଙ୍କ ପରିବାର ରହୁଥିଲେ। ସେହି ସମୟରେ ବାରବାଟୀ ଦୁର୍ଗ ମଧ୍ୟରେ ମା’ ଗଡ଼ଚଣ୍ଡୀ ପ୍ରତିଷ୍ଠା ହୋଇଥିଲେ। ମୁଖ୍ୟତଃ ରାଜପରିବାର ମା’ଙ୍କ ପୂଜାର୍ଚ୍ଚନା କରୁଥିଲେ। ମୁକୁନ୍ଦଦେବଙ୍କ ରାଜତ୍ବ ପର୍ଯ୍ୟନ୍ତ ମା’ଙ୍କ ନୀତିକାନ୍ତି ନିୟମିତ ଭାବେ ଚାଲିଥିଲା। ମୁକୁନ୍ଦଦେବଙ୍କ ମୃତ୍ୟୁ ପରେ ମୋଗଲ, ମରହଟ୍ଟା, ଇଂରେଜ କଟକ ଅକ୍ତିଆର କଲେ। ମୁକୁନ୍ଦଦେବଙ୍କ ପରେ ମା’ ଗଡ଼ଚଣ୍ଡୀ ଅବହେଳିତ ହେଲେ। ଫଳରେ ମା’ଙ୍କ ମନ୍ଦିର ପୋତି ହୋଇଗଲା ଓ ବଣବୁଦାରେ ପୂରି ଗଲା। ସ୍ବାଧୀନତା ପରେ ଥରେ କିଛି ପିଲା ଦୁର୍ଗ ମଧ୍ୟରେ କୋଳି ଖାଉଥିବା ବେଳେ ମା’ଙ୍କ ମନ୍ଦିର ଦଧିନଉତିର ରଡ୍‌କୁ ଦେଖିଲେ। ଏହାକୁ ‌ଖୋଳାଯିବା ପରେ ମନ୍ଦିର ଉଦ୍ଧାର ହୋଇଥିଲା। ଦୁର୍ଗ ମଧ୍ୟରେ ଚାଲିଥିବା ପିଡବ୍ଲ୍ୟୁଡି ଅଫିସ୍‌ର ଜଣେ ପିଅନ ପ୍ରଥମ କରି ମା’ଙ୍କ ନୀତିକାନ୍ତି ଆରମ୍ଭ କଲେ। ଅର୍ଥ ଅଭାବରୁ କେବେ ନୀତି ହୁଏ, ତ କେବେ ପୁଣି ବନ୍ଦ। ଏଭଳି ଚାଲିବା ପରେ ସ୍ବର୍ଗତ ପରୀକ୍ଷିତ ପଣ୍ଡା ପୂଜକ ଭାବେ ଦାୟିତ୍ବ ନେଲେ। ଧୀରେ ଧୀରେ ବାହାର ଲୋକ ଦୁର୍ଗକୁ ଯିବା ଆସିବା କଲେ। ଶ୍ରଦ୍ଧାଳୁଙ୍କ ଦାନରୁ ପୀଠର ଉନ୍ନତି ହେବା ସହିତ ଏବେ ମା’ଗଡ଼ଚଣ୍ଡୀଙ୍କ ପୀଠରେ ବାରମାସରେ ତେର ପର୍ବ ପାଳିତ ହେଉଛି। 

ଦୁର୍ଗାପୂଜା ମୂଳାଷ୍ଟମୀରୁ ଆରମ୍ଭ ହୋଇ ମହାଷ୍ଟମୀ ପର୍ଯ୍ୟନ୍ତ ଚାଲେ। ମୂଳାଷ୍ଟମୀରେ ମା’ ନିଜସ୍ବ ବେଶ(ଗଡ଼ଚଣ୍ଡୀ ବେଶ)ରୁ ବେଶନୀତି ଆରମ୍ଭ ହୋଇ ଅଷ୍ଟମୀରେ ମହାଲକ୍ଷ୍ମୀ ବେଶରେ ନୀତି ସଂପନ୍ନ ହୁଏ। ମହାଷ୍ଟମୀରେ ମା’ଙ୍କ ପାଇଁ ୧୦୮ଆଳତୀ ହୁଏ। ମା’ ପର‌ମ ବୈଷ୍ଣବୀ ହେତୁ ପୀଠରେ ଆମିଷ ସଂପୂର୍ଣ୍ଣ ବାରଣ ରହିଛି। ପୀଠରେ ‌ମାନସିକ କରି କେହି କେବେ ନିରାଶ ହୋଇନାହାନ୍ତି ବୋଲି କୁହନ୍ତି ମୁଖ୍ୟ ପୂଜକ ଚନ୍ଦ୍ରଶେଖର ରଥ। ଚଳିତ ବର୍ଷ ମା’ କଟକ ଚଣ୍ଡୀଙ୍କ ପାଇଁ ୯ଲକ୍ଷ ଟଙ୍କାର ସୁନା ହାର ଓ ୪ଲକ୍ଷର ଖଡ୍‌ଗ ତିଆରି ହୋଇଛି।  ମା’ଙ୍କ ପାଇଁ ୫କିଲୋ ଓଜନର ଚାନ୍ଦି ଓ ପାଖାପାଖି ଦେଢ଼ କିଲୋ ଓଜନର ସୁନା ଗହଣା ରହିଥିବା ଶ୍ରୀ ରଥ ସୂଚନା ଦେଇଛନ୍ତି

Leave a Reply

Your email address will not be published. Required fields are marked *