ରାସ୍ତା ନାହିଁ, ଦୋଳା ଭରସା; ସୁଗାମାହା ଗାଁରେ ବିକାଶର ଚିତ୍ର ଶୋଚନୀୟ
1 min read

ରାସ୍ତା ନାହିଁ, ଦୋଳା ଭରସା; ସୁଗାମାହା ଗାଁରେ ବିକାଶର ଚିତ୍ର ଶୋଚନୀୟ

ଘୁ.ଉଦୟଗିରି: ଦେଶ ସ୍ୱାଧୀନତାର ୭୯ ବର୍ଷ ପରେ ମଧ୍ୟ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକ୍‌ ଅନ୍ତର୍ଗତ ଗ୍ରେସିଙ୍ଗିଆ ପଞ୍ଚାୟତର ସୁଗାମାହା ଗାଁକୁ ଯିବା ପାଇଁ ପକ୍କା ରାସ୍ତା ନାହିଁ। ଜଙ୍ଗଲ ଓ ପାହାଡ଼ ଘେରା ଏହି ଗାଁ ରାଜ୍ୟ ରାଜପଥଠାରୁ ପ୍ରାୟ ୩ କିଲୋମିଟର ଦୂରରେ ରହିଛି। ଗାଁକୁ ଯିବା ପାଇଁ ଲୋକଙ୍କୁ ଚାଲିଚାଲି ଯିବାକୁ ପଡ଼ୁଛି।

ସୁଗାମାହାରେ ପ୍ରାୟ ୩୦ଟି ପରିବାରର ପ୍ରାୟ ୨୦୦ ଲୋକ ବସବାସ କରନ୍ତି। ଏଠାରେ ଅଧିକାଂଶ ଆଦିବାସୀ ପରିବାର ରହୁଥିବା ବେଳେ ସେମାନଙ୍କ ଜୀବିକା ମୁଖ୍ୟତଃ ଚାଷ ଉପରେ ନିର୍ଭରଶୀଳ। ଧାନ, ହଳଦୀ, କାନ୍ଦୁଲ, ଅଦା ଓ ସୋରିଷ ସହ ବିଭିନ୍ନ ପନିପରିବା ଚାଷ କରି ପରିବାର ଚଳାନ୍ତି। ଏଥିସହ ନିକଟସ୍ଥ ଜଙ୍ଗଲରୁ ମହୁଲ, ଅଁଳା, ପଣସ, ଶାଳପତ୍ର ଓ ଶାଳମଞ୍ଜି ଭଳି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିଥାନ୍ତି।

କିନ୍ତୁ ଗାଁକୁ ପକ୍କା ରାସ୍ତା ନଥିବାରୁ ନିଜ ଜମିରେ ଉତ୍ପାଦିତ ଦ୍ରବ୍ୟ ବଜାରକୁ ନେଇ ବିକ୍ରି କରିବାରେ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗୁରୁତର ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ମଧ୍ୟ ଏଠାରେ ବଡ଼ ସମସ୍ୟା। ଦୋଳା ହିଁ ଅନେକ ସମୟରେ ରୋଗୀଙ୍କୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ନେବାର ଏକମାତ୍ର ଭରସା ପାଲଟିଥାଏ। ଗାଁକୁ ଆମ୍ବୁଲାନ୍ସ କିମ୍ବା ଅନ୍ୟ ଯାନବାହନ ଯାଇପାରୁନାହିଁ।

ମୁଖ୍ୟ ସଡ଼କଠାରୁ ସୁଗାମାହା ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ରାସ୍ତା ପାଇଁ ବର୍ଷକୁ ବର୍ଷ ମାଟି ପକାଇ ଏବଂ ପରେ ମୁରୁମ ପକାଇବାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। ବର୍ଷା ହେଲେ ସେହି ରାସ୍ତା ଧୋଇଯାଉଛି। ଆସନ୍ତା ବର୍ଷ ପୁଣି ସେହି ଧାରାରେ ମାଟି ଓ ମୁରୁମ କାମ କରାଯିବାରୁ ସରକାରୀ ଅର୍ଥ ଖର୍ଚ୍ଚ ହେଉଛି, କିନ୍ତୁ ଗାଁବାସୀଙ୍କ ପକ୍କା ରାସ୍ତାର ସ୍ୱପ୍ନ ପୂରଣ ହୋଇପାରୁନାହିଁ।

ଗ୍ରାମବାସୀ ଓ ନିର୍ବାଚିତ ପ୍ରତିନିଧିମାନେ ବାରମ୍ବାର ପ୍ରଶାସନ ନିକଟରେ ପକ୍କା ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି। ସୁଗାମାହା ଗାଁକୁ ମୁଖ୍ୟ ସଡ଼କ ସହ ସଂଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ପ୍ରସ୍ତାବ ଦିଆଯାଇଥିବା କୁହାଯାଉଛି। ଏପରିକି ସୁଗାମାହାରୁ ସୁଦାମାହା ଦେଇ ତେଲିଙ୍ଗିଆ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ୭ କିଲୋମିଟର ରାସ୍ତା ନିର୍ମାଣ ପାଇଁ ମଧ୍ୟ ପ୍ରସ୍ତାବ ରହିଛି। ହେଲେ ଏଯାଏଁ ଏହାର ଫଳ ମିଳିନାହିଁ।

୭୯ ବର୍ଷ ପରେ ବି ଯଦି ଗାଁକୁ ପକ୍କା ରାସ୍ତା ନଥାଏ, ତେବେ ଗ୍ରାମୀଣ ବିକାଶର ଯୋଜନା ଓ ତାହାର ବାସ୍ତବ ରୂପାୟଣକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।

Leave a Reply

Your email address will not be published. Required fields are marked *