1 min read

ଗାଁ ଦାଣ୍ଡରେ ନିଶାପ ନାହିଁ, ଥାନାରେ ଭିଡ ! 

ଭାଇଚାରା ଭାଙ୍ଗୁଛି, ବଢୁଛି ଶତ୍ରୁତା ! 

ଅସ୍ତରଙ୍ଗ :- ଦିନେ ଗାଁ ମୁଣ୍ଡ ଭାଗବତ ଟୁଙ୍ଗି, ଗାଁ ଚାନ୍ଦିନୀ କିମ୍ବା ବରଗଛ ମୂଳ ଥିଲା ଗାଁର କୋର୍ଟ। ଘରୋଇ କଳି, ଜମିବାଡି ବିବାଦ, ଝଗଡା ସବୁ ମୁରବିଙ୍କ ଗୋଟିଏ କଥାରେ ଶେଷ ହୋଇଯାଉଥିଲା। ବାବା ଲୋକନାଥ, ବୁଧେଶ୍ୱର, ପଶ୍ଚିମେଶ୍ୱର, ଗ୍ରାମେଶ୍ୱରଙ୍କ ନାଁ ଧରି ଶପଥ କଲେ ସବୁ ସରିଯାଉଥିଲା। ମୁରବି ଯାହା କହିବେ ତାହା ସମସ୍ତେ ଶିରୋଧାର୍ଯ୍ୟ କରୁଥିଲେ। ବିନା ପଇସାରେ ନ୍ୟାୟ ମିଳୁଥିଲା। ଏବେ ସେ ପରମ୍ପରା ମରିଗଲାଣି। ଏବେ ଗାଁ ଦାଣ୍ଡରେ ନିଶାପ ବସୁନି।ଏହାର ମୂଳ କାରଣ ହେଲା ଗ୍ରାମ୍ୟ ରାଜନୀତି। ପଞ୍ଚାୟତ ନିର୍ବାଚନ ପରଠାରୁ ପ୍ରତ୍ୟେକ ଗାଁ ଦୁଇ ଫାଳ ହୋଇଯାଇଛି। ମୋ ଦଳ ତା ଦଳ, ମୋ ଲୋକ ତା ଲୋକ ବିଭେଦ ତୀବ୍ର ହେଲାଣି। ଗୋଟିଏ ଗୋଷ୍ଠୀର ନିଷ୍ପତ୍ତିକୁ ଅନ୍ୟ ଗୋଷ୍ଠୀ ମାନିବାକୁ ପ୍ରସ୍ତୁତ ନୁହଁନ୍ତି। ନିଶାପ ବସାଉଥିବା ପୁରୁଖା, ନିରପେକ୍ଷ ମୁରବିଙ୍କ ପ୍ରତି ଶ୍ରଦ୍ଧା-ସମ୍ମାନ କମିଗଲାଣି। ଅନେକ ସମୟରେ ନ୍ୟାୟ ବଦଳରେ ପକ୍ଷପାତିତା ଅଭିଯୋଗ ଆସୁଛି। ତେଣୁ ଲୋକେ ଗାଁ ବିଚାର ଉପରୁ ଭରସା ହରାଉଛନ୍ତି।ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଲା, ଏବେ ବି କିଛି ଗାଁରେ ଯଦି ନିଶାପ ବସୁଛି, ତାହା ବୁଧବାର ଓ ରବିବାର ଦେଖି ବସୁଛି। କାରଣ ପଚାରିଲେ ଗ୍ରାମବାସୀ ହସି ହସି କହୁଛନ୍ତି, ସେଦିନ ଭଦ୍ରଲୋକଙ୍କ ଫିସ୍ ବେଶୀ। ବୈଠକ ଆରମ୍ଭ ପୂର୍ବରୁ ଦାମୀ ଚା, ସିଗାରେଟ, ପାନ-ଗୁଟଖା, ବିସ୍କୁଟ, ଦାମୀ ଟିଫିନ ଆଉ ଦ୍ୱିପହରରେ ମଟନ ଭୋଜି ସହ ମଦ। ଏସବୁ ଯୋଗାଡ ନହେଲେ ବିଚାର ବସୁନି।କାରଣ ଏବେ କାର ଭଦ୍ରଲୋକ।ଉଭୟ ପକ୍ଷରୁ ହଜାର ହଜାର ଟଙ୍କା ଖସାଇ ନିଜେ ଖାଇ-ପିଇ ମୌଜ ମସ୍ତି କରୁଛନ୍ତି କିଛି ତଥାକଥିତ ଭଦ୍ରଲୋକ ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ । ଶେଷରେ ଜମିବାଡି ବିବାଦ ଯେଉଁଠି ଥିଲା ସେଇଠି ରହୁଛି। ଗରିବ ଲୋକ ଯିବ କୁଆଡେ? ଫଳରେ ଛୋଟ ଛୋଟ ମାମଲା ବି ସିଧା ଥାନା-କଚେରୀରେ ପହଞ୍ଚୁଛି। ତୁଚ୍ଛା କଥାରେ ଭାଇ-ଭାଇ, ବାପ-ପୁଅ ଭିତରେ ଏତଲା ଦିଆନିଆ ହେଉଛି। ଏହାର ଫାଇଦା ନେଉଛନ୍ତି ଥାନା ସାମ୍ନାରେ ସ୍କୁଟି ଧରି ଘୁରି ବୁଲୁଥିବା କିଛି ଦଲାଲ। ଏତଲା ଲେଖିଦେବା, ସମାଧାନ କରିଦେବା ନାଁରେ ହଜାର ହଜାର ଟଙ୍କା ଲୁଟୁଛନ୍ତି। ଯେଉଁ କଳି ଗାଁ ଦାଣ୍ଡରେ ବିନା ପଇସାରେ ସରିଯାଇଥାନ୍ତା, ସେଥିପାଇଁ ଏବେ ୨୦ ରୁ ୩୦ ହଜାର ଖର୍ଚ୍ଚ ହେଉଛି। ସାଧାରଣ ଲୋକ ହଇରାଣ ହେଉଛି।

Leave a Reply

Your email address will not be published. Required fields are marked *