ସ୍ୱାଧୀନତାର ୭ ଦଶନ୍ଧି ପରେ ବିଦ୍ୟୁତ୍ରୁ ବଞ୍ଚିତ ଦେବଗଡ଼ର ଅନେକ ଗାଁ
ଦେବଗଡ଼: ସ୍ୱାଧୀନତାର ୭ ଦଶନ୍ଧି ପରେ ବି ଦେବଗଡ଼ ଜିଲ୍ଲାରେ ଏଭଳି କିଛି ଗାଁ ରହିଛି, ଯେଉଁଠି ଲୋକଙ୍କ ପାଇଁ ବିଦ୍ୟୁତ୍ ସେବା ଏବେ ବି ଅପହଞ୍ଚ ହୋଇ ରହିଛି। ଅନ୍ୟପଟେ କେତେକ ଗାଁ ରାଜସ୍ୱ ଗାଁର ମାନ୍ୟତା ପାଇଥିଲେ ମଧ୍ୟ ସେଠାରେ ବସବାସ କରୁଥିବା ପରିବାରଙ୍କ ପାଇଁ ବିଦ୍ୟୁତ୍ ସେବା ସାତ ସପନ ପାଲଟିଛି।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଜନହିତକର ଯୋଜନା ପାହାଡ଼ ଉପରେ ଥିବା ଏହି ଦୁର୍ଗମ ଗାଁଗୁଡ଼ିକ ନିକଟରେ ପହଞ୍ଚି ପାରୁନାହିଁ। ଗାଁଗୁଡ଼ିକରେ ସମସ୍ତ ବ୍ୟବସ୍ଥା ଥିବା ସତ୍ତ୍ୱେ ଏହାର ସଠିକ୍ ସୁଫଳ ଲୋକେ ପାଇପାରୁନାହାନ୍ତି।
ଦୁର୍ଗମ ଅଞ୍ଚଳରେ ବିଦ୍ୟୁତ୍ ସେବା ପହଞ୍ଚାଇବା ପାଇଁ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ସୋଲାର ଲାଇଟ୍ ମଧ୍ୟ ଏବେ ଅଚଳ ହୋଇପଡ଼ିଛି। ବର୍ଷ ବର୍ଷ ଧରି ଏହି ଲାଇଟ୍ଗୁଡ଼ିକ ଅଚଳ ଥିବାରୁ ଗ୍ରାମବାସୀ ଅନ୍ଧକାର ମଧ୍ୟରେ ଦିନ କାଟୁଛନ୍ତି। ସନ୍ଧ୍ୟା ହେଲେ ଗାଁ ଅନ୍ଧାରରେ ବୁଡ଼ିଯାଉଛି।
ଏଭଳି ଦୃଶ୍ୟ ତିଲେଇବଣି ବ୍ଲକ୍ର ଉପାନ୍ତ ଅଞ୍ଚଳରେ ଥିବା ସଡ଼ା ପଞ୍ଚାୟତର ଅଗର୍ନେ, ଭୂତେଲ ଏବଂ କାଙ୍ଗସର ପଞ୍ଚାୟତର ଭଙ୍ଗାମୁଣ୍ଡା, ବାଲିଆମ, ଖଜୁରୀଖମଣ (ଟାଙ୍ଗର), ବିରିଆମ, ହିରଣ, ଜଗଦଲା, ତେଲଭାଙ୍ଗୁଣି ଓ ଲଇଣ୍ଡା ଆଦି ଗାଁରେ ଦେଖିବାକୁ ମିଳିଛି।
ପାହାଡ଼ ଉପରେ ଅବସ୍ଥିତ ହୋଇଥିବାରୁ ଏହି ଗାଁଗୁଡ଼ିକରେ ବିଦ୍ୟୁତ୍ ସେବା ପହଞ୍ଚାଇବା କଷ୍ଟକର ହୋଇପଡ଼ିଛି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଗ୍ରାମବାସୀଙ୍କୁ ବିକଳ୍ପ ବିଦ୍ୟୁତ୍ ସେବା ଯୋଗାଇଦେବା ଲକ୍ଷ୍ୟରେ ୨୦୧୫-୧୬ରେ ସରକାରଙ୍କ ପକ୍ଷରୁ ଓରେଡା ବିଭାଗ ମାଧ୍ୟମରେ ‘ସୌଭାଗ୍ୟ ଯୋଜନା’ ଅଧୀନରେ ଗାଁଗୁଡ଼ିକରେ ସୋଲାର ଲାଇଟ୍ ଲଗାଯାଇଥିଲା। ପ୍ରତ୍ୟେକ ପରିବାରକୁ ସୋଲାର ଲାଇଟ୍ ଯୋଗାଇ ଦିଆଯାଇଥିଲା।
କିନ୍ତୁ କିଛି ବର୍ଷ ଚାଲିବା ପରେ ଏହି ସୋଲାର ଲାଇଟ୍ଗୁଡ଼ିକ ଅଚଳ ହୋଇପଡ଼ିଛି। ଆବଶ୍ୟକ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ସୋଲାର ଲାଇଟ୍ର ବିଭିନ୍ନ ଉପକରଣ ନଷ୍ଟ ହୋଇ ମାଟିରେ ପଡ଼ିରହିଛି। ଲାଇଟ୍ ଲଗାଇ ଦେବା ପରେ ସମ୍ପୃକ୍ତ ସଂସ୍ଥା ରକ୍ଷଣାବେକ୍ଷଣ ଦାୟିତ୍ୱ ଠିକ୍ ଭାବେ ତୁଲାଇନଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଏବେ ସୋଲାର ଲାଇଟ୍ ବଦଳରେ ଗାଁକୁ ସ୍ଥାୟୀ ବିଦ୍ୟୁତ୍ ସଂଯୋଗ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ଗ୍ରାମବାସୀମାନେ ଗାଁରେ ବିଦ୍ୟୁତ୍ ସେବା ଯୋଗାଇଦେବା ପାଇଁ ଜିଲ୍ଲା ପ୍ରଶାସନ ଓ ଟିପିଡବ୍ଲ୍ୟୁଓଡିଏଲ୍ ବିଭାଗ ନିକଟରେ ଦାବି କରିଆସୁଛନ୍ତି।
ତେବେ ଟିପିଡବ୍ଲ୍ୟୁଓଡିଏଲ୍ ପକ୍ଷରୁ ଉକ୍ତ ଗାଁଗୁଡ଼ିକରେ ବିଦ୍ୟୁତ୍ ଯୋଗାଣ ପାଇଁ ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଥିବା ସୂଚନା ମିଳିଛି। ପ୍ରସ୍ତାବ ଅନୁମୋଦନ ହେଲେ ଉକ୍ତ ଗାଁଗୁଡ଼ିକରେ ବିଦ୍ୟୁତ୍ ସେବା ଯୋଗାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ନିର୍ବାଚିତ ଜନପ୍ରତିନିଧି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସମସ୍ୟା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇ ଶୀଘ୍ର ବିଦ୍ୟୁତ୍ ସେବା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
