ଆନ୍ଧ୍ର ମୁହାଁ ବାତ୍ୟା ‘ମୁରାସୁ’

ବଙ୍ଗୋପସାଗରରେ ବଳ ଗୋଟାଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ଅତି ଭୀଷଣ ବାତ୍ୟା ‘ମୁରାସୁ’ । ଘଣ୍ଟାପ୍ରତି ପ୍ରାୟ ୨୫ କିଲୋମିଟର ବେଗରେ ଆଗକୁ ବଢ଼ୁଛି ବାତ୍ୟା । ଚେନ୍ନାଇଠାରୁ ପ୍ରାୟ ୨୦୦ କିଲୋମିଟର ଏବଂ ମଛଲିପଟନମ୍ଠାରୁ ୨୭୦ କିଲୋମିଟର ଦୂରରେ ଏହା କେନ୍ଦ୍ରୀଭୂତ ରହିଥିବା ସୂଚନା ମିଳିଛି । ମଧ୍ୟରାତ୍ରିରେ ଆନ୍ଧ୍ରପ୍ରଦେଶର ନେଲୋର ଓ ନରସାପୁର ମଧ୍ୟବର୍ତ୍ତୀ ଉପକୂଳରେ ବାତ୍ୟା ସ୍ଥଳଭାଗ ଛୁଇଁବାର ଆକଳନ କରାଯାଇଛି
ବଙ୍ଗୋପସାଗରରେ ଅତି ଭୀଷଣ ବାତ୍ୟା ‘ମୁରାସୁ’ ଆନ୍ଧ୍ର ଉପକୂଳ ଆଡ଼କୁ ମାଡ଼ି ଆସୁଛି। ମଧ୍ୟରାତ୍ରିରେ ନେଲୋର ଓ ନରସାପୁର ମଧ୍ୟରେ ସ୍ଥଳଭାଗ ଛୁଇଁବା ଆକଳନ କରାଯାଇଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଅର୍ଣ୍ଣବ ପରେ ପୁଣି ବନ୍ୟା ଭୟ ଘାରିଛି ଲୋକଙ୍କୁ।।
ସ୍ଥଳଭାଗ ଛୁଇଁବା ସମୟରେ ବାତ୍ୟାର ପ୍ରଭାବ ଅଧିକ ରହିବା ଆଶଙ୍କା ରହିଛି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ରହିପାରେ । ଝଟକା ପବନର ବେଗ ୧୨୦ କିଲୋମିଟର ଛୁଇଁବା ସମ୍ଭାବନା ରହିଛି। ବାତ୍ୟାର ସିଧାସଳଖ ପ୍ରଭାବ ଆନ୍ଧ୍ର ଉପକୂଳରେ ପଡ଼ିବାକୁ ଥିବାବେଳେ ଏହାର ପ୍ରଭାବ ଓଡ଼ିଶାର ଦକ୍ଷିଣ ଭାଗରେ ମଧ୍ୟ ଅନୁଭୂତ ହୋଇପାରେ ।
ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ ରହିଛି । ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳ ଜମିବା ସହ ନଦୀନାଳର ଜଳସ୍ତର ବଢ଼ିବା ଆଶଙ୍କା ରହିଛି । ଫଳରେ ପୁଣି ବନ୍ୟା ସ୍ଥିତି ଉପୁଜିବା ଭୟ ଘାରିଛି ଦକ୍ଷିଣ ଓଡ଼ିଶାବାସୀଙ୍କୁ ।
ନିକଟରେ ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳରେ ବର୍ଷା ଓ ବନ୍ୟା ଯୋଗୁଁ ଲୋକେ କ୍ଷତିଗ୍ରସ୍ତ ହୋଇଥିଲେ । ଅନେକ ସ୍ଥାନରେ ଘରଦ୍ୱାର, ଚାଷଜମି ଓ ରାସ୍ତାଘାଟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏବେ ପୁଣି ଏକ ବାତ୍ୟାର ପ୍ରଭାବ ଆଶଙ୍କା ଚିନ୍ତା ବଢ଼ାଇଛି ।
