କୋଟି କୋଟି ଖର୍ଚ୍ଚ, ୮ କିମି ପାଇଁ ଜୀବନ ଦୁର୍ବିଷହ: ବଣ୍ଡାଘାଟିରେ ବିକାଶ ଅପହଞ୍ଚ
ମାଲକାନଗିରି: ଆଦିମ ଜନଜାତି ବଣ୍ଡା ସମ୍ପ୍ରଦାୟର ବିକାଶ ପାଇଁ ଯୋଜନା ଓ ଅନୁଦାନର ଅଭାବ ନାହିଁ। ସରକାରୀ ଯୋଜନାକୁ ଛାଡ଼ିଲେ ସ୍ୱତନ୍ତ୍ର ଭାବେ କାମ କରୁଛି ବଣ୍ଡା ଉନ୍ନୟନ ସଂସ୍ଥା। ବାର୍ଷିକ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ତଥାପି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଅଭାବୀ ଜୀବନ ବିତାଉଛନ୍ତି ବଣ୍ଡାଘାଟିର ବରଗୁଡ଼ା ଗ୍ରାମବାସୀ।
ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମୁଦୁଲିପଡ଼ା ପଞ୍ଚାୟତଠାରୁ ୮ କିମି ଦୂରରେ ରହିଛି ବରଗୁଡ଼ା। ଗାଁରେ ୩୦ରୁ ଅଧିକ ପରିବାର ବସବାସ କରୁଥିବା ବେଳେ ଜନସଂଖ୍ୟା ୨୫୦ରୁ ଊର୍ଦ୍ଧ୍ୱ। ଗାଁରେ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର ନଥିବାରୁ ପିଲାମାନେ ପାଠ ପଢ଼ିବାକୁ ହେଲେ ୨ କିମି ପାହାଡ଼ ଚଢ଼ୁଛନ୍ତି। ପିଲାଡ଼ଙ୍ଗ ଗ୍ରାମରେ ଥିବା ସ୍କୁଲ୍କୁ ଯିବାକୁ ହେଲେ ଜଙ୍ଗଲ ଓ ପାହାଡ଼ିଆ ରାସ୍ତା ଅତିକ୍ରମ କରିବାକୁ ପଡ଼ୁଛି। ଯେଉଁଥିପାଇଁ ନିୟମିତ ସ୍କୁଲ୍ ଯାଉନାହାନ୍ତି ପିଲା। ୩୦ରୁ ଊର୍ଦ୍ଧ୍ୱ ପିଲା ଘରେ ରହି ବିଭିନ୍ନ କାମରେ ନିୟୋଜିତ ହୋଇଛନ୍ତି।
୨ କିମି ଦୂରରେ ଥିବା ଅଙ୍ଗନବାଡ଼ିକୁ ଯାଇପାରୁ ନଥିବାରୁ ଶିଶୁମାନେ ପୁଷ୍ଟିକର ଖାଦ୍ୟରୁ ବଞ୍ଚିତ ହେଉଛନ୍ତି। ଗର୍ଭବତୀଙ୍କ ନିୟମିତ ପରୀକ୍ଷା ମଧ୍ୟ ହୋଇପାରୁନାହିଁ। ସର୍ବନିମ୍ନ ସୁବିଧା ଭାବେ ଗାଁକୁ ଯାତାୟାତ ପାଇଁ ନିର୍ମାଣ ହୋଇନି ରାସ୍ତା। ପାହାଡ଼ିଆ ରାସ୍ତା ଯାତାୟାତର ମାଧ୍ୟମ ପାଲଟିଛି। ଫଳରେ ଗ୍ରାମବାସୀ ପାଦରେ ଚାଲି ଚାଲି ଯାଇ ପଞ୍ଚାୟତ ସଦର ମହକୁମାରୁ ରାସନ ଓ ଭତ୍ତା ସଂଗ୍ରହ କରୁଛନ୍ତି।
ମୁଦୁଲିପଡ଼ା ପଞ୍ଚାୟତ ସଦର ମହକୁମାରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଥିବାରୁ ରୋଗୀ ଓ ଗର୍ଭବତୀଙ୍କୁ ଚିକିତ୍ସା ପାଇଁ ଭାର ଓ ଖଟିଆରେ ବୋହିବାକୁ ପଡ଼ୁଛି। ସେହିପରି ଗାଁରେ କୂଅ କିମ୍ବା ନଳକୂପ ନଥିବାରୁ ଶୋଷ ମେଣ୍ଟାଇବା ପାଇଁ ବଣ୍ଡା ମହିଳାଙ୍କୁ ପାହାଡ଼ ଉପରେ ମାଇଲ୍ ମାଇଲ୍ ବାଟ ଚାଲି ଝରଣାରୁ ପାଣି ଆଣିବାକୁ ପଡ଼ୁଛି।
ବହୁବର୍ଷ ତଳେ ଗାଁକୁ ବିଦ୍ୟୁତ୍ ସଂଯୋଗ ପାଇଁ ଖୁଣ୍ଟ ପୋତିଥିଲା ପ୍ରଶାସନ। ହେଲେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ହୋଇନଥିବାରୁ ବରଗୁଡ଼ା ଗ୍ରାମବାସୀ ଡିବିରି ଆଲୁଅରେ ରାତି କାଟୁଛନ୍ତି।
ଜୀବନଜୀବିକା ପାଇଁ ଚାଷ ଏକମାତ୍ର ମାଧ୍ୟମ ହୋଇଥିଲେ ବି କୌଣସି ପରିବାର ପାଖରେ ନିଜସ୍ୱ ଜମି ନାହିଁ। ପୋଡ଼ୁଚାଷ ସହ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ହାଟ ବଜାରରେ ବିକ୍ରି କରି ତାହା ବଦଳରେ ଅତ୍ୟାବଶ୍ୟକ ସାମଗ୍ରୀ ଆଣିଥାନ୍ତି। ମୋବାଇଲ୍ ନେଟ୍ୱର୍କ ନଥିବାରୁ ଗ୍ରାମବାସୀଙ୍କୁ ହୀନସ୍ତା ହେବାକୁ ପଡ଼ୁଛି।
