ଭୁବନେଶ୍ୱର,୧୨/୮/୨୪(ପିପିଏସ) : ଜିଲାନ୍ସ ଜାଲରେ ଆଉ ଜଣେ କୁବେର ଯନ୍ତ୍ରୀ । R&B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ ବେଳେ ମିଳିଛି ବିପୁଳ ସମ୍ପତ୍ତି। ତାଙ୍କ ଭୁବନେଶ୍ବର ଘରୁ ମିଳିଛି ପୁଳା ପୁଳା ସୁନା, ହୀରା ଓ ରୂପା ଗହଣା। ବିଭିନ୍ନ ଡିଜାଇନର ବହୁ ଗହଣା ସାଙ୍ଗକୁ ସୁନା ବିସ୍କୁଟ୍, ସୁନା କଏନ୍, ଭିନ୍ନ ଭିନ୍ନ ଡିଜାଇନ୍ ର ଦାମୀ ଘଣ୍ଟା ଏବଂ ବହୁ ବିଦେଶୀ ମୁଦ୍ରା ମିଳିଛି। ଯେମିତି ତାରାଙ୍କ ଘରେ ଏକ ମିନି ଜୁଏଲାରି ସପ୍ ହୋଇଥିଲା। R&B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର ତାଙ୍କର ଚାକିରି କାଳ ଭିତରେ ଏତେ ସୁନା ଗହଣା, ଏତେ ଫ୍ଲାଟ୍ କିପରି କିଣିଲେ, ତାର ଖୋଳତାଡ଼ କରୁଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ବର ନୟାପଲ୍ଲୀର ଅର୍ପଣ ଆପାର୍ଟମେଣ୍ଟ ଓ ଖଣ୍ଡଗିରି କସମୋପଲିସରେ ତାଙ୍କର ଦୁଇଟି ଫ୍ଲାଟ୍ ସମେତ, ଝାରସୁଗୁଡ଼ା ଆସିଆନା ଆପାର୍ଟମେଣ୍ଟରେ ଥିବା ଦୁଇଟି ଫ୍ଲାଟ୍, କଟକ ଆଠଗଡ଼ରେ ଥିବା ପୈତୃକ ଘର, ତିଗିରିଆରେ ରହୁଥିବା ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସର ଏକ ବଡ଼ ଟିମ୍ ଏକ ସମୟରେ ଚଢାଉ ଜାରି ରଖିଛି। ଏହି ଚଢ଼ାଉରେ ୧୨ ଜଣ ଡିଏସ୍ପି, ୧୨ ଜଣ ଇନ୍ସପେକ୍ଟର, ୧୬ ଜଣ ଏଏସ୍ଆଇ ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି । ଭୁବନେଶ୍ୱର, କଟକ ଓ ଝାରସୁଗୁଡ଼ାର ସମୁଦାୟ ୯ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି ।