ଓଡ଼ିଶାରେ ପ୍ରବଳ ବର୍ଷା ଓ ବଜ୍ରପାତ ଆଶଙ୍କା
ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ଓ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ଝଟକା ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ। ମୌସୁମୀ ଋତୁରେ ବର୍ତ୍ତମାନ ୧୧ଟି ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟର ସବୁ ଜିଲ୍ଲାରେ ସ୍ୱାଭାବିକ ବର୍ଷା ସହ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ଏହାସହ ଗୋଟିଏ ସ୍ଥାନରେ ଅତ୍ୟଧିକ ପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ୧୯ଟି ଜିଲ୍ଲାରେ ଅତି ପ୍ରବଳ ଓ ୯ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି।
କେବଳ ଗଜପତି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ସେପ୍ଟେମ୍ବର ୧ରୁ ଏଯାବତ୍ ୧୨୭୬.୪ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ସ୍ୱାଭାବିକ ବର୍ଷା ରହିଛି ୧୦୭୬.୬ ମିଲିମିଟର। ଯାହା ସ୍ୱାଭାବିକ ବର୍ଷାଠାରୁ ୧୯ ପ୍ରତିଶତ ଅଧିକ ରହିଛି। ଏସ୍ଆଇଏସି ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ଅନୁଯାୟୀ, ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତ ରୂପ ନେବାର ସମ୍ଭାବନା ଅଧିକ ରହିଛି। ଏହା ଗଞ୍ଜାମ-ପୁରୀ-ଜଗତସିଂହପୁର ମଧ୍ୟରେ ସ୍ଥଳଭାଗ ଛୁଇଁପାରେ। ଓଡ଼ିଶା ଭିତର ଦେଇ ଏହା ଛତିଶଗଡ଼ ମୁହାଁଇପାରେ।
ପରିବେଶ ଅନୁକୂଳ ରହିଲେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ଯଦି ବାତ୍ୟା ହୁଏ, ଏହା ସ୍ୱଳ୍ପ ଅବଧି ପାଇଁ ରହିପାରେ। ଅନୁମାନ କରାଯାଉଛି, ଓଡ଼ିଶାରେ ଲଗାଣ ବର୍ଷା ହୋଇପାରେ। ୨୩ ତାରିଖ ରାତିରୁ ବର୍ଷା ବଢ଼ିବାର ସମ୍ଭାବନା ଥିବା ବେଳେ ୨୫ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ପ୍ରଭାବିତ ପରିସ୍ଥିତିକୁ ନେଇ ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ସରକାର ସମ୍ପୂର୍ଣ୍ଣ ସତର୍କ ଏବଂ ପ୍ରସ୍ତୁତ ଅଛନ୍ତି। ବିଭାଗୀୟ ଅଧିକାରୀମାନେ ନିରନ୍ତର ଭାରତୀୟ ପାଣିପାଗ ବିଭାଗ ସହ ଯୋଗାଯୋଗରେ ଅଛନ୍ତି। ମନ୍ତ୍ରୀ ଅନୁରୋଧ କରି କହିଛନ୍ତି, ଲୋକମାନେ କୌଣସି ପ୍ରକାରେ ବିଚଳିତ କିମ୍ବା ଭୟଭୀତ ହୁଅନ୍ତୁ ନାହିଁ। ସରକାର ସମସ୍ତ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ଅଛନ୍ତି।
