ସେମିକଣ୍ଡକ୍ଟର ଶିଳ୍ପରେ ଓଡ଼ିଶାକୁ ୨୩,୬୦୦ କୋଟିର ନିବେଶ ପ୍ରସ୍ତାବ
ନୂଆଦିଲ୍ଲୀ: ସେମିକଣ୍ଡକ୍ଟର ଶିଳ୍ପ କ୍ଷେତ୍ରରେ ଓଡ଼ିଶା ନିଜର ନିବେଶ ଆକର୍ଷଣ ଓ ଶିଳ୍ପ ବିକାଶ ଅଭିଯାନକୁ ଆହୁରି ତ୍ୱରାନ୍ୱିତ କରିଛି। ନୂଆଦିଲ୍ଲୀରେ ଆୟୋଜିତ ‘ସେମିକନ୍ ଇଣ୍ଡିଆ ୨୦୨୬’ରେ ଓଡ଼ିଶାକୁ ପ୍ରାୟ ୨୩,୬୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଛି। ଏହା ମାଧ୍ୟମରେ ପ୍ରାୟ ୬,୧୦୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଭିନ୍ନ ବିଶ୍ୱସ୍ତରୀୟ ଓ ଦେଶୀୟ ସେମିକଣ୍ଡକ୍ଟର ଏବଂ ପ୍ରଯୁକ୍ତି କମ୍ପାନୀ ସହ ନିବେଶ ଓ ଶିଳ୍ପ ସମ୍ଭାବନା ନେଇ ଆଲୋଚନା ହୋଇଛି। ଲାମ୍ ରିସର୍ଚ୍ଚ, ଆପ୍ଲାଏଡ୍ ମ୍ୟାଟେରିଆଲ୍ସ, ସିକୋର, ୩ଡି ଗ୍ଲାସ୍ ସଲ୍ୟୁସନ୍ସ, ସାଇଏନ୍, ଲିଣ୍ଡେ ଓ ହୋରିବା ଇଣ୍ଡିଆ ସମେତ ବିଭିନ୍ନ କମ୍ପାନୀ ସହ ନିବେଶ ଓ ଶିଳ୍ପ ସମ୍ଭାବନା ନେଇ ଆଲୋଚନା କରାଯାଇଛି।
ଏହି କ୍ରମରେ କ୍ୱାଡ୍କ୍ୱାଣ୍ଟମ୍ ସହ ଏକ ଉଦ୍ଦେଶ୍ୟପତ୍ର ସ୍ୱାକ୍ଷରିତ ହୋଇଛି। ପ୍ରସ୍ତାବିତ ସେମିକଣ୍ଡକ୍ଟର ୟୁନିଟ୍ରେ ସିଲିକନ୍ କାର୍ବାଇଡ୍ କିମ୍ବା ଏସ୍ଆଇସି ସବ୍ଷ୍ଟ୍ରେଟ୍ ଉତ୍ପାଦନ କରାଯିବ। ଏହା ମାଧ୍ୟମରେ ସେମିକଣ୍ଡକ୍ଟର ଓ ଆଡଭାନ୍ସଡ୍ ଟେକ୍ନୋଲୋଜି କ୍ଷେତ୍ରରେ ଓଡ଼ିଶାର ନିବେଶ ଆକର୍ଷଣ ପ୍ରୟାସକୁ ଆହୁରି ଗତି ମିଳିବ ବୋଲି ଆଶା କରାଯାଉଛି।
ସେମିକଣ୍ଡକ୍ଟର ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଦୀର୍ଘମିଆଦୀ ଯୋଜନାର ଏକ ପ୍ରମୁଖ ଅଂଶଭାବେ କଟକ ଜିଲ୍ଲାର ନରାଜରେ ୮୭୦ ଏକର ଜମିରେ ‘ଓଡ଼ିଶା ସିଲିକନ୍ ଭ୍ୟାଲି’ ବିକଶିତ କରାଯିବ। ଏଠାରେ ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ ଓ ଆଇଟି କ୍ଷେତ୍ରର ବଡ଼ ପ୍ରକଳ୍ପକୁ ସ୍ଥାନ ଦିଆଯିବ।
ଏହି ଅଞ୍ଚଳରେ ଏକ ସମନ୍ୱିତ ଶିଳ୍ପ ଇକୋସିଷ୍ଟମ୍ ଗଠନ କରିବା ସହ ଉତ୍ପାଦନ, ଗବେଷଣା, ନବସୃଜନ ଓ ଯୋଗାଣ ଶୃଙ୍ଖଳାକୁ ଏକାଠି କରିବା ଲକ୍ଷ୍ୟ ରହିଛି। ନରାଜର ଭୌଗୋଳିକ ଅବସ୍ଥିତି ଓ ଶିଳ୍ପ ଭିତ୍ତିଭୂମି ଦୃଷ୍ଟିରୁ ଏହାକୁ ଏକ ରଣନୀତିକ ସ୍ଥାନ ଭାବେ ବିବେଚନା କରାଯାଉଛି।
କଟକ-ଭୁବନେଶ୍ୱର ସହରାଞ୍ଚଳ ସହ ସଂଯୋଗ, ପାରାଦୀପ ଓ ଧାମରା ବନ୍ଦରକୁ ମଲ୍ଟିମୋଡାଲ୍ ପରିବହନ ସୁବିଧା ଏବଂ ଜାତୀୟ ରାଜପଥ ସହ ଯୋଗାଯୋଗ ଏହି ଅଞ୍ଚଳର ପ୍ରମୁଖ ସୁବିଧା ଭାବେ ଉଲ୍ଲେଖ କରାଯାଇଛି। ସେମିକଣ୍ଡକ୍ଟର ଫ୍ୟାବ୍ରିକେସନ୍ ୟୁନିଟ୍ ଓ ଆସେମ୍ବଲି ୟୁନିଟ୍ ପାଇଁ ବିପୁଳ ପରିମାଣର ଜଳ ଓ ବିଦ୍ୟୁତ ଆବଶ୍ୟକ ହେଉଥିବାରୁ ମହାନଦୀ ନିକଟରେ ଥିବା ନରାଜ ଅଞ୍ଚଳରେ ଶିଳ୍ପ ଜଳ ଆବଶ୍ୟକତା ପୂରଣର ସମ୍ଭାବନା ରହିଛି।
‘ସେମିକନ୍ ଇଣ୍ଡିଆ ୨୦୨୬’ରେ ଓଡ଼ିଶା ପ୍ୟାଭିଲିୟନ୍ରେ ରାଜ୍ୟର ସେମିକଣ୍ଡକ୍ଟର ଯାତ୍ରା ଓ ନିବେଶ ସମ୍ଭାବନା ପ୍ରଦର୍ଶିତ ହୋଇଛି। ସେମିକଣ୍ଡକ୍ଟର କ୍ଷେତ୍ରରେ କେବଳ ନିବେଶ ପ୍ରସ୍ତାବ ଆକର୍ଷଣ ନୁହେଁ, ସମ୍ପୂର୍ଣ୍ଣ ଇକୋସିଷ୍ଟମ୍ ଗଠନ ପାଇଁ ଓଡ଼ିଶା ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି।
ଭାରତ ସରକାରଙ୍କ ‘ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ୍ ୨.୦’ ସହ ନିଜର ସେମିକଣ୍ଡକ୍ଟର ନୀତିକୁ ସମନ୍ୱିତ କରି ଓଡ଼ିଶା ପଦକ୍ଷେପ ନେଉଛି। ନୀତିର ତୃତୀୟ ସଂଶୋଧନ ମାଧ୍ୟମରେ ସେମିକଣ୍ଡକ୍ଟର ଭ୍ୟାଲୁ ଚେନ୍ର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ଅଧିକ ସହାୟତା ଦେବାର ବ୍ୟବସ୍ଥା କରାଯାଇଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଓଡ଼ିଶାର ସେମିକଣ୍ଡକ୍ଟର ଯାତ୍ରା ଏବେ ଯୋଜନାରୁ କାର୍ଯ୍ୟକାରିତା ଦିଗକୁ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ‘ସେମିକନ୍ ଇଣ୍ଡିଆ ୨୦୨୬’ରେ ଶିଳ୍ପ ନେତୃତ୍ୱଙ୍କ ସହ ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ଓଡ଼ିଶାକୁ ପରବର୍ତ୍ତୀ ପର୍ଯ୍ୟାୟର ସେମିକଣ୍ଡକ୍ଟର ନିବେଶ ଆଣିବା ବୋଲି ସେ କହିଛନ୍ତି।
