ଟିଟିଲାଗଡ଼ରେ ଯୁବପିଢ଼ି ନିଶା କବଳରେ, ଚିନ୍ତା ବଢ଼ାଉଛି ନିଶା ବଟିକା
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସହର ଏକ ଶାନ୍ତିପ୍ରିୟ ସହର ଭାବେ ପରିଚିତ। ଟିଟିଲାଗଡ଼ ରେଳ ଜଙ୍କସନ୍ ଯୋଗୁଁ ଏଠାରୁ ଦେଶର ବିଭିନ୍ନ ପ୍ରାନ୍ତକୁ ଯିବା ପାଇଁ ଲୋକଙ୍କ ଯାତାୟାତ ଲାଗି ରହିଥାଏ। ଦିନକୁ ଦିନ ଟ୍ରେନ୍ ସଂଖ୍ୟା ବଢ଼ିବା ସହ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଅନ୍ୟପଟେ ସହରର ଯୁବପିଢ଼ି ମଧ୍ୟରେ ନିଶା ସେବନ ବଢ଼ୁଥିବା ଚିତ୍ର ଏବେ ଚିନ୍ତାର କାରଣ ହୋଇଛି।
ଏକପଟେ ଅଭିଭାବକମାନେ ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ସ୍ୱପ୍ନ ଦେଖୁଥିବା ବେଳେ ଅନ୍ୟପଟେ କିଛି ଯୁବକ ଧୀରେଧୀରେ ନିଶାର ଅନ୍ଧାରକୁ ଚାଲିଯାଉଥିବା ଦେଖାଯାଉଛି। ସହରର ପ୍ରମୁଖ ଚାରିଟି ପ୍ରବେଶଦ୍ୱାର ନିକଟରେ ଥିବା ଖେଳ ପଡ଼ିଆ ଓ ଅନ୍ଧାରିଆ ସ୍ଥାନରେ ଯୁବପିଢ଼ିଙ୍କ ଭିଡ଼ ଦେଖିବାକୁ ମିଳୁଛି। ସେମାନଙ୍କ ହାତରେ ସିଗାରେଟ୍, ଗଞ୍ଜେଇ ସିଗାରେଟ୍, କଫ୍ ସିରପ୍ ଓ ନିଶା ବଟିକା ଭଳି ସାମଗ୍ରୀ ଥିବା ଅଭିଯୋଗ ହେଉଛି।
ମଦ ତୁଳନାରେ ନିଶା ବଟିକା ଓ କଫ୍ ସିରପ୍ର ବ୍ୟବହାର ଧୀରେଧୀରେ ବଢ଼ୁଥିବା କୁହାଯାଉଛି। ମଦ କିଣିବା ପାଇଁ ମଦ ଦୋକାନକୁ ଯିବାକୁ ପଡ଼ିବା ସହ ମଦର ଗନ୍ଧରୁ ଘର ଲୋକେ ଜାଣିପାରନ୍ତି। ଏହି କାରଣରୁ କିଛି ଯୁବକ ଗନ୍ଧହୀନ ନିଶାଦ୍ରବ୍ୟ ଆଡ଼କୁ ଯାଉଥିବା ଅଭିଯୋଗ ରହିଛି। ଏହାର ପ୍ରଭାବରେ କେତେକ ଯୁବକଙ୍କ ଆଚରଣରେ ମଧ୍ୟ ପରିବର୍ତ୍ତନ ଦେଖାଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି।
ନିଶାଦ୍ରବ୍ୟର ବେଆଇନ ବିକ୍ରି ଓ ବ୍ୟବହାର ଉପରେ ନଜର ରଖିବା ସହ ଏହାର ମୂଳ ଉତ୍ସ ପର୍ଯ୍ୟନ୍ତ ପହଞ୍ଚିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ସେହିପରି ଅଭିଭାବକମାନେ ମଧ୍ୟ ପିଲାମାନେ କାହା ସହ ମିଶୁଛନ୍ତି, କେଉଁଠାକୁ ଯାଉଛନ୍ତି ଓ ସମୟ କିପରି ବିତାଉଛନ୍ତି, ସେଥିପ୍ରତି ନଜର ରଖିବା ଆବଶ୍ୟକ। ସମାଜରେ ଖରାପ ପ୍ରଭାବ ଥିଲେ ମଧ୍ୟ ଭଲ ଲୋକଙ୍କ ଅଭାବ ନାହିଁ। ଯୁବପିଢ଼ିଙ୍କୁ ସଠିକ୍ ଦିଗ ଦେଖାଇବା ପାଇଁ ପରିବାର, ସମାଜ ଓ ପ୍ରଶାସନର ସମନ୍ୱିତ ପ୍ରୟାସ ଆବଶ୍ୟକ।
