ବିଧାନସଭା ଅଧିବେଶନ ୨୨ ତାରିଖରୁ
1 min read

ବିଧାନସଭା ଅଧିବେଶନ ୨୨ ତାରିଖରୁ

ଭୁବନେଶ୍ୱର: ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ। ଏହା ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଧାନସଭା ଚାଲୁଥିବା ସମୟରେ ଯାନବାହନ ଚଳାଚଳ ଓ ଜନସାଧାରଣଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ବିଧାନସଭା ସଂଲଗ୍ନ ରାସ୍ତାଗୁଡ଼ିକରେ କଟକଣା ଲଗାଇଛି କମିଶନରେଟ୍ ପୁଲିସ।

ପୁଲିସ କମିଶନରେଟ୍ ଅଧୀନରେ ଥିବା ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ, ୨୦୦୩ର ଧାରା ୨୮ (ଓଡ଼ିଶା ଆକ୍ଟ ୨୦୦୭ର ଧାରା ୮) ଏବଂ ପୁଲିସ କମିଶନରେଟ୍, ଭୁବନେଶ୍ୱର-କଟକ ଟ୍ରାଫିକ୍ ଆଣ୍ଡ ପବ୍ଲିକ୍ ଅର୍ଡର ଏବଂ ରେଗୁଲେସନ୍ ୨୦୦୮ର ଧାରା ୩୬ ଅନୁସାରେ ଏହି କଟକଣା ଲଗାଯାଇଛି।

ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଏକ ବିଜ୍ଞପ୍ତି ଜାରି କରି କମିଶନରେଟ୍ ପୁଲିସ କହିଛି ଯେ, ହାଉସିଂ ବୋର୍ଡ ଛକ ପଟୁ ରବୀନ୍ଦ୍ରମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଯାନବାହନ କେଶରୀ ଟକିଜ୍ ଛକଠାରୁ ବାମ ପାର୍ଶ୍ୱ ରାସ୍ତା ଦେଇ ନିଜ ଗନ୍ତବ୍ୟସ୍ଥଳକୁ ଯାଇପାରିବେ।

ସେହିପରି ପିଏମ୍‌ଜି ଛକ ଆଡ଼କୁ ଆସୁଥିବା ସମସ୍ତ ଯାନବାହନ ଜୟଦେବ ଭବନ ପାଖରେ ଡାହାଣ ପାର୍ଶ୍ୱରେ ଥିବା ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତା ଦେଇ ନିଜ ଗନ୍ତବ୍ୟସ୍ଥଳକୁ ଯାଇପାରିବେ।

ମାଷ୍ଟର କ୍ୟାଣ୍ଟିନ୍ ଛକ ପଟୁ ଆସୁଥିବା ସମସ୍ତ ଯାନବାହନ ଲୋୟର ପିଏମ୍‌ଜି ଛକଠାରୁ ବାମ କିମ୍ବା ଡାହାଣ ପାର୍ଶ୍ୱ ରାସ୍ତା ଦେଇ ଯାଇପାରିବେ।

କମିଶନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି ଯେ, ଜରୁରୀକାଳୀନ କାର୍ଯ୍ୟରେ ନିୟୋଜିତ ଥିବା ଯାନବାହନ—ପୁଲିସ, ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ—ଏବଂ ବିଧାନସଭା, ରାଜ୍ୟ ସଚିବାଳୟ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ଅଧିକୃତ ଯାନବାହନ ପାଇଁ ଏହି କଟକଣା ଲାଗୁ ହେବ ନାହିଁ।

ବିଧାନସଭା ଅଧିବେଶନ ଚାଲୁଥିବା ସମୟରେ ଏହି କଟକଣା ବଳବତ୍ତର ରହିବ।

Leave a Reply

Your email address will not be published. Required fields are marked *