ସୁନ୍ଦରଗଡ଼ରେ ବିପଦରେ ନଦୀ, ଜଳସ୍ରୋତ ଉପରେ ବଢ଼ୁଛି ସଙ୍କଟ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ପ୍ରମୁଖ ନଦୀ ଉପରେ ମାଡ଼ି ଆସିଛି ବିପଦ। ହେମଗିରି ଓ ଲେଫ୍ରିପଡ଼ା ବ୍ଲକ୍ ଅଞ୍ଚଳର ଜୀବନରେଖା ବସୁନ୍ଧରା ନଦୀ ଖଣି ଗର୍ଭକୁ ଚାଲିଯାଉଥିବା ବେଳେ ଅନ୍ୟ ଦୁଇ ପ୍ରମୁଖ ଜଳଉତ୍ସ ଚତୁର୍ଧାରା ଓ ଇବ୍ ନଦୀ ମଧ୍ୟ ଅସ୍ତିତ୍ୱ ସଙ୍କଟରେ ପଡ଼ିଛି।
ଏକଦା ବର୍ଷସାରା ବସୁନ୍ଧରା ଓ ଚତୁର୍ଧାରା ନଦୀ ଉପରେ ୩୦ରୁ ଅଧିକ ଗାଁର ଲୋକେ ନିର୍ଭର କରୁଥିଲେ। ଜମିକୁ ଜଳସେଚନ ଯୋଗାଇବା ସହ ଲୋକଙ୍କ ତୃଷ୍ଣା ମେଣ୍ଟାଇବାରେ ଏହି ଜଳଉତ୍ସଗୁଡ଼ିକର ଗୁରୁତ୍ୱ ରହିଥିଲା। ଏଥିସହ ଅଞ୍ଚଳବାସୀଙ୍କ ସାଂସ୍କୃତିକ ଓ ଭାବଗତ ସମ୍ପର୍କ ମଧ୍ୟ ଏହି ନଦୀଗୁଡ଼ିକ ସହ ଜଡ଼ିତ ଥିଲା।
ବସୁନ୍ଧରା ଓ ଚତୁର୍ଧାରା ଜଳଉତ୍ସ ମୁଖ୍ୟ ବସୁନ୍ଧରା ନଦୀରେ ମିଶିବା ପରେ ବିଭିନ୍ନ ଅଞ୍ଚଳ ଦେଇ ପ୍ରବାହିତ ହୋଇ ସୁନ୍ଦରଗଡ଼ ଜିଲ୍ଲାର ରାଜପୁରଠାରେ ଇବ୍ ନଦୀରେ ମିଶିଛି। କିନ୍ତୁ ଖଣି ଖନନ ଓ ଅନ୍ୟାନ୍ୟ କାରଣରୁ ଏହି ନଦୀଗୁଡ଼ିକର ସ୍ୱାଭାବିକ ପ୍ରବାହ ଗୁରୁତର ଭାବେ ପ୍ରଭାବିତ ହେଉଛି।
କନିକା ନିକଟରେ ପ୍ରବାହିତ ହେଉଥିବା ଚିରସ୍ରୋତା କନିକା ନାଳ ଏମ୍ସିଏଲ୍ ରେଳ ସାଇଡିଂର ଖୋଳା ଯୋଗୁଁ ପୋତି ହୋଇଯାଇଥିବା ଅଭିଯୋଗ ହୋଇଛି। ପୂର୍ବରୁ ଅନେକ ଗାଁ ପାଇଁ ଜୀବନର ସାହାରା ଥିବା ଇବ୍ ନଦୀର ଜଳ ମଧ୍ୟ ଖଣି ପ୍ରଭାବରେ ଭୂତଳଗାମୀ ହେବାରେ ଲାଗିଛି। ନଦୀଶଯ୍ୟା ଏବେ ପଥର ଓ ଘାସବୁଦାରେ ଭରିଯାଇଥିବା ଦେଖାଯାଉଛି।
ଅନ୍ୟପଟେ ସୁନ୍ଦରଗଡ଼ର ଉତ୍ତର ମୁଣ୍ଡାଠାରୁ ଶେଷ ମୁଣ୍ଡା ପର୍ଯ୍ୟନ୍ତ ପ୍ରାୟ ୭୦ କିଲୋମିଟର ଲମ୍ବା ଇବ୍ ନଦୀ ଜିଲ୍ଲାର ପାନୀୟଜଳ ଯୋଗାଣର ଏକ ବଡ଼ ଉତ୍ସ। ସୁନ୍ଦରଗଡ଼ ସହର ସମେତ ବାଲିଶଙ୍କରା, ସବଡେଗା ଓ ଟାଙ୍ଗରପାଲି ବ୍ଲକ୍ର ଚାଷ ପାଇଁ ମଧ୍ୟ ଏହି ନଦୀର ଗୁରୁତ୍ୱ ରହିଛି। କିନ୍ତୁ ଏବେ ଫେବ୍ରୁଆରୀ ଆସିଲେ ହିଁ ନଦୀ ଶୁଖିବାକୁ ଲାଗୁଥିବାରୁ ଜଳସଙ୍କଟ ଆଶଙ୍କା ବଢ଼ିଛି।
ମହାନଦୀକୁ ନିୟନ୍ତ୍ରଣରେ ରଖିଥିବା ଛତିଶଗଡ଼ ଏହାର ଉପନଦୀ ଇବ୍କୁ ମଧ୍ୟ ପ୍ରଭାବିତ କରିଥିବା ଅଭିଯୋଗ ହୋଇଛି। ନଦୀର ଉପରମୁଣ୍ଡରେ ଏକାଧିକ ବନ୍ଧ ନିର୍ମାଣ କରି ଜଳପ୍ରବାହକୁ ଅଟକାଯାଉଥିବା ନେଇ ପରିବେଶବିତ୍ମାନେ ଚିନ୍ତା ପ୍ରକାଶ କରିଛନ୍ତି।
୨୦୦୭ରୁ ଛତିଶଗଡ଼ ଜଳସମ୍ପଦ ବିଭାଗ କୁନକୁରୀଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଗୁଲୁ ଜଳବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ କରିବା ପରେ ବେନେଠାରେ ଜଳସେଚନ ପ୍ରକଳ୍ପ ଏବଂ ଓଡ଼ିଶା ସୀମାଠାରୁ ପ୍ରାୟ ୨୦ କିଲୋମିଟର ଦୂର ସମଡମାଠାରେ ଏକ ଆନିକଟ ନିର୍ମାଣ କରିଛି। ଏହା ଫଳରେ ନଦୀର ଉପରମୁଣ୍ଡରେ ଜଳ ଅଟକି ରହୁଥିବା ଅଭିଯୋଗ ହେଉଛି।
ଇବ୍ ନଦୀର ଜଳ ଛତିଶଗଡ଼ରେ ବିଦ୍ୟୁତ୍ ଉତ୍ପାଦନ ଓ ଜଳସେଚନ ପାଇଁ ବ୍ୟବହାର ହେଉଛି। ବର୍ଷାଋତୁ ବ୍ୟତୀତ ଅନ୍ୟ ସମୟରେ ଟୋପାଏ ପାଣି ମଧ୍ୟ ତଳମୁଣ୍ଡକୁ ଛଡ଼ାଯାଉନଥିବାରୁ ଶୁଷ୍କ ଋତୁରେ ନଦୀ ଶୁଖିଯାଉଛି ବୋଲି ଅଭିଯୋଗ ରହିଛି।
ଦୀର୍ଘଦିନ ପରେ ଓଡ଼ିଶା ସରକାର ମଧ୍ୟ ଇବ୍ ନଦୀର କୋଇସିଂହା ଓ କୁଡ଼ାବଗାଠାରେ ବନ୍ଧ ନିର୍ମାଣ ଯୋଜନା କରିଛନ୍ତି। ଏହାଦ୍ୱାରା ବର୍ଷାଜଳ ସଂରକ୍ଷଣ କରି ନଦୀର ଅପମୃତ୍ୟୁକୁ ରୋକାଯାଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଆଶା ପ୍ରକାଶ ପାଇଛି।
