୩ ବର୍ଷରେ ୨ ଲକ୍ଷରୁ ଅଧିକ ସିଟ୍ ଖାଲି; ବଢ଼ୁଛି ଡିଗ୍ରି ଓ ଯୁକ୍ତ୨ କଲେଜ
ଭୁବନେଶ୍ୱର: ରାଜ୍ୟରେ ପ୍ରତିବର୍ଷ ଡିଗ୍ରି କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ) ସଂଖ୍ୟା ବଢ଼ୁଥିବା ବେଳେ ନାମଲେଖା ହାର ଆଶାନୁରୂପ ବଢ଼ୁନାହିଁ। ଫଳରେ ଶହଶହ କଲେଜରେ ବିପୁଳ ସଂଖ୍ୟକ ସିଟ୍ ଖାଲି ପଡ଼ୁଛି। ଏହି ସମସ୍ୟା କେବଳ ୨୦୨୬-୨୭ ଶିକ୍ଷାବର୍ଷର ନୁହେଁ, ଲଗାତାର ୩ ବର୍ଷ ଧରି ଖାଲି ସିଟ୍ ସଂଖ୍ୟା ବଢ଼ିଚାଲିଛି।
୨୦୨୬-୨୭ ଶିକ୍ଷାବର୍ଷରେ ଯୁକ୍ତ୨ କଲେଜଗୁଡ଼ିକରେ ଏକାଧିକ ପର୍ଯ୍ୟାୟରେ ନାମଲେଖା ପରେ ମଧ୍ୟ ପ୍ରାୟ ୧ ଲକ୍ଷ ୯୩ ହଜାର ୧୩୯ଟି ସିଟ୍ ଖାଲି ପଡ଼ିଛି। କଳା ବିଭାଗରେ ୩,୩୭,୪୯୦ଟି ସିଟ୍ ମଧ୍ୟରୁ ୨,୭୦,୧୭୦ଟି ପୂରଣ ହୋଇଥିବା ବେଳେ ୬୭,୩୨୦ଟି ଖାଲି ରହିଛି। ବିଜ୍ଞାନ ବିଭାଗରେ ୧,୯୩,୦୭୭ଟି ସିଟ୍ ମଧ୍ୟରୁ ୭୯,୬୪୧ଟି, ବାଣିଜ୍ୟରେ ୪୩,୭୬୮ଟି ମଧ୍ୟରୁ ୨୦,୮୭୩ଟି, ସଂସ୍କୃତରେ ୧୩,୭୧୨ଟି ମଧ୍ୟରୁ ୪,୧୭୯ଟି ଏବଂ ଧନ୍ଦାମୂଳକ ଶିକ୍ଷାରେ ୧୦,୬୩୭ଟି ମଧ୍ୟରୁ ୫,୫୫୫ଟି ସିଟ୍ ଖାଲି ରହିଛି।
ତଥ୍ୟ ଅନୁଯାୟୀ, ୨୦୨୫-୨୬ ଶିକ୍ଷାବର୍ଷରେ ଯୁକ୍ତ୨ ସ୍ତରରେ ୧,୭୭,୧୩୫ଟି ଏବଂ ୨୦୨୪-୨୫ରେ ୧,୭୦,୧୭୯ଟି ସିଟ୍ ଖାଲି ରହିଥିଲା। ଅର୍ଥାତ୍ ପ୍ରତିବର୍ଷ ଖାଲି ସିଟ୍ ସଂଖ୍ୟା ଉଦ୍ବେଗଜନକ ଭାବେ ବଢ଼ୁଛି।
ଯୁକ୍ତ୨ କଲେଜ ବଢ଼ୁଛି, ଛାତ୍ରଛାତ୍ରୀ କମୁଛନ୍ତି
ଅନ୍ୟପକ୍ଷରେ ରାଜ୍ୟରେ ଯୁକ୍ତ୨ କଲେଜ ସଂଖ୍ୟା ବଢ଼ିଚାଲିଛି। ୨୦୨୪-୨୫ରେ ରାଜ୍ୟରେ ୨,୩୮୫ଟି ଯୁକ୍ତ୨ କଲେଜ ଥିବା ବେଳେ ୨୦୨୫-୨୬ରେ ଏହା ୨,୫୬୮କୁ ବଢ଼ିଥିଲା। ୨୦୨୬-୨୭ରେ କଲେଜ ସଂଖ୍ୟା ଆହୁରି ବଢ଼ି ୨,୫୮୨ରେ ପହଞ୍ଚିଛି।
ଡିଗ୍ରି କଲେଜ କ୍ଷେତ୍ରରେ ମଧ୍ୟ ସମାନ ଚିତ୍ର ଦେଖାଯାଉଛି। ୨୦୨୪-୨୫ରେ ୧,୦୫୮ଟି ଡିଗ୍ରି କଲେଜ ଥିବା ବେଳେ ୨୦୨୫-୨୬ରେ ଏହା ୧,୦୫୧କୁ ହ୍ରାସ ପାଇଥିଲା। ତେବେ ୨୦୨୬-୨୭ରେ ପୁଣି କଲେଜ ସଂଖ୍ୟା ବଢ଼ି ୧,୦୫୯ରେ ପହଞ୍ଚିଛି।
ଡିଗ୍ରି କଲେଜରେ ବି ଲକ୍ଷାଧିକ ସିଟ୍ ଖାଲି
୨୦୨୬-୨୭ ଶିକ୍ଷାବର୍ଷରେ କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସ, ସଂସ୍କୃତ ଓ ଆଇଏନ୍ ବିଭାଗରେ ମୋଟ ୨ ଲକ୍ଷ ୮୮ ହଜାର ୧୨୯ଟି ସିଟ୍ ମଧ୍ୟରୁ ୧ ଲକ୍ଷ ୯ ହଜାର ୩୦୩ଟି ସିଟ୍ ଖାଲି ରହିଛି।
କଳା ବିଭାଗରେ ଅନୁମୋଦିତ ୧,୬୬,୧୩୨ଟି ସିଟ୍ ମଧ୍ୟରୁ ୪୬,୬୪୬ଟି ଖାଲି ରହିଛି। ଫିଜିକାଲ ସାଇନ୍ସରେ ୪୬,୨୨୯ରୁ ୨୫,୦୧୯, ବାୟୋଲଜିକାଲ ସାଇନ୍ସରେ ୨୯,୦୨୪ରୁ ୧୧,୪୭୧, ବାଣିଜ୍ୟରେ ୩୨,୦୮୬ରୁ ୧୭,୧୭୫, ସେଲ୍ଫ ଫାଇନାନ୍ସରେ ୫,୨୩୬ରୁ ୨,୨୪୭, ସଂସ୍କୃତରେ ୯,୨୧୨ରୁ ୬,୨୫୨ ଏବଂ ଆଇଏନ୍ରେ ୨୧୦ଟି ସିଟ୍ ମଧ୍ୟରୁ ୩୨ଟି ସିଟ୍ ଖାଲି ରହିଛି।
ଡିଗ୍ରି କଲେଜରେ ମଧ୍ୟ ଖାଲି ସିଟ୍ ସଂଖ୍ୟା ଗତ ଦୁଇ ବର୍ଷ ଧରି ଉଦ୍ବେଗଜନକ ରହିଛି। ୨୦୨୫-୨୬ରେ ୮୪,୧୭୨ଟି ଏବଂ ୨୦୨୪-୨୫ରେ ୭୬,୩୯୯ଟି ସିଟ୍ ଖାଲି ରହିଥିଲା।
କାହିଁକି ଖାଲି ପଡ଼ୁଛି ସିଟ୍?
ଶିକ୍ଷାବିତ୍ଙ୍କ ମତରେ, ପାରମ୍ପରିକ ବିଏ, ବିଏସ୍ସି ଓ ବିକମ୍ ପାଠ୍ୟକ୍ରମ ତୁଳନାରେ ଚାକିରିମୁଖୀ ପ୍ରଫେସନାଲ୍ ଓ ସ୍କିଲ୍ ବେସ୍ଡ୍ ପାଠ୍ୟକ୍ରମ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ୁଛି। ଆଇଟିଆଇ, ଡିପ୍ଲୋମା, କମ୍ପ୍ୟୁଟର ଆପ୍ଲିକେସନ୍, ନର୍ସିଂ ଓ ଫାର୍ମାସି ଭଳି ପାଠ୍ୟକ୍ରମ ପ୍ରତି ଆଗ୍ରହ ବଢ଼ିଛି।
ଏହା ସହ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସଂଖ୍ୟା ବୃଦ୍ଧି ମଧ୍ୟ ଏକ କାରଣ ବୋଲି ଶିକ୍ଷାବିତ୍ମାନେ କହିଛନ୍ତି। ଇଂରାଜୀ ମାଧ୍ୟମ ବିଦ୍ୟାଳୟରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାସ୍ କରିବା ପରେ ଅନେକ ଛାତ୍ରଛାତ୍ରୀ ସିଧାସଳଖ ଇଞ୍ଜିନିୟରିଂ ଓ ମେଡିକାଲ ଭଳି ପାଠ୍ୟକ୍ରମ ପାଇଁ ନାମଲେଖା କରୁଛନ୍ତି। ଫଳରେ ସାଧାରଣ ଡିଗ୍ରି ଓ ଯୁକ୍ତ୨ ପାଠ୍ୟକ୍ରମରେ ସିଟ୍ ଖାଲି ରହୁଛି।
ଶିକ୍ଷାବିତ୍ ସୁକାନ୍ତ ମହାନ୍ତିଙ୍କ ମତରେ, ନୂଆ କଲେଜ ଖୋଲିବା ପୂର୍ବରୁ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଚାହିଦା, ନାମଲେଖା ସମ୍ଭାବନା ଓ ଆବଶ୍ୟକତାର ଠିକ୍ ଭାବେ ଅନୁଧ୍ୟାନ କରାଯିବା ଆବଶ୍ୟକ। ନଚେତ୍ ପ୍ରତିବର୍ଷ କଲେଜ ଓ ସିଟ୍ ସଂଖ୍ୟା ବଢ଼ିବା ସହ ଖାଲି ସିଟ୍ର ସମସ୍ୟା ମଧ୍ୟ ଆହୁରି ଗୁରୁତର ହୋଇପାରେ।
