ମାଲକାନଗିରି ମାଓମୁକ୍ତ, ହେଲେ ବିକାଶର ପହଞ୍ଚ ନାହିଁ ପାହାଡ଼ିଆ ଗାଁରେ
1 min read

ମାଲକାନଗିରି ମାଓମୁକ୍ତ, ହେଲେ ବିକାଶର ପହଞ୍ଚ ନାହିଁ ପାହାଡ଼ିଆ ଗାଁରେ

ମାଲକାନଗିରି: ମାଓବାଦୀ ଆତଙ୍କରୁ ମାଲକାନଗିରି ମୁକ୍ତ ହୋଇଥିବା ବେଳେ ଏବେ ବିକାଶକୁ ଫୋକସ୍‌ କରିଛନ୍ତି ସରକାର। ତେବେ ଜିଲ୍ଲାର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ଅନେକ ଗାଁରେ ଆଜି ବି ମୌଳିକ ସୁବିଧା ପହଞ୍ଚିପାରିନାହିଁ। ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ୨୦ଟି ପାହାଡ଼ିଆ ଗାଁର ଲୋକେ ଦୁର୍ବିଷହ ଜୀବନ ବିତାଉଛନ୍ତି।

କୋରୁକୋଣ୍ଡା ବ୍ଲକ୍‌ର ନାକାମାମୁଡ଼ି ପଞ୍ଚାୟତ ଦିନେ ମାଓପ୍ରବଣ ଅଞ୍ଚଳ ଭାବେ ପରିଚିତ ଥିଲା। ବ୍ଲକ୍‌ ସଦରମହକୁମାଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଥିବା ଏହି ପଞ୍ଚାୟତ ଅଧୀନରେ ୫୨ଟି ଗାଁ ରହିଛି। ସେଥିମଧ୍ୟରୁ ପାହାଡ଼ ଉପରେ ଥିବା ୨୦ଟି ଗାଁର ଜନସଂଖ୍ୟା ୨ ହଜାରରୁ ଅଧିକ। ଅଧିକାଂଶ ଗାଁରେ ଆଦିମ ଜନଜାତି ଡିଡାୟୀ ଏବଂ କେତେକ ଗାଁରେ କନ୍ଧ ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି।

ଏବେ ବି ଗୋଟିଏ ଗାଁରୁ ଅନ୍ୟ ଗାଁ ଏବଂ ପଞ୍ଚାୟତ ସଦରମହକୁମାକୁ ଯିବା ପାଇଁ ସୁଗମ ରାସ୍ତା ନାହିଁ। ମନରେଗା ଯୋଜନାରେ କେତେକ ଗାଁକୁ ଘାଟ କଟିଂ କରି ଯାତାୟାତ ବ୍ୟବସ୍ଥା କରାଯାଇଛି। ହେଲେ ବର୍ଷା ଦିନେ କାଦୁଅ ଓ ଖସଡ଼ା ରାସ୍ତା ଯୋଗୁଁ ଯାତାୟାତ ପ୍ରାୟ ଅସମ୍ଭବ ହୋଇପଡ଼େ।

ନାରଙ୍ଗିଝୋଲା, ଜିସିଂବେଡ଼ା, ବାଟାଗୁଡ଼ା, ବଡ଼ଆଖିଆଗୁଡ଼ା, ଗଙ୍ଗାପଡ଼ା, ସୁତିପଡ଼ା ଓ ଟିକରପଡ଼ା ଭଳି ଗାଁର ଲୋକେ ଏବେ ବି ପକ୍କା ରାସ୍ତା ଦେଖିନାହାନ୍ତି। ଫଳରେ ଅସୁସ୍ଥ ବ୍ୟକ୍ତି ଓ ଗର୍ଭବତୀଙ୍କୁ ବହୁ କଷ୍ଟରେ ପାହାଡ଼ ତଳକୁ ଆଣିବାକୁ ପଡ଼ୁଛି।

ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଦାଶରଥି ସରାବଙ୍କୁ ପଚାରିବାରୁ ପଞ୍ଚାୟତର ସମସ୍ୟା ସମ୍ପର୍କରେ ପ୍ରଶାସନ ଅବଗତ ଥିବା କହିଛନ୍ତି। ତୁରନ୍ତ ସେତୁ କିମ୍ବା ବିଜୁ ସେତୁ ଯୋଜନାରେ ରାସ୍ତା ନଥିବା ଗାଁଗୁଡ଼ିକୁ ସଂଯୋଗ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

୬୦ କିମି ଦୂରରେ ପଞ୍ଚାୟତ ସଦର

ସବୁଠାରୁ ଅଧିକ ଦୁର୍ଦ୍ଦଶା ଭୋଗୁଛନ୍ତି ଅଙ୍ଗୁରବେଡ଼ା ଗ୍ରାମବାସୀ। ପଞ୍ଚାୟତ ସଦରମହକୁମାଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ଥିବା ଏହି ଗାଁର ଲୋକଙ୍କୁ ପିଡିଏସ୍‌ ଚାଉଳ ଓ ଭତ୍ତା ପାଇଁ ପଞ୍ଚାୟତକୁ ଯିବାକୁ ପଡ଼ୁଛି। ପଞ୍ଚାୟତରେ ପହଞ୍ଚିବାକୁ ୩ ଦିନ ଏବଂ ବ୍ଲକ୍‌ ସଦରକୁ ଯିବାକୁ ପ୍ରାୟ ୫ ଦିନ ସମୟ ଲାଗୁଥିବା ଗ୍ରାମବାସୀ କହିଛନ୍ତି।

ପ୍ରାୟ ୨୫ ବର୍ଷ ଧରି ନାକାମାମୁଡ଼ିକୁ ଦୁଇଟି ପଞ୍ଚାୟତରେ ବିଭକ୍ତ କରିବାକୁ ଲୋକେ ଦାବି କରିଆସୁଛନ୍ତି। ଏହା ସହ ମୁଦୁଲିଗୁଡ଼ାକୁ ନୂଆ ପଞ୍ଚାୟତ ଘୋଷଣା କରାଗଲେ ଦୁର୍ଗମ ଅଞ୍ଚଳର ଲୋକେ ସହଜରେ ସରକାରୀ ସୁବିଧା ପାଇପାରିବେ ବୋଲି ଦାବି ହେଉଛି।

ମାଓବାଦ ମୁକ୍ତି ପରେ ମାଲକାନଗିରିରେ ବିକାଶର ନୂଆ ଅଧ୍ୟାୟ ଆରମ୍ଭ ହୋଇଥିବା ବେଳେ ଦୁର୍ଗମ ପାହାଡ଼ିଆ ଗାଁଗୁଡ଼ିକରେ ରାସ୍ତା ଓ ମୌଳିକ ସୁବିଧା ପହଞ୍ଚାଇବା ଏବେ ପ୍ରଶାସନ ପାଇଁ ବଡ଼ ଆହ୍ୱାନ ପାଲଟିଛି।

Leave a Reply

Your email address will not be published. Required fields are marked *