ଖୁଚୁରା ବଜାରରେ ଏସିଡ୍ ବିକ୍ରି ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ଦେଶରେ ଏସିଡ୍ ଆକ୍ରମଣ ଭଳି ଅପରାଧ ରୋକିବାକୁ ସୁପ୍ରିମକୋର୍ଟ ଏକ ବଡ଼ ପ୍ରସ୍ତାବ ଦେଇଛନ୍ତି। ଶନିବାର ସର୍ବୋଚ୍ଚ ଅଦାଲତ ଖୁଚୁରା ବଜାରରେ ଏସିଡ୍ ବିକ୍ରି ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇବାକୁ ପ୍ରସ୍ତାବ ଦେବା ସହିତ ଏସିଡ୍ ଅପବ୍ୟବହାର ପାଇଁ କ୍ରେତାଙ୍କୁ ଦାୟୀ ରହିବାକୁ ପରାମର୍ଶ ଦେଇଛନ୍ତି। ଦେଶରେ ଘରୋଇ ବ୍ୟକ୍ତିଙ୍କ ଦ୍ୱାରା ଏସିଡ୍ ବିକ୍ରି ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇବାକୁ କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାରଙ୍କୁ କୋର୍ଟ ପ୍ରସ୍ତାବ ଦେଇଛନ୍ତି। ଏହି ନିୟମ ଅନୁଯାୟୀ ଅନଲାଇନ୍ ଓ ଘରେ ପହଞ୍ଚାଇ ଏସିଡ୍ ବିକ୍ରି ଉପରେ ମଧ୍ୟ ରୋକ୍ ଲଗାଇବାକୁ କହିଛନ୍ତି।ଏସିଡ୍ ଆକ୍ରମଣର ଶିକାର ହୋଇଥିବା ଶାହିନ୍ ମଲିକଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ପ୍ରସ୍ତାବ ଦେଇଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ବିଚାରପତି ଜୟମାଲ୍ୟ ବାଗଚୀ ଓ ଭି. ମୋହନଙ୍କୁ ନେଇ ଗଠିତ ଖଣ୍ଡପୀଠ ନଭେମ୍ବର ୨୩ ତାରିଖରେ ଏହି ନିର୍ଦ୍ଦେଶ ଦେଇଛନ୍ତି।
କୋର୍ଟଙ୍କ ପ୍ରସ୍ତାବ ଅନୁଯାୟୀ, ଚିକିତ୍ସା କାମରେ ଏସିଡ୍ ଆବଶ୍ୟକ ହେଲେ କେବଳ ସରକାରୀ ଡାକ୍ତରଖାନା ସହ ଜଡ଼ିତ ଔଷଧ ଦୋକାନରୁ ଏହା କିଣିହେବ। ଏଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କିମ୍ବା ସିଭିଲ୍ ସର୍ଜନଙ୍କ ଲିଖିତ ଅନୁମତି ରହିବା ଆବଶ୍ୟକ। ଏସିଡ୍ କିଣିବା ସମୟରେ ଗ୍ରାହକଙ୍କ ପରିଚୟପତ୍ର, ଠିକଣା, ଯୋଗାଯୋଗ ନମ୍ବର, କେତେ ପରିମାଣର ଏସିଡ୍ କିଣୁଛନ୍ତି ଓ କେଉଁ କାମରେ ବ୍ୟବହାର କରିବେ, ସେ ସମସ୍ତ ତଥ୍ୟ ଲିପିବଦ୍ଧ କରାଯିବ। କିଣାଯାଇଥିବା ଏସିଡ୍ ଅନ୍ୟ କାମରେ ବ୍ୟବହାର ହେଲେ କିମ୍ବା ଅନ୍ୟ କେହି ଏହାର ଅପବ୍ୟବହାର କଲେ କ୍ରେତାଙ୍କୁ ମଧ୍ୟ ଆଇନ ଅନୁଯାୟୀ ଦାୟୀ କରାଯାଇପାରିବ। ଖଣ୍ଡପୀଠ ଆହୁରି ପରାମର୍ଶ ଦେଇଛନ୍ତି ଯେ କ୍ରେତାଙ୍କ ଅସ୍ଥାବର ସମ୍ପତ୍ତିର ବିବରଣୀ ପ୍ରାପ୍ତ କରାଯାଇପାରିବ, ଯାହାକୁ ଅପବ୍ୟବହାର କ୍ଷେତ୍ରରେ ପୀଡିତଙ୍କୁ ଚିକିତ୍ସା ଖର୍ଚ୍ଚ କିମ୍ବା କ୍ଷତିପୂରଣ ପ୍ରଦାନ କରିବା ପାଇଁ ଆଇନ ଅନୁଯାୟୀ ସଂଲଗ୍ନ କରାଯାଇପାରିବ।
ଏହା ସହ ଏସିଡ୍ ଆକ୍ରମଣର ଶିକାର ହେଉଥିବା ଲୋକଙ୍କ ସୁରକ୍ଷା ଓ ସଚେତନତା ପାଇଁ ସ୍କୁଲ୍ ଓ କଲେଜ ପାଠ୍ୟକ୍ରମରେ ଏସିଡ୍ ଆକ୍ରମଣ ସମ୍ପର୍କିତ ବିଷୟ ସାମିଲ କରିବାକୁ ମଧ୍ୟ କୋର୍ଟ କହିଛନ୍ତି। ଏଥିପାଇଁ ଶିକ୍ଷା ମନ୍ତ୍ରଣାଳୟ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଏକ ବିଶେଷଜ୍ଞ କମିଟି ଗଠନ କରିବା କଥା ବିଚାର କରିବାକୁ କୁହାଯାଇଛି। ଏହି ପାଠ୍ୟକ୍ରମରେ ଏସିଡ୍ ଆକ୍ରମଣକୁ କିପରି ରୋକାଯାଇପାରିବ, ଆକ୍ରମଣ ହେଲେ ପ୍ରାଥମିକ ଚିକିତ୍ସା କିପରି କରାଯିବ ଓ ପୀଡ଼ିତଙ୍କ ଆଇନଗତ ଅଧିକାର କ’ଣ, ସେ ସମ୍ପର୍କରେ ପିଲାମାନଙ୍କୁ ଶିକ୍ଷା ଦିଆଯିବ। ଏସିଡ୍ ଆକ୍ରମଣର ପୀଡ଼ିତଙ୍କ ଥଇଥାନ ଓ ସହାୟତା ପାଇଁ ମଧ୍ୟ ସୁପ୍ରିମକୋର୍ଟ ଗୁରୁତ୍ୱ ଦେଇଛନ୍ତି। ଏହି କାର୍ଯ୍ୟରେ ଜାତୀୟ ଆଇନ ସେବା ପ୍ରାଧିକରଣକୁ ସମନ୍ୱୟ ଦାୟିତ୍ୱ ଦିଆଯାଇଛି।
