ବିସଲେରୀ ପାଣିରେ ବ୍ୟାକ୍ଟେରିଆ
ନୂଆଦିଲ୍ଲୀ : ପ୍ୟାକେଜଡ୍ ପାନୀୟ ଜଳ ବ୍ରାଣ୍ଡ୍ ବିସଲେରୀକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗର ଜଳପାଇଗୁଡ଼ିସ୍ଥିତ ବିସଲେରୀ ପ୍ଲାଣ୍ଟରୁ ସଂଗ୍ରହ କରାଯାଇଥିବା ପାଣି ନମୁନା ଲାବୋରେଟୋରୀ ପରୀକ୍ଷାରେ ବିଫଳ ହୋଇଛି। ଏହି ପାଣିରେ କୋଲିଫର୍ମ ବ୍ୟାକ୍ଟେରିଆ ମିଳିଥିବାରୁ ଏହାକୁ ଅସୁରକ୍ଷିତ ଘୋଷଣା କରାଯାଇଛି। ଏହି ଘଟଣାରେ ବିସଲେରୀ ଇଣ୍ଟରନ୍ୟାସନାଲ ବିରୋଧରେ ମାମଲା ଚଳାଇବାକୁ ଅନୁମତି ଦେଇଛି ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI)। ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ଜଳପାଇଗୁଡ଼ି ଜିଲ୍ଲାର ତେଲିପାରା ଗ୍ରାମରେ ଥିବା ବିସଲେରୀ ପ୍ଲାଣ୍ଟରୁ ପ୍ୟାକେଜଡ୍ ପାନୀୟ ଜଳର ଏକ ନମୁନା ସଂଗ୍ରହ କରାଯାଇଥିଲା। ପ୍ରାଥମିକ ଲାବୋରେଟୋରୀ ଓ ରେଫରାଲ୍ ଲାବରେଟୋରୀ, ଉଭୟ ସ୍ଥାନରେ ପରୀକ୍ଷା ପରେ ଏଥିରେ କୋଲିଫର୍ମ ବ୍ୟାକ୍ଟେରିଆ ଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ନମୁନାକୁ ଅସୁରକ୍ଷିତ ବୋଲି ଦର୍ଶାଯାଇଛି। ଏହି ଆଧାରରେ ବିସଲେରୀ ଇଣ୍ଟରନ୍ୟାସନାଲ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ଅଭିଯୋଗ ପ୍ରକ୍ରିୟା ଆରମ୍ଭ ପାଇଁ FSSAI ଅନୁମତି ଦେଇଛି।
