ବିକାଶ ଯୋଜନାର ଲମ୍ବା ତାଲିକା, ଲାଞ୍ଜିଆ ସଉରାଙ୍କ ଦୁଃଖ ସେମିତି ଯୋଜନା କାଗଜରେ
1 min read

ବିକାଶ ଯୋଜନାର ଲମ୍ବା ତାଲିକା, ଲାଞ୍ଜିଆ ସଉରାଙ୍କ ଦୁଃଖ ସେମିତି ଯୋଜନା କାଗଜରେ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ବସବାସ କରୁଥିବା ଜନଜାତିଙ୍କ ମଧ୍ୟରୁ ଲାଞ୍ଜିଆ ସଉରା ଅନ୍ୟତମ। ପାହାଡ଼ିଆ ଅଞ୍ଚଳରେ ବସବାସ କରୁଥିବା ଏହି ସମ୍ପ୍ରଦାୟର ବିକାଶ ଲାଗି ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ବାଟମାରଣା କାରଣରୁ ଲାଞ୍ଜିଆଙ୍କ ସାମାଜିକ-ଆର୍ଥିକ ସ୍ଥିତିରେ ଆସିନାହିଁ କାଞ୍ଚିତ ପରିବର୍ତ୍ତନ। ଆଦିତାଲ ଚିତ୍ରକଳା ଲାଞ୍ଜିଆ ସଉରାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିବାରୁ ଜିଆଇ ଟ୍ୟାଗ୍‌ ପ୍ରଦାନ କରିଛନ୍ତି ସରକାର। ହେଲେ ପ୍ରଚାର ପ୍ରସାର ଅଭାବରୁ ଏହି ଚିତ୍ରକଳା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚି ପାରିନାହିଁ।

ଗୁଣପୁର ବ୍ଲକର ପୁଟାସିଂ, ଜଲତାର, ଉଲଣା, ଶଗଡ଼ା, ଆବାଡ଼ା, ଚିନାସାରୀ ଓ କୁଲସିଂ ପଞ୍ଚାୟତରେ ୬୪୬୦ ଲାଞ୍ଜିଆ ସଉରା ପରିବାର ରହୁଛନ୍ତି। ଜନସଂଖ୍ୟା ୨୯ ହଜାରରୁ ଅଧିକ। ରାଜ୍ୟର ବିରଳ ଓ ପୁରାତନ ଜନଜାତି ଭାବେ ପରିଚିତ ଲାଞ୍ଜିଆ ସଉରାଙ୍କ ଜୀବନଶୈଳୀ ଓ ବେଶଭୂଷା ନିଆରା। ଆଦିତାଲ ଚିତ୍ରକଳା ସେମାନଙ୍କ ଭାବବୋଧକୁ ପ୍ରକାଶ କରିଥାଏ।

ଏହି ସମ୍ପ୍ରଦାୟର ବିକାଶ ପାଇଁ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା (ଏଲ୍‌ଏସ୍‌ଡିଏ) ଗୁଣପୁର ଆଇଟିଡିଏ ଅଧୀନରେ ଗତ ୩ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ହେଲା କାର୍ଯ୍ୟ କରିଆସୁଛି। ସେହିପରି ଓପିଲିପି ମାଧ୍ୟମରେ ସରକାର ଜୀବନଜୀବିକାର ବିକାଶ ଲାଗି ପଦକ୍ଷେପ ନେଇଥିଲେ। ଗତ କିଛି ମାସ ହେଲା ଓପିଲିପି ବନ୍ଦ ହୋଇଯିବାରୁ ଲାଞ୍ଜିଆ ସଉରାଙ୍କ ଜୀବନଜୀବିକା ସଙ୍କଟରେ।

ପାହାଡ଼ ଅଞ୍ଚଳରେ ରହୁଥିବା ଏହି ଜନଜାତିଙ୍କ ପାଇଁ ପାଣି ଏକ ପ୍ରମୁଖ ସମସ୍ୟା ରୂପେ ଉଭା ହୋଇଛି। ଜଳସେଚନ ସୁବିଧା ନଥିବାରୁ ପାରମ୍ପରିକ କୃଷି ଛାଡ଼ି କିଛି ଜଣ କାମ ସମେତ ଅନ୍ୟ ବ୍ୟବସାୟକୁ ଆପଣାଇଛନ୍ତି। ପିଏମ୍‌ କିଷାନ ଯୋଜନାରୁ ମଧ୍ୟ ଅନେକ ଲାଞ୍ଜିଆ ସଉରା ବଞ୍ଚିତ ହୋଇଛନ୍ତି।

ପାନୀୟ ଜଳ ସଙ୍କଟ ଦୂର ପାଇଁ ବସୁଧା ଯୋଜନାରେ ନିର୍ମାଣ ହୋଇଛି ପ୍ରକଳ୍ପ। ହେଲେ ପାହାଡ଼ିଆ ଅଞ୍ଚଳରେ ଭୂତଳ ଜଳସ୍ତର ବହୁତ ତଳକୁ ଖସିଯାଇଥିବାରୁ ପ୍ରକଳ୍ପରୁ ପାଣି ମିଳୁନି। ଚୁଆ ଓ ଝରଣା ପାଣି ପିଇ ଶୋଷ ମେଣ୍ଟାଉଥିବା କହିଛନ୍ତି ଆବାଡ଼ା ସମିତିସଭ୍ୟ ଇଶ୍ରୋ ଗବର।

ଆବାଡ଼ା ଭଳି ୮୦ ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଥିଲେ ମଧ୍ୟ ପ୍ରତିକାର ଦିଗରେ କୌଣସି ପଦକ୍ଷେପ ନେଉନି ପ୍ରଶାସନ। ଏହି ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷିତ କରିବା ଆଶାରେ ଗତ ୫/୬ ବର୍ଷ ତଳେ ଆବାଡ଼ାରେ ଏଜୁକେସନ୍‌ କମ୍ପ୍ଲେକ୍ସ ନିର୍ମାଣ ହୋଇଥିଲା। କିନ୍ତୁ ତାହା କାର୍ଯ୍ୟକାରୀ ହୋଇ ନପାରି ତାଲା ଝୁଲୁଥିବାରୁ ପିଲାମାନେ ପାଠପଢ଼ାରେ ଡୋରି ବାନ୍ଧି ବିଭିନ୍ନ ରାଜ୍ୟରେ ଦାଦନ ଖଟୁଛନ୍ତି।

ଅନ୍ୟପକ୍ଷରେ ୩ ହଜାର ଜନଜାତି ପରିବାରକୁ ଏଯାବତ୍‌ ଆବାସ କାର୍ଯ୍ୟାଦେଶ ମିଳିପାରିନାହିଁ। ୧ ହଜାରରୁ ଊର୍ଦ୍ଧ୍ୱ ପରିବାରକୁ ବିଦ୍ୟୁତ୍‌ ସଂଯୋଗ ମିଳି ନଥିବାରୁ ଡିବିରି ଆଲୁଅରେ ଏମାନେ ରାତି କାଟୁଛନ୍ତି। ସେହିପରି ୧୫ଟି ଗାଁକୁ ନିତିଦିନିଆ ରାସ୍ତା ନିର୍ମାଣ ହୋଇପାରିନାହିଁ। ଏଜୁକେସନ୍ କମ୍ପ୍ଲେକ୍ସରେ ତାଲା, ଦାଦନ ଖଟୁଛନ୍ତି ପିଲା; ବଦଳୁନି ଲାଞ୍ଜିଆ ସଉରାଙ୍କ ଜୀବନଚିତ୍ର।

Leave a Reply

Your email address will not be published. Required fields are marked *