ମଧ୍ୟପ୍ରଦେଶରେ ୮ ଜଣଙ୍କ ମୃତ୍ୟୁ ଘଟଣା; ମୁଖ୍ୟମନ୍ତ୍ରୀଙ୍କ ଶୋକ
ମଧ୍ୟପ୍ରଦେଶରେ ୮ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସେ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି। ମୃତଦେହଗୁଡ଼ିକୁ ସସମ୍ମାନେ ଓଡ଼ିଶା ଫେରାଇ ଆଣିବା ପାଇଁ ମଧ୍ୟପ୍ରଦେଶର ସ୍ଥାନୀୟ ପ୍ରଶାସନ ସହ ଆବଶ୍ୟକ ସମନ୍ୱୟ ରଖିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରାଥମିକ ସୂଚନା ଅନୁସାରେ, ଝରଣାରେ ପ୍ରବଳ ବଢ଼ି ପାଣି ଥିବା ସମୟରେ କାର୍ଟି ଏହାକୁ ପାର ହେବାକୁ ଉଦ୍ୟମ କରିଥିଲା। ତେବେ ପ୍ରବଳ ଜଳସ୍ରୋତରେ କାର୍ଟି ଭାସିଯିବାରୁ ଏହି ଅଘଟଣ ଘଟିଥିଲା। ଡ୍ରାଇଭରଙ୍କ ଅସାବଧାନତା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ଦୁର୍ଘଟଣାର ପ୍ରକୃତ କାରଣ ନେଇ ପୋଲିସ ତଦନ୍ତ ଜାରି ରହିଛି। ମଧ୍ୟପ୍ରଦେଶ ବୁଲିବା ସହ ଧାର୍ମିକ ସ୍ଥଳ ଦର୍ଶନ ପାଇଁ ଯାଇଥିବା ପରିବାରର ଯାତ୍ରା ଏଭଳି ଦୁଃଖଦ ଘଟଣାରେ ଶେଷ ହୋଇଛି।
