- ବ୍ୟବଚ୍ଛେଦ ପରେ ମୃତଦେହ ନେଲେନାହିଁ ପରିବାର ଲୋକେ
- ଶବକୁ ଧରି ଗାଁ ରୁ ଗାଁ କୁ ବୁଲିଲା ପ୍ରଶାସନ ଓ ପୋଲିସ
- ରବିବାର ସକାଳେ ମିଳିଥିଲା କ୍ଷତବିକ୍ଷତ ବସ୍ତ୍ର ବିହୀନ ମୃତଦେହ
ସମ୍ବଲପୁର/ଭୁବନେଶ୍ୱର,୦୩-୦୯-୨୪(ପିପିଏସ) : ସବା ସତ୍କାର ପାଇଁ ମୃତଦେହ ଧରି ଗାଁ ସାରା ବୁଲିଲା ପୁଲିସ୍। ହେଲେ ଗାଁ ଲୋକେ ଅନୁମତି ନଦେବା ସହିତ ଜୋରଦାର ବିରୋଧ କରିଥିଲେ । ପଡୋଶୀ ଗାଁ ରେ ମଧ୍ୟ ହୋଇଥିଲା ବିରୋଧ l ସେଠାରେ ମଧ୍ୟ ସତ୍କାର କରିବାକୁ ଅନୁମତି ମିଳିନଥିଲା । ଶେଷରେ ମୃତଦେହ ଧରି ରେଢ଼ାଖୋଲ ଫେରିଲେ ଉପଜିଲ୍ଲାପାଳ ଓ ପୁଲିସ୍ ପ୍ରଶାସନ । ରେଢାଖୋଲ ଏନ୍ଏସିରେ ଥିବା ଶ୍ମଶାନରେ ଯୁବତୀଙ୍କ ମୃତଦେହ ସତ୍କାର କରାଯାଇଛି।
ଗତ ଶୁକ୍ରବାର ସକାଳେ ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ଥାନା ସାହେବି ଗାଁର ୨୦ ବର୍ଷୀୟା ଯୁବତୀ ରୀମା (ଛଦ୍ମନାମ) ଗାଧୋଇବା ପାଇଁ ନାଳକୁ ଯାଇଥିଲେ। ହେଲେ ଘରକୁ ଫେରିନଥିଲେ। ଝିଅ ଘରକୁ ନଫେରିବାରୁ ପରିବାର ଲୋକେ ଚାରିଆଡେ ଖୋଜିଥିଲେ, ହେଲେ ତାଙ୍କ ପତ୍ତା ପାଇନଥିଲେ। ପରିବାର ଲୋକେ ଏନେଇ ନାକଟିଦେଉଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା ।
ରବିବାର ସକାଳେ ରୀମାଙ୍କ କ୍ଷତବିକ୍ଷ ବସ୍ତ୍ର ବିହୀନ ମୃତଦେହ ଗାଁଠାରୁ ଏକ କିମି ଦୂରରେ ଥିବା ଝାରବେଡା-ପାଣ୍ଡରିପଶି ଜଙ୍ଗଲରେ ପଡ଼ିଥିଲା ଦେଖିବାକୁ ମିଳିଥିଲା। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ରୀମାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇ ଜଙ୍ଗଲରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତଙ୍କ ଗିରଫ ଦାବିରେ ସ୍ଥାନୀୟ ଲୋକେ ଝାରବେଡ଼ା-ପାଣ୍ଡରିପଶି ରାସ୍ତା ରୋକ କରିଥିଲେ । ଖବର ପାଇଁ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲା । ହେଲେ ଉତ୍ତ୍ୟକ୍ତ ଗାଁ ଲୋକେ ମୃତଦେହ ଜବତ କରିବା ପାଇଁ ପୁଲିସ୍କୁ ଦେଇନଥିଲେ ।
ଯେହେତୁ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବାର ନିୟମ ରହିଛି । ତେଣୁ ରବିବାର ରାତି ପ୍ରାୟ ୩ଟାରେ ପୁଲିସ୍ ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ଜଙ୍ଗଲରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ମେଡିକାଲ୍କୁ ପଠାଇଥିଲା । ହେଲେ ଏନେଇ ପରିବାର ଓ ଗାଁ ଲୋକଙ୍କ ଜଣାଇନଥିଲା । ହେଲେ ବ୍ୟବଚ୍ଛେଦ ପରେ ପରିବାର ଲୋକ ମୃତଦେହ ନେଲେନାହିଁ। ଦୁଷ୍କର୍ମ ଅଭିଯୋଗ ଆସିଥିବା ଯୁବକକୁ ଗାଁରୁ ବିତାଡିତ କରିବା, ଅଭିଯୁକ୍ତଙ୍କ ନାଁରେ ଥିବା ପୁରୁଣା ମାମଲାର ତଦନ୍ତ, ପୀଡ଼ିତଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୧୦ ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ଦାବିରେ ଅଡି ବସିଥିଲେ ଗାଁ ଲୋକ ।
ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମିରଞ୍ଜନ ମହାନ୍ତ, ଆସିନାଲ୍ ଏସ୍ପି ଅଜୟ କୁମାର ମିଶ୍ର ଓ ଦେବିଶିୟସ୍ କେରକେଟା ଗାଁ ଏବଂ ପରିବାର ଲୋକଙ୍କ ସହିତ ଆଲୋଚନା କରିଥିଲେ। ବହୁ ବୁଝାବୁଝି ପରେ ଶବ ସତ୍କାର ପାଇଁ ଗାଁ ଲୋକେ ରାଜି ହୋଇଥିଲେ। ଏହାପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଯୁବତୀଙ୍କ ମୃତଦେହ ଓ କାଠ ଧରି ଝାରବେଡ଼ା ଗାଁ ପାଖରେ ନାଳ ପାଖରେ ପହଞ୍ଚିଥିଲେ ପୋଲିସ ଓ ପ୍ରଶାସନ । ସେଠାରେ ଗାଁ ଲୋକେ ବିରୋଧ କରିଥିଲେ ଏବଂ ଶବ ପୋଡ଼ିବାକୁ ଦେଇନଥିଲେ । ତା’ପରେ ମୃତଦେହକୁ ଧରି ଯୁବତୀଙ୍କ ଗାଁ ସାହେବିକୁ ଆସିଥିଲେ। ସେଠାରେ ମଧ୍ୟ ଗାଁ ଲୋକେ ଶବ ସତ୍କାର କରିବାକୁ ଦେଲେନାହିଁ ।
ଦିନ ତମାମ ମୃତଦେହ ଧରି ଏ ଗାଁରୁ ସେ ଗାଁ ବୁଲି ବୁଲି ଅପରାହ୍ନରେ ରେଢାଖୋଲ ଫେରିଲା ପ୍ରଶାସନ। ଶେଷ ଖବର ସୁଦ୍ଧା ରେଢାଖୋଲ ଏନ୍ଏସି ଶ୍ମଶାନରେ ଶବ ସତ୍କାର କରାଯାଇଥିବା ଜଣାପଡ଼ିଛି। ଏବେ ସୁଦ୍ଧା ଗାଁରେ ଉତ୍ତେଜନା ପରିସ୍ଥିତି ରହିଛି। ସୁରକ୍ଷା ଦୃଷ୍ଟିରୁ ୫ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି l