ପ୍ରତ୍ୟକ୍ଷ କର ସଂସ୍କାର ନେଇ ସଂସଦୀୟ ସ୍ଥାୟୀ କମିଟିର ଆଲୋଚନା, ଅଧ୍ୟକ୍ଷତା କଲେ ଭର୍ତ୍ତୃହରି ମହତାବ
1 min read

ପ୍ରତ୍ୟକ୍ଷ କର ସଂସ୍କାର ନେଇ ସଂସଦୀୟ ସ୍ଥାୟୀ କମିଟିର ଆଲୋଚନା, ଅଧ୍ୟକ୍ଷତା କଲେ ଭର୍ତ୍ତୃହରି ମହତାବ

ନୂଆଦିଲ୍ଲୀ: ପ୍ରତ୍ୟକ୍ଷ କର ସଂସ୍କାରକୁ ନେଇ ଅର୍ଥ ବିଷୟକ ସଂସଦୀୟ ସ୍ଥାୟୀ କମିଟିର ଏକ ବିସ୍ତୃତ ବୈଠକ ଆଜି ଅନୁଷ୍ଠିତ ହୋଇଛି। କମିଟିର ଅଧ୍ୟକ୍ଷ ତଥା କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଅର୍ଥ ମନ୍ତ୍ରାଳୟର ରାଜସ୍ୱ ବିଭାଗ ଏବଂ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (CBDT)ର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ବୈଠକରେ ଦେଶର ପ୍ରତ୍ୟକ୍ଷ କର ବ୍ୟବସ୍ଥାକୁ ଅଧିକ ସରଳ, ଯୁକ୍ତିସଙ୍ଗତ ଓ କରଦାତା ଅନୁକୂଳ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ କରଦାତାଙ୍କ ପାଇଁ ଅନୁପାଳନ ପ୍ରକ୍ରିୟାକୁ ସହଜ କରିବା ଏବଂ ଆୟକର ଆଇନ, ୨୦୨୫ର କାର୍ଯ୍ୟକାରିତା ସମ୍ପର୍କରେ ମଧ୍ୟ ବିସ୍ତୃତ ମତବିନିମୟ ହୋଇଥିଲା।

ଏହାବ୍ୟତୀତ ପ୍ରତ୍ୟକ୍ଷ କର ରାଜସ୍ୱର ପ୍ରଦର୍ଶନ, ଟ୍ୟାକ୍ସ ବୁଏନ୍ସି (Tax Buoyancy), ସ୍ୱେଚ୍ଛାକୃତ କର ପରିପାଳନ ଏବଂ ଦେଶରେ ଚାଲିଥିବା କର ସଂସ୍କାରର ବ୍ୟାପକ ଦିଗ ନେଇ ଆଲୋଚନା କରାଯାଇଥିଲା।

ଭର୍ତ୍ତୃହରି ମହତାବ କହିଛନ୍ତି ଯେ, ଏକ ସୁଦୃଢ଼ କର ବ୍ୟବସ୍ଥାର ଲକ୍ଷ୍ୟ କେବଳ ରାଜସ୍ୱ ସଂଗ୍ରହରେ ସୀମିତ ରହିବା ଉଚିତ ନୁହେଁ। କର ବ୍ୟବସ୍ଥାରେ ସରଳତା, ନିଶ୍ଚିତତା ଓ ସହଜ ଅନୁପାଳନ ସୁନିଶ୍ଚିତ କରିବା ମଧ୍ୟ ଆବଶ୍ୟକ। ଏପରି ବ୍ୟବସ୍ଥା କରଦାତା ଓ ରାଷ୍ଟ୍ର ମଧ୍ୟରେ ବିଶ୍ୱାସକୁ ଆହୁରି ମଜବୁତ କରିବ ବୋଲି ସେ ମତ ପ୍ରକାଶ କରିଛନ୍ତି।

ଦେଶର ଅର୍ଥନୈତିକ ବିକାଶ ସହ ତାଳମେଳ ରଖି କର ବ୍ୟବସ୍ଥାରେ ନିରନ୍ତର ସଂସ୍କାର ଆଣିବା, ପ୍ରକ୍ରିୟାକୁ ଅଧିକ ପାରଦର୍ଶୀ ଓ ସରଳ କରିବା ଏବଂ କରଦାତାଙ୍କ ମଧ୍ୟରେ ସ୍ୱେଚ୍ଛାକୃତ ଅନୁପାଳନ ବୃଦ୍ଧି କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *