ଆମେରିକାକୁ ରାଜନାଥଙ୍କ ଚେତାବନୀ !
ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆମେରିକାକୁ ଏକ ବଡ଼ ଏବଂ କଡ଼ା ଚେତାବନୀ ଦେଇଛନ୍ତି । ଫିଲିପାଇନ୍ସର ସେବୁ ଠାରେ ଅନୁଷ୍ଠିତ ୧୩ତମ ଆସିଆନ୍ ପ୍ରତିରକ୍ଷା ମନ୍ତ୍ରୀ ସମ୍ମିଳନୀ-ପ୍ଲସ୍ ସମୟରେ ଆମେରିକାର ଯୁଦ୍ଧ ସଚିବ ପିଟ୍ ହେଗସେଥଙ୍କୁ ଭେଟି ରାଜନାଥ ସିଂହ ଏହି ଚିନ୍ତା ବ୍ୟକ୍ତ କରିଛନ୍ତି । ଆମେରିକା ସରକାର ପାକିସ୍ତାନକୁ ୬୪.୯ କୋଟି ଡଲାରର ଏଫ୍-୧୬ ସପୋର୍ଟ ଏବଂ ଅପଗ୍ରେଡ୍ ପ୍ୟାକେଜ୍ ଦେବାକୁ ନିଷ୍ପତ୍ତି ନେଇଛି । ଏହି ପ୍ୟାକେଜ୍ ମଧ୍ୟରେ ଏଭିଓନିକ୍ସ ଅପଗ୍ରେଡ୍, କ୍ରିପ୍ଟୋଗ୍ରାଫିକ୍ ମୋଡ୍ୟୁଲ୍, ମିଶନ ପ୍ଲାନିଂ ଟୁଲ୍ସ, ସ୍ପେୟାର୍ ପାର୍ଟସ୍, ସିମୁଲେଟର, ତାଲିମ ଏବଂ ଲଜିଷ୍ଟିକ୍ସ ସପୋର୍ଟ ଆଦି ଅନ୍ତର୍ଭୁକ୍ତ ରହିଛି । ଆମେରିକା ଦ୍ୱାରା ପାକିସ୍ତାନକୁ ଏହି ସୁବିଧା ମିଳିବା ନେଇ ଭାରତ ପକ୍ଷରୁ କଡ଼ା ବିରୋଧ ପ୍ରକାଶ ପାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆମେରିକୀୟ ପ୍ରତିପକ୍ଷଙ୍କୁ ସ୍ପଷ୍ଟ ଭାବେ ଜଣାଇ ଦେଇଛନ୍ତି ଯେ, ଆମେରିକା ପାକିସ୍ତାନକୁ ଏଫ୍-୧୬ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଉନ୍ନତ ଯୁଦ୍ଧବିମାନ ସପୋର୍ଟ ପ୍ୟାକେଜ୍ ଦେବା ଭାରତ ପାଇଁ ଚିନ୍ତାଜନକ । ବୈଠକରେ ରାଜନାଥ ସିଂହ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ପାକିସ୍ତାନକୁ ଯୋଗାଇ ଦିଆଯାଉଥିବା ଏହି ସମ୍ବେଦନଶୀଳ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟା ଅନ୍ୟ କୌଣସି ତୃତୀୟ ଦେଶ ସମ୍ଭବତଃ ଚୀନ୍ କିମ୍ବା ଇରାନ ହାତକୁ ଚାଲିଯିବାର ଆଶଙ୍କା ରହିଛି । ପୂର୍ବରୁ ମଧ୍ୟ ପାକିସ୍ତାନର ଏଭଳି ଅନେକ କାର୍ଯ୍ୟକଳାପ ସାମ୍ନାକୁ ଆସିଛି, ଯାହା ବିଶ୍ୱ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି ।ଏହି ଅବସରରେ ରାଜନାଥ ସିଂହ ପାକିସ୍ତାନ ଦ୍ୱାରା ଆତଙ୍କବାଦକୁ ମିଳୁଥିବା ସଂରକ୍ଷଣ ଏବଂ ପ୍ରୋତ୍ସାହନ ପ୍ରସଙ୍ଗ ମଧ୍ୟ ଜୋରଦାର ଭାବେ ଉଠାଇଥିଲେ । ସେ ଆମେରିକୀୟ ସମକକ୍ଷଙ୍କୁ ସ୍ପଷ୍ଟ ଭାବେ କହିଥିଲେ ଯେ, ଆମେରିକାକୁ ଆତଙ୍କବାଦର ପ୍ରସଙ୍ଗରେ କୌଣସି ପ୍ରକାରର ଦ୍ୱିନୀତି ରଖିବା ଉଚିତ୍ ନୁହେଁ । ସେ ଜୋର ଦେଇ କହିଥିଲେ ଯେ, ଯେଉଁ ଦେଶଗୁଡ଼ିକ ଆତଙ୍କବାଦୀ ସଙ୍ଗଠନଗୁଡ଼ିକୁ ସମର୍ଥନ, ପ୍ରଶିକ୍ଷଣ କିମ୍ବା ପାଣ୍ଠି ଯୋଗାଉଛନ୍ତି, ବିଶ୍ୱ ସମୁଦାୟ ସେହି ଦେଶଗୁଡ଼ିକ ପ୍ରତି ‘ଜିରୋ ଟଲରେନ୍ସ’ ନୀତି ଅବଲମ୍ବନ କରିବା ନିହାତି ଆବଶ୍ୟକ ।
