ଅମ୍ବାନୀଙ୍କୁ ପଛରେ ପକାଇ ଆଦାନୀ ଭାରତର ଏକ ନମ୍ବର ଧନୀ
ନୂଆଦିଲ୍ଲୀ: ଭାରତର ସବୁଠୁ ଧନୀ ବ୍ୟକ୍ତିଙ୍କ ମୁକୁଟ ପୁଣି ଥରେ ଗୌତମ ଆଦାନୀଙ୍କ ମୁଣ୍ଡରେ। ଏମ୍୩ଏମ୍ ହୁରୁନ୍ ଭାରତୀୟ ଧନୀ ତାଲିକା-୨୦୨୬ ଅନୁସାରେ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଗୌତମ ଆଦାନୀ ଦେଶର ଏକ ନମ୍ବର ଧନୀ ହୋଇଛନ୍ତି। ଆଦାନୀ ପରିବାରର ମୋଟ ସମ୍ପତ୍ତି ୯.୨୩ ଲକ୍ଷ କୋଟି ଟଙ୍କା ବୋଲି ତାଲିକାରେ ଦର୍ଶାଯାଇଛି।
ଗତବର୍ଷ ହୁରୁନ୍ ତାଲିକାରେ ୯.୫୫ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ସହ ମୁକେଶ ଅମ୍ବାନୀ ଓ ପରିବାର ପ୍ରଥମ ସ୍ଥାନରେ ଥିଲେ। ସେତେବେଳେ ଆଦାନୀ ପରିବାରର ସମ୍ପତ୍ତି ଥିଲା ୮.୧୫ ଲକ୍ଷ କୋଟି ଟଙ୍କା। ତେବେ ଧନୀଙ୍କ ରାଙ୍କିଙ୍ଗ୍ ବିଭିନ୍ନ ସୂଚୀରେ ଭିନ୍ନ ଭିନ୍ନ ଦେଖାଯାଉଛି। ଫର୍ଚୁନ୍ ଇଣ୍ଡିଆର ୨୦୨୬ ତାଲିକାରେ ୮,୬୭,୬୨୪ କୋଟି ଟଙ୍କା ସମ୍ପତ୍ତି ସହ ମୁକେଶ ଅମ୍ବାନୀ ପ୍ରଥମ ଓ ୮,୫୨,୧୦୪ କୋଟି ଟଙ୍କା ସହ ଗୌତମ ଆଦାନୀ ଦ୍ୱିତୀୟ ସ୍ଥାନରେ ଅଛନ୍ତି।
ହୁରୁନ୍ ଅନୁସାରେ, ୨୦୨୬ର ଭାରତୀୟ ଧନୀ ତାଲିକାରେ ମୋଟ ୩୯୧ ଜଣ ବିଲିଓନେୟାର ସାମିଲ ହୋଇଛନ୍ତି। ଆଦାନୀ ଗ୍ରୁପ୍ର ବ୍ୟବସାୟ ବନ୍ଦର, ବିମାନବନ୍ଦର, ବିଦ୍ୟୁତ୍, ଗ୍ରୀନ୍ ଏନର୍ଜି, ଲଜିଷ୍ଟିକ୍ସ ଓ ବିଭିନ୍ନ ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପିଛି। ଏହା ସହ ଏଆଇ ଓ କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଭଳି ନୂଆ କ୍ଷେତ୍ର ମଧ୍ୟ ଭାରତରେ ନୂଆ ସମ୍ପତ୍ତି ସୃଷ୍ଟିର କେନ୍ଦ୍ର ଭାବେ ଉଭା ହେଉଥିବା ହୁରୁନ୍ ରିପୋର୍ଟରେ କୁହାଯାଇଛି।
