ସିନ୍ଧୁ ଜଳ ଚୁକ୍ତି ନେଇ ଭାରତକୁ ହେଗ୍ କୋର୍ଟ ଅଫ୍ ଆର୍ବିଟ୍ରେସନ୍ର ଝଟକା
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସିନ୍ଧୁ ଜଳ ଚୁକ୍ତି ସମ୍ପୂର୍ଣ୍ଣ ଭାବେ ଲାଗୁ ରହିଛି ବୋଲି ହେଗ୍ସ୍ଥିତ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ନିଜ ନିଷ୍ପତ୍ତିରେ କହିଛି। ଭାରତ ଚୁକ୍ତି ଅଧୀନରେ ନିଜର ଦାୟିତ୍ୱ ପାଳନ ଜାରି ରଖିବା ଉଚିତ ବୋଲି କୋର୍ଟ କହିଛି।
କୋର୍ଟର ମତାନୁସାରେ, ଚୁକ୍ତିର କାର୍ଯ୍ୟକାରିତାକୁ ରୋକିବା, ଶେଷ କରିବା କିମ୍ବା ସ୍ଥଗିତ ରଖିବା ପାଇଁ ଚୁକ୍ତିରେ କୌଣସି ବ୍ୟବସ୍ଥା ନାହିଁ। ଏଥିସହ ଭାରତକୁ ରାଟଲେ-କିଷ୍ଟୱାର ଅଞ୍ଚଳର ହାଇଡ୍ରୋ-ଇଲେକ୍ଟ୍ରିକ୍ ପ୍ରକଳ୍ପ ସମ୍ବନ୍ଧୀୟ କିଛି ନିର୍ମାଣ କାର୍ଯ୍ୟ ସାମୟିକ ଭାବେ ରୋକିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ତେବେ ଭାରତ କୋର୍ଟ ଅଫ୍ ଆର୍ବିଟ୍ରେସନ୍କୁ ସ୍ୱୀକୃତି ଦେଇନାହିଁ। ୨୦୨୩ରେ ପାକିସ୍ତାନର ଅନୁରୋଧ ପରେ ଏହି ଆର୍ବିଟ୍ରେସନ୍ କୋର୍ଟ ଗଠନ କରାଯାଇଥିଲା। ଭାରତ ଏହାର କୌଣସି କାର୍ଯ୍ୟାନୁଷ୍ଠାନରେ ଅଂଶ ନେଇନାହିଁ ଏବଂ ଏହାର ନିଷ୍ପତ୍ତିଗୁଡ଼ିକୁ ଅସିଦ୍ଧ ଓ ଅର୍ଥହୀନ ବୋଲି ପୂର୍ବରୁ କହିଆସିଛି।
