୨୨୦ ନମ୍ବର ଜାତୀୟ ରାଜପଥ ଶୋଚନୀୟ, ରାସ୍ତାରେ ବଡ଼ ବଡ଼ ଖାଲ
1 min read

୨୨୦ ନମ୍ବର ଜାତୀୟ ରାଜପଥ ଶୋଚନୀୟ, ରାସ୍ତାରେ ବଡ଼ ବଡ଼ ଖାଲ

ପାଟଣା: ପାଟଣା-ସାହାରପଡ଼ା ଦେଇ ରାଞ୍ଚି ଯାଉଥିବା ୨୨୦ ନମ୍ବର ଜାତୀୟ ରାଜପଥର ଅବସ୍ଥା ବିଭିନ୍ନ ସ୍ଥାନରେ ଶୋଚନୀୟ ହୋଇପଡ଼ିଛି। ବର୍ଷକ ତଳେ ଦେଓ ଜଳସେଚନ ବିଭାଗ ପକ୍ଷରୁ ଗୋରାଣ୍ଡିଯୋଡ଼ିଠାରୁ ବଳଭଦ୍ରପୁର ମଧ୍ୟରେ ୬ଟି କେନାଲ ଉପରେ ଜାତୀୟ ରାଜପଥ କଟାଯାଇ ମରାମତି କରାଯାଇଥିଲା। କାମ ଦେଓ ଜଳସେଚନ ବିଭାଗର ହୋଇଥିଲେ ମଧ୍ୟ ରାସ୍ତା ମରାମତିର ଦାୟିତ୍ୱ ଜାତୀୟ ରାଜପଥ ବିଭାଗକୁ ଦିଆଯାଇଥିଲା। ଠିକାଦାର ନିଯୁକ୍ତ କରି କାମ କରାଯାଇଥିଲେ ମଧ୍ୟ ଏହାର ମାନକୁ ନେଇ ପ୍ରଶ୍ନ ଉଠିଛି। ବର୍ଷକ ମଧ୍ୟରେ ପିଚୁ ଉଠିଯାଇ ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି।

ସାହାରପଡ଼ା ଫାଣ୍ଡି ନିକଟରୁ ଅଳ୍ପ ଦୂରରେ ରାସ୍ତାର ଉଭୟ ପାର୍ଶ୍ୱରୁ ପିଚୁ ଉଠି ଖାଲ ସୃଷ୍ଟି ହୋଇଛି। ଫଳରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଛୋଟ ଗାଡ଼ିର ଚକ ଖାଲରେ ଲାଗି ଯାଉଥିବାରୁ ଯାତାୟାତରେ ସମସ୍ୟା ହେଉଛି। ମହିଳା ଚାଳକମାନେ ମଧ୍ୟ ଏହି ରାସ୍ତାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଞ୍ଚଳଟି ଜନଗହଳିପୂର୍ଣ୍ଣ ଏବଂ ଦୋକାନବଜାର ଥିଲେ ମଧ୍ୟ ବିଭାଗ ପକ୍ଷରୁ ଏଠାରେ ଆବଶ୍ୟକ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯାଇନାହିଁ। ସ୍ଥାନୀୟ ଲୋକଙ୍କ ଅଭିଯୋଗ, ରାସ୍ତାର ସମସ୍ୟା ନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ଦୀର୍ଘ ସମୟ ଧରି କେବଳ ପ୍ରତିଶ୍ରୁତି ମିଳୁଛି। ତେଣୁ ରାସ୍ତାର ଖାଲଗୁଡ଼ିକ ତୁରନ୍ତ ମରାମତି କରିବା ସହ ଆବଶ୍ୟକ ସ୍ଥାନରେ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *