ଏଲ୍ ନିନୋର ଭୟଙ୍କର ପ୍ରଭାବ, ଭାରତରେ ୫୫ ହଜାର ମୃତ୍ୟୁ ଆଶଙ୍କା
ନୂଆଦିଲ୍ଲୀ : ଆକାଶରୁ ବର୍ଷିବ ନିଆଁ! ତାତିରେ ଜଳିବ ଭାରତ? ଏଲ୍ ନିନୋକୁ ନେଇ ଆସିଛି ଛାତିଥରାଇ ଦେବା ଭଳି ଆକଳନ। ନୂଆ ଟ୍ରାକର୍ର ଅନୁମାନ ଅନୁସାରେ, ଆସନ୍ତା ୬ ମାସରେ ବିଶ୍ୱରେ ଅତ୍ୟଧିକ ଗରମ ଯୋଗୁଁ ୩ ଲକ୍ଷ ୭୩ ହଜାରରୁ ଅଧିକ ଅତିରିକ୍ତ ମୃତ୍ୟୁ ହୋଇପାରେ। ଏଥିରେ ଭାରତର ସ୍ଥିତି ସବୁଠାରୁ ଚିନ୍ତାଜନକ। ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ ଦେଶରେ ପ୍ରାୟ ୫୫ ହଜାର ଲୋକଙ୍କ ମୃତ୍ୟୁ ହୋଇପାରେ ବୋଲି ଆକଳନ କରାଯାଇଛି। ତେବେ ଏହା ଏକ ପୂର୍ବାନୁମାନ, ନିଶ୍ଚିତ ମୃତ୍ୟୁ ସଂଖ୍ୟା ନୁହେଁ।ଏଲ୍ ନିନୋ ପ୍ରଭାବରେ ପ୍ରଶାନ୍ତ ମହାସାଗରର ଜଳପୃଷ୍ଠ ଅସ୍ୱାଭାବିକ ଭାବେ ଗରମ ହେବା ଯୋଗୁଁ ପାଣିପାଗରେ ବଡ଼ ପରିବର୍ତ୍ତନ ଆସିଥାଏ। ଏହାର ପ୍ରଭାବରେ କେଉଁଠି ଭୟଙ୍କର ତାତି, ତ ଆଉ କେଉଁଠି ମରୁଡ଼ି ଓ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ। କ୍ଲାଇମେଟ୍ ଇମ୍ପାକ୍ଟ ଲ୍ୟାବ୍ର ଏଲ୍ ନିନୋ ହିଟ୍ ମର୍ଟାଲିଟି ଟ୍ରାକର୍ ଅନୁସାରେ, ଆସନ୍ତା ୬ ମାସରେ ଅତ୍ୟଧିକ ଗରମ ଯୋଗୁଁ ବିଶ୍ୱରେ ୩ ଲକ୍ଷ ୭୩ ହଜାରରୁ ଅଧିକ ଅତିରିକ୍ତ ମୃତ୍ୟୁ ହୋଇପାରେ। ଏହି ଆକଳନରେ ସବୁଠାରୁ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି ଭାରତ। ଏହି ସମୟ ମଧ୍ୟରେ ଦେଶରେ ପ୍ରାୟ ୫୫ ହଜାର ମୃତ୍ୟୁ ହୋଇପାରେ ବୋଲି ଟ୍ରାକର୍ ଆକଳନ କରିଛି। ମାର୍ଚ୍ଚ ମାସରେ ମୃତ୍ୟୁ ସଂଖ୍ୟା ଅଧିକ ରହିବାର ଆଶଙ୍କା ରହିଛି।
କେବଳ ଭାରତ ନୁହେଁ, ନାଇଜେରିଆରେ ପ୍ରାୟ ୫୬ ହଜାର, ଇଣ୍ଡୋନେସିଆରେ ୨୯ ହଜାର ଏବଂ ବ୍ରାଜିଲରେ ୧୯ ହଜାର ଅତିରିକ୍ତ ତାତିଜନିତ ମୃତ୍ୟୁ ହୋଇପାରେ ବୋଲି ଆକଳନ କରାଯାଇଛି। ଏପଟେ ଏଲ୍ ନିନୋର ପ୍ରଭାବରେ ମୁମ୍ବାଇର ବାୟୁ ପ୍ରଦୂଷଣ ଆହୁରି ବଢ଼ିବାର ଆଶଙ୍କା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ଡାକ୍ତର ଗୁଫ୍ରାନ୍ ବେଗ୍ କହିଛନ୍ତି। ପବନର ବେଗ କମିଲେ ପ୍ରଦୂଷିତ ବାୟୁ ସହଜରେ ଦୂର ହୋଇପାରିବ ନାହିଁ। ଫଳରେ ସହରରେ ପ୍ରଦୂଷଣ ବଢ଼ିପାରେ। ବିଶ୍ୱ ପାଣିପାଗ ସଂଗଠନ (WMO) ମଧ୍ୟ ଏଲ୍ ନିନୋକୁ ନେଇ ଚେତାବନୀ ଦେଇଛି। ଏହାର ପ୍ରଭାବରେ ବିଶ୍ୱର ଅନେକ ଅଞ୍ଚଳରେ ସାଧାରଣଠାରୁ ଅଧିକ ତାପମାତ୍ରା ଏବଂ ବର୍ଷାରେ ପରିବର୍ତ୍ତନ ଦେଖାଦେଇପାରେ। ମରୁଡ଼ି ଓ ବନ୍ୟାର ବିପଦ ମଧ୍ୟ ବଢ଼ିପାରେ। ଏହାର ପ୍ରଭାବ ୨୦୨୭ ମସିହା ଆରମ୍ଭ ପର୍ଯ୍ୟନ୍ତ ରହିପାରେ ବୋଲି ସଂଗଠନ କହିଛି। ତେବେ ଏଲ୍ ନିନୋର ପ୍ରଭାବ କେତେ ଭୟଙ୍କର ହେବ, ତାହା ଆଗାମୀ ପାଣିପାଗ ପରିସ୍ଥିତି ଉପରେ ନିର୍ଭର କରିବ। କିନ୍ତୁ ଅତ୍ୟଧିକ ଗରମରୁ ସୁରକ୍ଷିତ ରହିବା ଏବଂ ଆଗୁଆ ପ୍ରସ୍ତୁତି ନେବା ଏବେଠାରୁ ଜରୁରୀ।
