ମା’ ବଗଳାମୁଖୀଙ୍କ ଦର୍ଶନ ପୂର୍ବରୁ ଅଘଟଣ, ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ
1 min read

ମା’ ବଗଳାମୁଖୀଙ୍କ ଦର୍ଶନ ପୂର୍ବରୁ ଅଘଟଣ, ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଘଟିଛି ଅତ୍ୟନ୍ତ ଦୁଃଖଦ ଅଘଟଣ। ମା’ ବଗଳାମୁଖୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଅଗର ମାଲୱା ଜିଲ୍ଲା ନଳଖେଡ଼ା ଅଞ୍ଚଳରେ ଏକ କାର୍‌ ଝରଣାର ପ୍ରବଳ ସ୍ରୋତରେ ଭାସିଯିବାରୁ ୭ ଜଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ କାର୍‌ ଚାଳକଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକମାନେ ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳର ଏକ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ପରିବାରର ସଦସ୍ୟ ଓ ସମ୍ପର୍କୀୟମାନେ ମଧ୍ୟପ୍ରଦେଶ ବୁଲିବାକୁ ଯାଇଥିଲେ। ଉଜ୍ଜୟିନୀରୁ ନଳଖେଡ଼ାସ୍ଥିତ ମା’ ବଗଳାମୁଖୀ ମନ୍ଦିର ଦର୍ଶନ ପାଇଁ ସେମାନେ ଏକ କାର୍‌ ଭଡ଼ାରେ ନେଇ ଯାଉଥିଲେ। ମନ୍ଦିର ନିକଟରେ ଥିବା ଝରଣା ପାର ହେଉଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ହଠାତ୍‌ ପାଣିର ସ୍ରୋତ ବଢ଼ିଯାଇଥିଲା। ଏହି ସ୍ରୋତରେ କାର୍‌ଟି ଭାସିଯାଇଥିଲା। ଘଟଣାଟି ରାତିରେ ଘଟିଥିବା ଆଶଙ୍କା କରାଯାଉଥିବା ବେଳେ ପ୍ରକୃତ ସମୟ ଜଣାପଡ଼ିନାହିଁ।

ଏକ ପରିବାରର ୭ ଜଣଙ୍କ ମୃତ୍ୟୁ

ମୃତକଙ୍କ ମଧ୍ୟରେ ଜୟଦେବ ବିହାରର ବାସିନ୍ଦା ବନମାଳି ବେହେରାଙ୍କ ପରିବାରର ସଦସ୍ୟ ଥିବା ସୂଚନା ମିଳିଛି। ତାଙ୍କ ପୁଅ ଶିବ ପ୍ରସାଦ ବେହେରା, ଦୁଇ ଝିଅ, ନାତି-ନାତୁଣୀ ଓ ଜ୍ୱାଇଁଙ୍କ ମଧ୍ୟରୁ ଅନେକ ଜଣ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଜଣେ ଅବିବାହିତ ଯୁବତୀ ମଧ୍ୟ ମୃତକଙ୍କ ମଧ୍ୟରେ ଥିବା ଜଣାପଡ଼ିଛି। ତାଙ୍କର ଆଉ କିଛି ଦିନ ପରେ ନିର୍ବନ୍ଧ ହେବାର ଥିଲା। ପରିବାର ସଦସ୍ୟ ଓ ବନ୍ଧୁବାନ୍ଧବଙ୍କ ସହ ବୁଲିବାକୁ ଯାଇଥିବା ବେଳେ ଏଭଳି ଅଘଟଣ ପରିବାର ଉପରେ ଦୁଃଖର ପାହାଡ଼ ଲଦିଦେଇଛି।

ଦୁର୍ଘଟଣାଗ୍ରସ୍ତ କାର୍‌ଟି ମାରୁତି ଏସ୍‌-ପ୍ରେସୋ ଏବଂ ଏହାର ନମ୍ବର MP 13 AF 7135 ବୋଲି ଜଣାପଡ଼ିଛି। ଶ୍ରଦ୍ଧାଳୁମାନେ ଉଜ୍ଜୟିନୀରୁ ଏହି କାର୍‌ ଭଡ଼ାରେ ନେଇଥିଲେ। ସକାଳେ ଝରଣା ନିକଟରେ କାର୍‌ଟି ପଡ଼ିଥିବା ଦେଖିବା ପରେ ଘଟଣା ସାମ୍ନାକୁ ଆସିଥିଲା। ଖବର ପାଇ ପୋଲିସ, ପ୍ରଶାସନ ଓ ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳ ନିକଟରେ ଥିବା CCTV ଫୁଟେଜ୍‌ ଯାଞ୍ଚ କରାଯାଉଛି।

ସୁରକ୍ଷା ବ୍ୟବସ୍ଥାକୁ ନେଇ ଅସନ୍ତୋଷ

ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଝରଣା ନିକଟରେ ସୁରକ୍ଷା ବ୍ୟବସ୍ଥା ଓ ପ୍ରଶାସନିକ ପଦକ୍ଷେପକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। ଘଟଣାସ୍ଥଳରେ ଆଗର ମାଲୱା ଜିଲ୍ଲାପାଳ ଶେର ସିଂହ ମୀଣା ଏବଂ ଏସ୍‌ପି ଦିଲୀପ କୁମାର ସୋନୀଙ୍କ ସମେତ ପୋଲିସ ଓ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଘଟଣାର ତଦନ୍ତ କରୁଛନ୍ତି।

ମୃତଦେହ ଓଡ଼ିଶା ଆଣିବାକୁ ପ୍ରସ୍ତୁତି

ମୃତଦେହଗୁଡ଼ିକର ବ୍ୟବଚ୍ଛେଦ ପ୍ରକ୍ରିୟା ଜାରି ରହିଥିବା ବେଳେ ଏହା ଶେଷ ହେବା ପରେ ମୃତଦେହ ଓଡ଼ିଶା ଆଣିବା ବ୍ୟବସ୍ଥା କରାଯାଉଛି। ଏନେଇ ଓଡ଼ିଶା ଓ ମଧ୍ୟପ୍ରଦେଶ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଛି। ବିମାନ ଯୋଗେ ମୃତଦେହ ଆଣିବାରେ ସମସ୍ୟା ଏବଂ କନେକ୍ଟିଂ ଫ୍ଲାଇଟ୍‌ ମିଳିବାରେ ବିଳମ୍ବ ହେଉଥିବାରୁ ରୋଡ୍‌ ମାର୍ଗରେ ମୃତଦେହ ଓଡ଼ିଶା ଆଣିବାକୁ ନିଷ୍ପତ୍ତି ହୋଇଛି।

ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ବରଫ ଦେଇ ମୃତଦେହଗୁଡ଼ିକୁ ଓଡ଼ିଶା ଅଣାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଆସନ୍ତାକାଲି ସନ୍ଧ୍ୟା ୮ଟା ସୁଦ୍ଧା ମୃତଦେହ ଓଡ଼ିଶାରେ ପହଞ୍ଚିବା ନେଇ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *