ଶିକ୍ଷକ ନିଯୁକ୍ତି ଦାବିରେ ଆଶ୍ରମ ସ୍କୁଲ୍ରେ ତାଲା, ଗଛମୂଳେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ
ଭୋଗରାଇ: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ରଣସିଂହପୁର ଗାଁର ଆଶ୍ରମ ସ୍କୁଲ୍ରେ ଶିକ୍ଷକ ଅଭାବକୁ ନେଇ ଅସନ୍ତୋଷ ତୀବ୍ର ହୋଇଛି। ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସ୍କୁଲ୍ ଗେଟ୍ରେ ତାଲା ପକାଇ ଧାରଣାରେ ବସିଛନ୍ତି। ଫଳରେ ଛାତ୍ରଛାତ୍ରୀମାନେ ଗଛମୂଳେ ବସି ପାଠ ପଢୁଥିବା ଦୃଶ୍ୟ ସାମ୍ନାକୁ ଆସିଛି।
ସୂଚନା ଅନୁଯାୟୀ, ଉକ୍ତ ଆଶ୍ରମ ସ୍କୁଲ୍ରେ ଶିଶୁ ବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ପଢୁଛନ୍ତି। ଏତେ ସଂଖ୍ୟକ ପିଲାଙ୍କ ପାଇଁ ୭ ଜଣ ଶିକ୍ଷକ ଆବଶ୍ୟକ ଥିବାବେଳେ ବର୍ତ୍ତମାନ ମାତ୍ର ଜଣେ ଶିକ୍ଷକଙ୍କ ଉପରେ ସମଗ୍ର ଶିକ୍ଷାଦାନ ଦାୟିତ୍ୱ ରହିଛି। ଏହାଦ୍ୱାରା ପିଲାଙ୍କ ପାଠପଢ଼ା ଗୁରୁତର ଭାବେ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି।
ଶିକ୍ଷକ ଅଭାବ ସମସ୍ୟାର ସମାଧାନ ପାଇଁ ଅଭିଭାବକମାନେ ପୂର୍ବରୁ ସମ୍ପୃକ୍ତ ଶିକ୍ଷା ବିଭାଗର ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିବା କହିଛନ୍ତି। ତେବେ ଏନେଇ ଏପର୍ଯ୍ୟନ୍ତ ଠୋସ୍ ପଦକ୍ଷେପ ନିଆଯାଇନଥିବାରୁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ବଢ଼ିଛି।
ଶିକ୍ଷକ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଧାରଣାରୁ ହଟିବେ ନାହିଁ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଚେତାବନୀ ଦେଇଛନ୍ତି। ସ୍କୁଲ୍ରେ ତୁରନ୍ତ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି କରି ପିଲାଙ୍କ ଶିକ୍ଷା ବ୍ୟବସ୍ଥାକୁ ସ୍ୱାଭାବିକ କରିବାକୁ ସେମାନେ ଦାବି କରିଛନ୍ତି।
