1 min read

ଜୟଶଙ୍କର, ପୂର୍ବତନ ସେନା ମୁଖ୍ୟ ଓ ସିବିଆଇ ନିର୍ଦ୍ଦେଶକଙ୍କୁ ଏସ୍‌ଆଇଆର ନୋଟିସ୍‌

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଚାଲିଥିବା ନିର୍ବାଚନ କମିଶନଙ୍କ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଏସ୍‌ଆଇଆରକୁ ନେଇ ଆସିଛି ବଡ଼ ଖବର। କେନ୍ଦ୍ରମନ୍ତ୍ରୀ ଏସ୍‌ ଜୟଶଙ୍କର ଓ ପତ୍ନୀ କୟୋକୋ ଏସ୍‌ ଜୟଶଙ୍କରଙ୍କୁ ନିର୍ବାଚନ କମିଶନ ପଠାଇଛନ୍ତି ଏସ୍‌ଆଇଆର ନୋଟିସ। ଅର୍ଥାତ ଏମାନେ ଦିଲ୍ଲୀର ଭୋଟର ଭାବେ ସର୍ଭେ ବେଳେ ଚିହ୍ନଟ ହୋଇ ନାହାନ୍ତି। ଏମାନଙ୍କ ବ୍ୟତୀତ ସିବିଆଇ ନିର୍ଦ୍ଦେଶକ ପ୍ରବୀଣ ସୁଦ ଓ ତାଙ୍କ ପରିବାର, ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଓ ତାଙ୍କ ପତ୍ନୀ, ସିପିଏମ ସାଂସଦ ଜନ ବ୍ରିଟାସଙ୍କ ପତ୍ନୀ ଓ ପୁଅଙ୍କୁ ମଧ୍ୟ ଏସ୍‌ଆଇଆର ନୋଟିସ ପଠାଯାଇଛି। ଦିଲ୍ଲୀରେ ଚାଲିଥିବା ନିର୍ବାଚନ କମିଶନଙ୍କ ଏସ୍‌ଆଇଆର ପ୍ରକ୍ରିୟା ବେଳେ ଏହି ଭିଭିଆଇପିମାନଙ୍କୁ ନୋଟିସ ପଠାଯାଇଥିବା ଜଣାପଡ଼ିଛି। ଜୟଶଙ୍କର ଓ ତାଙ୍କ ପତ୍ନୀଙ୍କୁ ‘ଅନପ୍ୟାମଡ ୱିଥ ଲାଷ୍ଟ ଏସ୍‌ଆଇଆର’ ରଖାଯାଇଛି। ଏହାର ଅର୍ଥ ୨୦୦୨ରେ ହୋଇଥିବା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ପ୍ରସ୍ତୁତ ଚୂଡ଼ାନ୍ତ ଭୋଟର ତାଲିକା ସହ ସେମାନଙ୍କ ବର୍ତ୍ତମାନର ନିର୍ବାଚନୀ ରେକର୍ଡକୁ ଯୋଡ଼ାଯାଇପାରିନାହିଁ। ଜୟଶଙ୍କର ଦମ୍ପତି ନିଜକୁ ନୂଆଦିଲ୍ଲୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁନ୍ଦର ବାଗ ଭୋଟ ଭାବେ ପଞ୍ଜିକୃତ କରିଛନ୍ତି। ହେଲେ ପୁରୁଣା ରେକର୍ଡ ସହ ଏହା ମେଳ ଖାଉନାହିଁ। 

ସିବିଆଇ ନିର୍ଦ୍ଦେଶକ ପ୍ରବୀଣ, ପତ୍ନୀ ବନୀତା ଓ ମା’ କମଲେଶ ସୁଦ ମଧ୍ୟ ‘ଅନପ୍ୟାମଡ ୱିଥ ଲାଷ୍ଟ ଏସ୍‌ଆଇଆର’ ବର୍ଗରେ ରହିଛନ୍ତି। ସ୍ଥଳ ସେନାର ପୂର୍ବତନ ମୁଖ୍ୟ ଦ୍ୱିବେଦୀ ଓ ତାଙ୍କ ପତ୍ନୀ ସୁନୀତା ମଧ୍ୟ ସମାନ ବର୍ଗରେ ଏସଆଇଆର ନୋଟିସ ପାଇଛନ୍ତି। ସେମାନେ ମଧ୍ୟ ନିଜକୁ ନୂଆଦିଲ୍ଲୀ ନିର୍ବାଚନ ମଣ୍ଡଳୀର ଭୋଟର ଭାବେ ପଞ୍ଜିକୃତ କରିଥିଲେ। ଏପଟେ ସିପିଏମ ସାଂସଦ ଜନଙ୍କ ପତ୍ନୀ ଶେବା ଓ ପୁଅ ଆନନ୍ଦଙ୍କୁ ଭିନ୍ନଭିନ୍ନ କାରଣ ପାଇଁ ଏସ୍‌ଆଇଆର ନୋଟିସ ମିଳିଛି। ଶେବାଙ୍କୁ ଆତ୍ମଘୋଷିତ ନାଁରେ ଭିନ୍ନତା ରହିଥିବା ବର୍ଗରେ ରଖାଯାଇଛି। ଆନନ୍ଦଙ୍କ ବାପା ମା’ଙ୍କ ନାଁରେ ଭିନ୍ନତା ଥିବା କୁହାଯାଇଛି। ଶେବାଙ୍କ ଭୋଟର ତାଲିକାରେ ତ୍ରୁଟି ଥିବାରୁ ଆନନ୍ଦ ସେହି ଅନୁସାରେ ନୋଟିସ ହୋଇଥିବା କୁହାଯାଉଛି। ଶେବା ଓ ଆନନ୍ଦ ମଧ୍ୟ ନୂଆଦିଲ୍ଲୀ ନିର୍ବାଚନ ମଣ୍ଡଳୀର ଭୋଟର ରହିଛନ୍ତି। ଏମାନଙ୍କ ବ୍ୟତୀତ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ତାଙ୍କ ପରିବାର, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ରଞ୍ଜନା ଦେଶାଇ ଓ ତାଙ୍କ ପରିବାର ୩ ସଦସ୍ୟ ଏବଂ ଦିଲ୍ଲୀ ସରକାରରେ କାର୍ଯ୍ୟ କରୁଥିବା ଅନେକ ଆଇଏଏସ୍‌ ଅଫିସରଙ୍କୁ ମଧ୍ୟ ନିର୍ବାଚନ କମିଶନ ନୋଟିସ କରିଛନ୍ତି। 

Leave a Reply

Your email address will not be published. Required fields are marked *