ରାସ୍ତା ନଥିବାରୁ ହାତୀଛଡ଼ା ଗ୍ରାମବାସୀଙ୍କ ଦୁର୍ଦ୍ଦଶା, ରୋଗୀଙ୍କୁ ୩ କିମି ବୋହି ନେବାକୁ ପଡ଼ୁଛି
ରାଇରଙ୍ଗପୁର: କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ହାତୀଛଡ଼ା ଗ୍ରାମବାସୀ ମୌଳିକ ସଡ଼କ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି। ବିଶେଷକରି କଳାମକରୁ ହାତୀଛଡ଼ା ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଗାଁରେ ୫୦ରୁ ଅଧିକ ପରିବାର ବସବାସ କରୁଥିବାବେଳେ ଯାତାୟାତର ସୁବିଧା ନଥିବାରୁ ରୋଗୀ ଓ ଗର୍ଭବତୀ ମହିଳାମାନେ ସବୁଠାରୁ ଅଧିକ ହଇରାଣ ହେଉଛନ୍ତି।
ବର୍ଷାଦିନେ ସମସ୍ୟା ଆହୁରି ଗୁରୁତର ହେଉଛି। ଗାଁରୁ କେହି ଅସୁସ୍ଥ ହୋଇ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କଲେ ମଧ୍ୟ ଖରାପ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଗାଁ ପର୍ଯ୍ୟନ୍ତ ପହଞ୍ଚିପାରୁନାହିଁ। ଫଳରେ ପ୍ରାୟ ୩ କିମି ଦୂର କଳାମକ ନିକଟକୁ ରୋଗୀଙ୍କୁ ବୋହି ନେବାକୁ ପଡ଼ୁଛି। କିଛି ମାସ ପୂର୍ବେ ଗାଁର ଜଣେ ରୋଗୀଙ୍କୁ ପ୍ରାୟ ୩ କିମି ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ନିକଟକୁ ନେବାକୁ ପଡ଼ିଥିବା ଅଭିଯୋଗ ରହିଛି। ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ବିଡିଓଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଲିଖିତ ଦାବି କରିଥିଲେ ମଧ୍ୟ ଏଯାଏଁ କେବଳ ପ୍ରତିଶ୍ରୁତି ମିଳିଥିବା ସେମାନେ କହିଛନ୍ତି। ରାସ୍ତା ନିର୍ମାଣ ନହେଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଉଚିତ ଜବାବ ଦେବେ ବୋଲି ଗ୍ରାମବାସୀ ଗଣମାଧ୍ୟମ ସମ୍ମୁଖରେ ଚେତାବନୀ ଦେଇଛନ୍ତି।
